କଥାକାର ପ୍ରଦୋଷ ମିଶ୍ରଙ୍କୁ ‘ଅକ୍ଷର କଥାକାର ସମ୍ମାନ-୨୦୨୪’
ବାଲେଶ୍ୱର, (ସରୋଜ ପଣ୍ଡା):ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ‘ପ୍ରଜାପତି’ ଅନୁଷ୍ଠାନର ସାହିତ୍ୟ ଶାଖା ‘ଅକ୍ଷର’ର କଥା ସାହିତ୍ୟ ପର୍ବ ‘ଆମ କଥାକାର ଓ ସମ୍ମାନ ପ୍ରଦାନ ଉତ୍ସବ’ ସ୍ଥାନୀୟ ଆତିଥ୍ୟ ସମ୍ମିଳନୀ କକ୍ଷରେ ଏକ ଭାବଗମ୍ଭୀର ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଅଛି । ଏହି କଥା ସାହିତ୍ୟ ଉତ୍ସବଟି ଆମ ମାଟିର ସଫଳ କଥାକାର ପ୍ରଣମ୍ୟ ସ୍ରଷ୍ଟା ସଦାନନ୍ଦ ଦାସଙ୍କ ପବିତ୍ର ସ୍ମୃତିରେ ସମର୍ପିତ ହୋଇଅଛି ।‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବକୁ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ହରେକୃଷ୍ଣ ସାହୁ ଉଦ୍ଘାଟନ କରି କହିଲେ ‘ସାମାଜିକ ଶ୍ରଦ୍ଧା ଓ ସମ୍ବେଦନଶୀଳତାର ସ୍ୱର ଓ ସ୍ୱାକ୍ଷର ବହନ କରୁଥିବା ଗଳ୍ପମାନ ହିଁ କାଳଜୟୀ ।’ କଥାସାହିତ୍ୟ ଜୀବନକୁ ନିର୍ମାଣ କରିବା ସହ ସମାଜକୁ ନିର୍ମାଣ କରୁବୋଲି ସେ ମତବ୍ୟକ୍ତ କରିଥିଲେ ।ମୁଖ୍ୟବକ୍ତା ଭାବେ ଗାଳ୍ପିକ ଓ ଔପନ୍ୟାସିକ ଚିତ୍ତରଞ୍ଜନ ଚିରଞ୍ଜିତ ଯୋଗଦାନ କରି ଭାବ ପ୍ରବାହୀ ଭାଷା ଓ ଉନ୍ନତ ଶୈଳୀ ହିଁ ଗଳ୍ପର ମର୍ଯ୍ୟାଦା ବୃଦ୍ଧି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ ।ସମ୍ମାନୀତ ଅତିଥିଭାବେ କବି ଓ ସଂପାଦକ କୃଷ୍ଣ କୁମାର ମହାନ୍ତି କ୍ଷୁଦ୍ର ଗଳ୍ପ ହେଉଛି ଏକ ସଚେତନ କଳାଶିଳ୍ପ ଓ କଥାକାରର ଆବେଗସିକ୍ତ ଗଭୀର ହୃଦୟାନୁଭୂତିର ପରିପ୍ରକାଶ ବୋଲି କଥା ରଖିଥିଲେ ।କଥାକାର ପ୍ରଦୋଷ ମିଶ୍ରଙ୍କୁ ଚଳିତବର୍ଷ ରାଜ୍ୟସ୍ତରୀୟ ମର୍ଯ୍ୟାଦାଜନକ ‘ଅକ୍ଷର କଥାକାର ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା । ପୁରସ୍କାର ଅର୍ଥରାଶି, ମାନପତ୍ର, ଉପଢୌକନ ଓ ଉତ୍ତରୀୟ ଅତିଥିମାନେ ପ୍ରଦାନ କରିଥିଲେ । ସମ୍ମାନ ଗ୍ରହଣ କରି କଥାକାର ମିଶ୍ର କହିଲେ ଯେ କ୍ଷୁଦ୍ରଗଳ୍ପ ସ୍ୱଳ୍ପତମ ବ୍ୟାପ୍ତି ମଧ୍ୟରେ ବୃହତ୍ତମ ସତ୍ତାକୁ ପ୍ରତିଫଳିତ କରେ ଓ ଅତିକଥନକୁ ପରିହାର କରିଥାଏ । ଏହି ସମ୍ମାନ ମୋତେ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରିଅଛି ।