ଉପ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଗାଁ ଗସ୍ତ
ନିମାପଡ଼ା,(ସନ୍ତୋଷ ଦାଶ):ଗାଁର ଝିଅକୁ ଗାଁରେ ସ୍ୱାଗତ ସମ୍ବର୍ଦ୍ଧନା, ଏମିତି ସୌଭାଗ୍ୟ ଖୁବ କମ ଲୋକଙ୍କ ଭାଗ୍ୟରେ ଆସିଥାଏ । ସେମିତି ଏକ ସୌଭାଗ୍ୟ ଆସିଛି ଓଡ଼ିଶାର ପ୍ରଥମ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଜୀବନରେ । କଟକ ଜିଲ୍ଲା ନିଆଳି ବ୍ଲକ ନିଭରଣ ଗ୍ରାମରେ ଜନ୍ମିତ ଶ୍ରୀମତୀ ପରିଡା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କରି ନିଜ ପୈତୃକ ଗ୍ରାମ ଜନ୍ମ ମାଟିକୁ ଆସିଥିଲେ। ପ୍ରଥମେ ତାଙ୍କ ଗାଁରେ ଥିବା ପୂରାତନ ଗ୍ରାମେଶ୍ବର ମହାଦେବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ପରେ ନିଜ ଘରକୁ ଯାଇ କିଛି ସମୟ ରହିଥିଲେ। ଏଥିପାଇଁ ସମଗ୍ର ଗ୍ରାମବାସୀ ଦଳ ମତ ନିର୍ବିଶେଷରେ ତାଙ୍କୁ ନିଭରଣ ସେତୁ ଠାରୁ ଶୋଭାଯାତ୍ରା କରି ଗ୍ରାମକୁ ପାଛୋଟି ନେଇଥିଲେ । ଏହି ଅବସରରେ ଗାଁ ଝିଅକୁ ପାଖରେ ପାଇ ଗ୍ରାମବାସୀ ମାନେ ତାଙ୍କୁ ଗାଁରେ ଥିବା ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଜଣାଇଥିଲେ । ନିଜ ଗାଁରେ ଥିବା ସମସ୍ୟା ଉପରେ ସେ ଗୁରୁତ୍ଵ ଦେବେ ଓ ଯଥାଶୀଘ୍ର ସମସ୍ୟା ସବୁର ଦୂର କରିବାକୁ ଉଦ୍ୟମ କରିବେ ବୋଲି ଗ୍ରାମବାସୀ ମାନଙ୍କୁ ଶ୍ରୀମତୀ ପରିଡ଼ା ପ୍ରତିଶୃତି ଦେଇଥିଲେ। ପୂଣ୍ୟତୋୟା ପ୍ରାଚୀ ନଦୀକୁ ପୂର୍ବ ପରି ସୁନାବ୍ୟା କରାଯିବାକୁ ଓ ଏହାର ଦୁଇ ପାଶ୍ଵରେ ଥିବା ପୂରାତନ ଐତିହ୍ୟ, ମଠ, କୀର୍ତ୍ତିରାଜି, ମନ୍ଦିରକୁ ନେଇ ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀ ସର୍କିଟ କରାଯିବାକୁ ବ୍ୟବସ୍ଥା ହେଉଥିବା ପ୍ରକାଶ କରିଥିଲେ।


