ରାଗିଂ ଭୟରେ ରାତିଅଧରେ ହଷ୍ଟେଲ ଛାଡ଼ିଲେ ୪ ଛାତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲାରେ ରାଗିଂ ଭୟରେ ଭୟଭିତ ହୋଇ ୪ ଜଣ ଛାତ୍ର ରାତି ଅଧରେ ହଷ୍ଟେଲ ଛାଡି ଚାଲି ଯାଇଥିବା ସୂଚନା ମିଳିଛି. ଏହି ଛାତ୍ରମାନେ ରାଗି ଘଟଣାକୁ ନେଇ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନଙ୍କୁ ଆଗରୁ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନ କରାଯିବା ଯୋଗୁଁ ସିନିୟର ଛାତ୍ରମାନେ ଆହୁରି ଅଧିକ ରାଗିଂ କରି ଚାଲିଥିଲେ. ଘଟଣାରୁ ପ୍ରକାଶ, ରାୟଗଡ଼ ସ୍ଥିତ ଥିବା ଏସଏସଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଗିଂ ଚାଲୁ ରହିଥିବା ଅଭିଯୋଗ ବହୁ ଆଗରୁ ରହି ଆସିଛି. ରାଗିଂକୁ ସାମ୍ନା କରିଥିବା ଅଷ୍ଟମ ଶ୍ରେଣୀର ଛାତ୍ରମାନେ ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ କୁମାର ସାହୁକାର ଓ ସ‌ହକାରୀ ଶିକ୍ଷକ ଏମ.ଭି ଆପନ୍ନାଙ୍କ ନିକଟରେ ଅଭିଯୋଗ କଲେ ନ୍ୟାୟ ମିଳିବା ପରିବର୍ତ୍ତେ ବରିଷ୍ଠ ଛାତ୍ରଙ୍କ ଠାରୁ ଆହୁରି ଅଧିକ ମାଡ ଖାଉଥିବା ଅଭିଯୋଗ କରିଛନ୍ତି । ତେଣୁ ବାଧ୍ଯ ହୋଇ ମାଡ଼ ଭୟରେ ଚାରି ଜଣ ଛାତ୍ର ସୋମବାର ରାତି ଅଧରେ ବିଦ୍ୟାଳୟ ଛାଡ଼ି ସମର୍କୀୟଙ୍କ ଘରକୁ ଯାଉଥିବାବେଳେ ଲୋକଙ୍କ ନଜରକୁ ଆସିଥିଲା ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି ଜଣାଇଛନ୍ତି ଯେ, ରାୟଗଡ଼ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଷଷ୍ଠ ଠାରୁ ଦ୍ବାଦଶ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଶହ ଛାତ୍ରୀ ଛାତ୍ର ପାଠ ପଢୁଥିବା ବେଳେ ସେମାନଙ୍କୁ ଶିକ୍ଷାଦାନ ପାଇଁ ୧୯ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ଏଠାରେ ପ୍ରାୟ ପିଲା ଦୂର ଦୂରାନ୍ତରୁ ଆସି ହଷ୍ଟେଲରେ ରହି ପାଠ ପଢୁଛନ୍ତି I ସହିଦ ଲକ୍ଷ୍ମଣ ନାୟକ ଛାତ୍ରାବାସରେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ର ରହୁଛନ୍ତି। ସେଠାରେ ନବମ ଶ୍ରେଣୀର ପିଲାମାନେ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କୁ ସେମାନଙ୍କ ପୋଷାକ ସଫା କରିବା, ଝାଡୁ ମାରିବା, ବିଭିନ୍ନ ସମୟରେ ବଜାରରୁ କୌଣସି ଜିନିଷ ଆଣିବା କିମ୍ବା ବଗିଚା ସଫା କରିବା ଆଦି ବିଭିନ୍ନ କାମ କରିବା ପାଇଁ ବାଧ୍ୟ କରୁଛନ୍ତି । କୌଣସି କାମ ନ କଲେ ସେମାନଙ୍କୁ ବାଡ଼ିରେ ନିଷ୍କ୍ରମ ମାଡ ମାରୁଥିବା ଅଭିଯୋଗ ଆଣିଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ର | ସେମାନେ ଆହୁରି କହିଛନ୍ତି ଯେ, ମାଡ ଖାଇବା ଭୟରେ ଆମେ ସ୍କୁଲ ଛାଡ଼ି ରାତି ଅଧରେ ନିଜ ସମ୍ପର୍କୀୟଙ୍କ ଘରକୁ ଶୋଇବାକୁ ଯାଉଛୁ | ଏଭଳି ଘଟଣା ସୋମବାର ରାତି ପ୍ରାୟ ସାଢେ ୧୦ଟା ସମୟରେ ଦେଖ‌ିବାକୁ ମିଳିଛି। ରାୟଗଡ଼ର କିଛି ଯୁବକ ସେମାନଙ୍କୁ ରାତି ଅଧରେ କୁଆଡ଼େ ବୁଲୁଛ ବୋଲି ପଚାରିଥିବା ବେଳେ ସେମାନେ ଏଭଳି କହିଥିଲେ । ଏହି ବିଷୟରେ ପ୍ରଧାନ ଶିକ୍ଷକ ସୁରେଶ ସାହୁକାର ଓ ସହକାରୀ ଶିକ୍ଷକ ଏମ.ଭି ଅପନ୍ନାଙ୍କୁ ଜଣାଇଲେ ମଧ୍ୟ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଓଲଟା ପୀଡିତଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ କରିବା ଜାଣି ସିନିୟର ପିଲାମାନେ ତାଙ୍କୁ ଅଧିକ ମାରପିଟକରୁଛନ୍ତି | ତେଣୁ ମାଡ ଭୟରେ ଛାତ୍ରାବାସ ଛାଡି ଘରକୁ ଚାଲିଯାଉଥିବା ସମୟରେ ଗ୍ରାମବାସୀ ସେମାନଙ୍କୁ ଧରି ଜିଲା ମଙ୍ଗଳ ଅଧିକାରୀଙ୍କ ପାଖକୁ ନେଇଥିବା ବେଳେ ଉକ୍ତ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଆସି ସେମାନଙ୍କୁ ନେଇଥିଲେ | ଏଭଳି ଏକ ସାଂଘାତିକ ଘଟଣା ଜିଲ୍ଲାରେ ପ୍ରଥମ ହୋଇଥିବାରୁ ସମସ୍ତେ ଏହାକୁ ନିନ୍ଦା କରିଛନ୍ତି | ଏହି ଘଟଣା ବିଷୟ ପ୍ରଘଟ ହେଲା ପରେ ସ୍କୁଲରେ ଛାତ୍ରମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗୋଟିଏ ପଟେ ସିନିୟର ଛାତ୍ରଙ୍କ ରାଗିଂ ଅନ୍ୟପଟେ ପ୍ରଧାନ ଶିକ୍ଷକ ଓ ସ‌ହକାରୀ ଶିକ୍ଷକଙ୍କ ନିସ୍ତୁକ ମାଡ଼ ଭୟ ପିଲାଙ୍କ ମାନସିକ ଅବସ୍ଥାକୁ ବିଚଳିତ କରୁଥିବା ଅଭିଯୋଗ ହୋଇଛି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟରେ ରାଙ୍ଗିକୁ ବନ୍ଦ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବିଭାବକ ଓ ବିଭିନ୍ନ ମହଲରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