କବି ଓ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ କଥାକାର ପ୍ରଦୋଷ ମିଶ୍ରଙ୍କ ସୃଷ୍ଟି ସଂପର୍କରେ ଏକ ବିଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁଲଗ୍ନା ଶିକ୍ଷା ଅନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ. ଘନଶ୍ୟାମ ବିଶ୍ୱାଳ ଅନୁଭବ କଥାରେ ଶୈଶବରେ ଗପ କେମିତି ଜୀବନକୁ ଗଢ଼ିଥାଏ ସେ ବିଷୟରେ କଥା ରଖିଥିବାବେଳେ ଆଇନଜୀବୀ ପର୍ଶୁରାମ ପ୍ରଧାନ ନିଜ କଥା ରଖିଥିଲେ ।ପ୍ରାରମ୍ଭରେ ସଂପାଦକ ରାଜେଶ ଗିରି ପ୍ରଥମ କଥା ଓ ସଂଯୋଜକ ବିପ୍ଳବ ଦାସ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କବି ମଧୁସୂଦନ ମିଶ୍ର ମାନପତ୍ର ପଠନ କରିଥିଲେ ।ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଲାଭ କରିଥିବା ଯୁବ କଥାକାର ସଂଜୟ ପଣ୍ଡା ଓ କହ୍ନେଇଲାଲ୍ କଥା ସମ୍ମାନ ଗ୍ରହଣ କରିଥିବା କଥାକାର ଚିତ୍ତରଂଜନ ଚିରଞ୍ଜିତଙ୍କୁ ବିଶେଷ ସମ୍ବର୍ଦ୍ଧନା ‘ଆମ ଅକ୍ଷର କଥାକାର-୨୦୨୪’ ପ୍ରଦାନ କରାଯାଇଥିଲା ।
ଉତ୍ସବ ଆରମ୍ଭରେ ‘ସ୍ୱରାଗିଣୀ’ ଅନୁଷ୍ଠାନର ଶିଳ୍ପୀଗଣ ଗୁରୁ ମୋନାଲିସା ମହାନ୍ତିଙ୍କ ପରିଚାଳନାରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିବାବେଳେ ‘ନୃତ୍ୟାୟନ’ର ଶିଳ୍ପୀଗଣ ଗୁରୁ ପ୍ରଦୀପ ବେହେରାଙ୍କ ପରିଚାଳନାରେ ଶେଷ ନୃତ୍ୟ ପରିବେଷଣ କରାଯାଇଥିଲା ।ଶେଷରେ ସମ୍ମାନ ଗ୍ରହଣ କରିଥିବା କଥାକାର ପ୍ରଦୋଷ ମିଶ୍ରଙ୍କୁ ବିଭିନ୍ନ ଅନୁଷ୍ଠାନ ‘ଗଦ୍ୟାଂଶ’, ‘ସୁଲଗ୍ନା’, ‘ସିଦ୍ଧି ବିନାୟକ’, ‘ସାଇ ଶିଶୁ ବିଦ୍ୟାମନ୍ଦିର’, ‘ତୋଷିଳା ଶିକ୍ଷାନୁଷ୍ଠାନ’, ‘ଜ୍ଞାନଶ୍ରୀ’ ପ୍ରଭୃତି ଅନୁଷ୍ଠାନ ତରଫରୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାକୁ ପରିଚାଳନା କରିଥିଲେ ଅମରଜିତ୍ ଦାସ । ଏହି ଉତ୍ସବକୁ ପାର୍ଥସାରଥୀ ସାହୁ, ସରସ୍ୱତୀ ଭୋଇ, ପ୍ରତିମା ତ୍ରିପାଠୀ, ଶୁଭ୍ରାଂଶୁ ପଣ୍ଡା, ରଶ୍ମିତା ଆଚାର୍ଯ୍ୟ, ସଂଜିବ୍ ନାୟକ ସହଯୋଗ କରିଥିବା ବେଳେ ଓ ସନ୍ତୋଷ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।


