ପିସିଆର ଚାଳକ ମୃତଦେହ ଉଦ୍ଧାର ଘଟଣା
ପାରାଦୀପ,(ୱାଏନଏସ): ପାରାଦୀପ ଆଦର୍ଶଥାନା ଅଞ୍ଚଳରେ ଗତ ଅଗଷ୍ଟ ୩୧ ତାରିଖରେ ଜଣେ ଯୁବକର ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଥିଲା।ଏହି ଘଟଣାକୁ ନେଇ ଗୁରୁବାର ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି।ସମାଜସେବୀ ସତ୍ୟପ୍ରକାଶ ମହାନ୍ତିଙ୍କ ଅଭିଯୋଗ କ୍ରମେ କମିଶନ ୩୦୦୦/୨୦୨୪ ରେ ମାମଲା ରୁଜୁ କରିଛନ୍ତି।ଏହି ଘଟଣା ଏହା ମଧ୍ୟରେ ଅଢେ଼ଇ ମାସ ଅତିକ୍ରମ କରିଥିଲେ ହେଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।ମୃତକ ହେଲେ ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ମଧୁବନ ବଙ୍ଗାଳୀପଡା ବାସିନ୍ଦା ସୁନିଲ ମଣ୍ଡଳଙ୍କ ପୁତ୍ର ସୁକେଶ।ସେ ପୋଲିସ ପିସିଆର ଗାଡ଼ି ଚାଳକ ଭାବେ କାମ କରୁଥିଲେ।ଗତ ଅଗଷ୍ଟ ୨୦ ରେ ନିଖୋଜ ହୋଇ ଯାଇଥିଲେ ବୋଲି ତାଙ୍କ ବାପା ସୁନିଲ ପାରାଦୀପ ଆଦର୍ଶଥାନାରେ ପରଦିନ ଅର୍ଥାତ ଅଗଷ୍ଟ ୨୧ ରେ ଅଭିଯୋଗ କରିଥିଲେ।ପୋଲିସ ଏହା ଉପରେ ସେପରି କୌଣସି ପଦକ୍ଷେପ ନେଇ ନ ଥିଲା।ଅଗଷ୍ଟ ୩୧ ରେ ମଧୁବନ ଟେଲିଫୋନ କଲୋନୀ ରାସ୍ତା ପାଖ ବଣୁଆ ଜାଗାରୁ ସୁକେଶ ଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା।ପରେ ତାଙ୍କ ବାପା ଏହି ଘଟଣାରେ ଏକ କମ୍ପାନୀ ମ୍ୟାନେଜର ଓ ଜଣେ ମହିଳାଙ୍କ ସଂପୃକ୍ତି ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୨୧୯/୨୪ ରେ ମାମଲା ରୁଜୁ କରିବା ସହ ଶବକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଇଥିଲେ।ଏପର୍ଯ୍ୟନ୍ତ ଘଟଣାର ସତ୍ୟତା ସାର୍ବଜନୀନ ହୋଇନାହିଁ କି କାହାକୁ ଗିରଫ କରାଯାଇନାହିଁ।ଏବେ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହେବା ପରେ ଘଟଣା ନୂଆ ମୋଡ ନେବ ବୋଲି ଚର୍ଚ୍ଚା ହେଉଛି।