ବୃଦ୍ଧାଶ୍ରମରେ ଯୋଗଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ଆନ୍ତର୍ଜାତିକ ବୟସ୍କ ନାଗରିକ ଦିବସ ଅକ୍ଟୋବର ୧ ତାରିଖ ଅବସରରେ ବାଲେଶ୍ୱର ସହରସ୍ଥିତ ସହଦେବଖୁଣ୍ଟା ଚାନ୍ଦମାରୀ ପଡ଼ିଆରେ ଅବସ୍ଥିତ ‘ଅମୃତଧାରା ବୃଦ୍ଧାଶ୍ରମ’ରେ ଏକ ଯୋଗଶିବିର ମା’ ଲଳିତେଶ୍ୱରୀ କାଳୀମନ୍ଦିର ଯୋଗ କେନ୍ଦ୍ର ତରଫରୁ ଅନୁଷ୍ଠିତ ହୋଇଥିଲା । ଏଥିରେ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ଯୋଗ, ପ୍ରାଣାୟାମ ଶିକ୍ଷା ସହିତ ଶେଷ ସମୟରେ ଭଗବାନଙ୍କ ନାମ ଜପ କରିବା ପାଇଁ ସହଜ ଶିକ୍ଷା ପ୍ରଦାନ କରାଯାଇଥିଲା । ସେମାନଙ୍କ ପାଇଁ ରାତ୍ରିଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ଅବସରରେ ଯୋଗ କେନ୍ଦ୍ରର ଯୋଗଗୁରୁ ସୁଜିତ୍ କୁମାର ଜେନା ଯୋଗଶିକ୍ଷା ପ୍ରଦାନ କରିଥିଲେ । କେନ୍ଦ୍ରର ସଭାପତି ପ୍ର. ଜୟସ୍ମିତା ନାୟକ, ଉପସଭାପତି ଶ୍ରୀମତୀ ରୀତା ରାଉତଙ୍କ ସମେତ ଶ୍ରୀମତୀ ଜ୍ୟୋତ୍ସ୍ନାଲତା ଜେନା, ସୁଜାତା ପଣ୍ଡା, ହରପ୍ରିୟା ରଣା, ମୀନା ସେଠୀ, ଲୁନା ପତି, ବ୍ୟାସଦେବ ରାଉତ, ସଞ୍ଜୟ ସେନାପତି, ମୋନାଲିସା ସେନାପତି, ରାଧାକାନ୍ତ ଦାସ, ମିନତୀ ଦାସ ଓ ଶଶୀକାନ୍ତ ମହାନ୍ତି ପ୍ରଭୃତି ଅନ୍ତେବାସୀମାନଙ୍କ ସହିତ ଅନ୍ତରଙ୍ଗ ଆଳାପ ଆଲୋଚନା ମାଧ୍ୟମରେ ସେମାନଙ୍କର ମାନସିକ ଅବସ୍ଥାର ପରିବର୍ତ୍ତନ ପାଇଁ ଯୋଗର ଆବଶ୍ୟକତାକୁ ବୁଝାଇଥିଲେ । ବୃଦ୍ଧାଶ୍ରମର ସହାୟକ ପ୍ରଭାତ ବାବୁ ଓ ଅନ୍ୟମାନେ ସହଯୋଗ କରିଥିଲେ ।