ବସ୍ ଚକାରେ ଚାପି ହୋଇ ଯୁବକ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ନିକଟରେ ଶନିବାର ସକାଳେ ଜଣେ ଯୁବକ ବସରେ ଚଢୁଥିବା ବେଳେ ତଳକୁ ଖସିପଡି ଚକାରେ ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ସୋରଡା ଥାନା ବଡବୋରସି° ଗ୍ରାମର ଜିତେନ୍ଦ୍ର ଗୈାଡ (୨୦) ବୋଲି ଜଣାପଡିଛି। ପ୍ରକାଶ ଯେ, ଶନିବାର ସକାଳେ ସୋରଡା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ (ଓଡି୦୭ଆର ୧୮୨୫) ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ଠାରେ ଯାତ୍ରୀଙ୍କୁ ଓହ୍ଲାଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବସ୍ ଟର୍ମିନାଲ ନିକଟରେ ଯୁବକ ଜଣଙ୍କ ବସରେ ଚଢୁଥିବା ବେଳେ ଅସାବଧାନତା ବଶତଃ ଖସିପଡି ବସର ଆଗ ଚକାରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ବସ୍ କର୍ମଚାରୀ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି ବସକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ । ପ୍ରକାଶ ଥାଉକି, ଆସିକା, ଭଞ୍ଜନଗର, ଫୁଲବାଣୀ, ସୋରଡା, ଦାରିଙ୍ଗିବାଡି, ବାଲିଗୁଡା ପ୍ରଭୃତି ଅଞ୍ଚଳରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ଗୁଡିକ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରକୁ ନଯାଇ ବସ୍ ଟର୍ମିନାଲ ନିକଟସ୍ଥ ୫୯ ନଂ ଜାତୀୟ ରାଜପଥ ଉପରେ ରାଜପଥ ଅବରୋଧ କରି ଯାତ୍ରୀଙ୍କୁ ଓହ୍ଲାଇବା ଓ ଚଳାଉଥିବା ଦୃଶ୍ୟ ନିତିଦିନିଆ ଘଟଣା ପାଲଟିଛି। ଗତ ୪ ତାରିଖରେ ଘଟଣା ସମ୍ପର୍କରେ ପ୍ରଗତିବାଦୀ ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶ ପରେ ହିଞ୍ଜିଳି ପୁଲିସ ଜାତୀୟ ରାଜପଥ ଅବରୋଧ କରି ଯାତ୍ରୀଙ୍କୁ ଗାଡିରେ ଚଢାଉଥିବା ୪ଟି ଘରୋଇ ଯାତ୍ରୀବାହୀ ବସ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଫଳରେ ସମସ୍ତ ବସ୍ ଗୁଡିକ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରକୁ ଯାଇ ଯାତ୍ରୀଙ୍କୁ ଗାଡିରେ ଓହ୍ଲାଉଥିବା ଓ ଚଢାଉଥିବାର ଦେଖିବାକୁ ମିଳିଥିଲା। କିଛି ଦିନର ନିରବତା ପରେ ପୁଣିଥରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଶନିବାର ସକାଳେ ୨ଟି ଯାତ୍ରୀବାହୀ ବସ୍ ପରସ୍ପର ମଧ୍ୟରେ ପ୍ରତିଯୋଗିତା ମୂଳକ ଭାବେ ଯାତ୍ରୀଙ୍କୁ ଗାଡ଼ିରେ ଚଢାଇ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ଏ ନେଇ ଗଞ୍ଜାମ ଜିଲ୍ଲା ମୋଟରଯାନ ନିରୀକ୍ଷକ ରବିନ୍ଦ୍ରନାଥ ଜେନାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ସଂପୃକ୍ତ ଯାତ୍ରୀବାହୀ ବସ୍ ଗୁଡିକ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା।