ଅହଳା ନବମୀରେ ଭିଆଇପି ପାସ୍ ଦୁରୁପଯୋଗ ଅଭିଯୋଗ
ସାକ୍ଷୀଗୋପାଳ, ୧୮।୧୦(ୱାଏନଏସ):ପୁରୀ ଜିଲ୍ଲାର ଦ୍ବିତୀୟ ବୃହତମ ଗଣପର୍ଵ ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ତିଥିରେ ଶ୍ରୀରାଧା ପାଦଦର୍ଶନ ଏବଂ ବଡଏକାଦାଶୀ ରେ ଲକ୍ଷ୍ମୀ ନାରାୟଣ ବେଶ ନଭେମ୍ବର ମାସ ୧୦ ଓ ୧୨ ତାରିଖରେ ଅନୁଷ୍ଠିତ ହେବ। ବର୍ଷକୁ ଥରେ ରାଧା ପାଦ ଦର୍ଶନ ସୁଯୋଗରେ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ କୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଭଳି ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ଶୃଙ୍ଖଳିତ ଦର୍ଶନ ଓ ୩ ଵ୍ୟାପି ସାଂସ୍କୃତିକ ସମୋରୋହ ପଲ୍ଲୀଶ୍ରୀ ମେଳା ସରସ ସୁନ୍ଦର କରିବା ନିମନ୍ତେ ପ୍ରଥମ ସମନ୍ୱୟ ବୈଠକ ୧୭ ତାରିଖ ରେ ପଞ୍ଚସଖା ପାଠାଗାର ରେ ଅନୁଷ୍ଠିତ ହୋଇଥିଲା। ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ । ଭିଆଇପି ପାସ୍ ର ବ୍ୟାପକ ଦୁରୁପଯୋଗ କରାଯାଉଛି। ମନ୍ଦିର ସମ୍ମୁଖ ଵାରିକେଟ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ସାଧାରଣ ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ରହିଥିବା ବେଳେ ଭିଆଇପି ପାସରେ ଦର୍ଶନପାଇଁ ମନ୍ଦିର ପଛରେ ଗଳାବାଟ ଦେଇ କିଛି ଶ୍ରଦ୍ଧାଳୁ ପ୍ରବଳ ଭିଡ ଲାଗାଉଛନ୍ତି। ଯାହାକୁ ନେଇ ପ୍ରତି ବର୍ଷ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ବୋଲି ବିଧାୟକ ଶ୍ରୀ ମିଶ୍ର ବୈଠକରେ ଉଦବେଗ ପ୍ରକାଶ କରିଥିଲେ। ପଚିଶି ଶହ ଭିଆଇପି ପାସ୍ କରାଯାଇ କିପରି ୨୫ ହଜାର ରୁ ଅଧିକ ଲୋକ ଭିଆଇପି ଗେଟରେ ଦର୍ଶନପାଇଁ ଭିଡ ଲାଗିବା ଘଟଣା କୁ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶନ କୁ ନେଇ ସାମ୍ବାଦିକ ଙ୍କ ବିରୁଦ୍ଧରେ ଅଧିକାରୀ କେସ କରିବା କୁ ବୈଠକରେ ଅଭିଯୋଗ ହୋଇଥିଲା। ଏହି ବ୍ୟବସ୍ଥା କୁ କଡାକଡି କରିବା ନିମନ୍ତେ ବିଧାୟକ ପୋଲିସ ଓ ଉପସ୍ଥିତ ଉଚ୍ଚ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଶ୍ରଦ୍ଧାଳୁ ମାନଙ୍କୁ ଆତିଥ୍ୟସେବା ଯୋଗାଇ ଦେବା ସଭିଙ୍କ କର୍ତ୍ତବ୍ୟ ଭାବି କାମ କରିବାକୁ ସେ କହିଥିଲେ। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ସ୍କେଚମ୍ୟାପ ପୋଲିସ ବିଭାଗ ପ୍ରସ୍ତୁତ କରିବାସହ, ଅଧିକ ସଂଖ୍ୟକ ପୋଲିସ ମୁତୟନ କରିବା ସମ୍ପର୍କରେ ସୂଚନା ଦେଇଥିଲେ ଅତିରିକ୍ତ ଏସ ପି ଵିଷ୍ଣ ପ୍ରସାଦ ପତି। ପ୍ରାରମ୍ଭରେ ସେଵାୟତ ଶ୍ମଶାନ ନିର୍ମାଣ, ମନ୍ଦିର ହୁଣ୍ଡି ଆୟରୁ ପାଉଣା ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେଵାୟତ ସଂଘ ଦେବନୀତି ନିର୍ଘଣ୍ଟ ପ୍ରଦାନ କରିବ ନାହିଁ ବୋଲି କର୍ମକର୍ତ୍ତା ମାନେ ସୂଚନା ଦେଇଥିଲେ। ୨ୟ ସମ୍ମନ୍ବୟ ବୈଠକ ପୂର୍ବରୁ ସେବାୟତ ଙ୍କ ଦାବି ସମାଧାନ କରିବା ନିମନ୍ତେ ବିଧାୟକ ଉପସ୍ଥିତ ସହକାରୀ ଦେବୋତ୍ତର କମିଶନର ଶିଶିର କୁମାର ସାହୁ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ନିଜେ ମନ୍ଦିର ଫୁଲସଜ୍ଜା ଦାୟିତ୍ୱ ନେଵା ସହ ଅଁଳାନବମୀ ସାଂସ୍କୃତିକ ସମାରୋହ ନିମନ୍ତେ ସଂସ୍କୃତି ବିଭାଗକୁ ବିଧାୟକ ଆବଶ୍ୟକ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ପୁରୀ ଉପଜିଲ୍ଲାପାଳ ଗୋପିନାଥ କୁଅଁର ବୈଠକ ପରିଚାଳନା କରି ପରଷ୍ପର ଉତ୍ତମ ସମ୍ମନ୍ବୟ ରଖି ଏହି ଯାତ୍ରାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କ୍ରୀଡା ନିମନ୍ତେ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମେଳାପଡିଆରେ କେବଳ ସରକାରୀ ପ୍ରଦର୍ଶନୀ ମଣ୍ଡପ ଖୋଲାଯିଵାକୁ ସ୍ଥିରୀକୃତ ହୋଇଥିଵା ବେଳେ ପାଷ୍ଟଫୁଡ ଦୋକାନ ଗୁଡ଼ିକୁ ଅନ୍ୟତ୍ର ଖୋଲିବାକୁ ସ୍ଥିର ହୋଇଛି ।ସେହିଭଳି ଯାତ୍ରା ପୂର୍ବରୁ ଛାୟାପ୍ରଦ ବାରିକେଡ, ଅଗ୍ନି ନିରାପତ୍ତା, ରାସ୍ତା ମରାମତି,ପନୀୟ ଜଳ , ସ୍ୱାସ୍ଥ୍ୟ ଓ ପରିମଳ ,ବିଦ୍ୟୁତ ସେବା , ସଫେଇ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ପ୍ରଶାସନର ଅନିୟମିତା ଓ ବେଆଇନ କାର୍ଯ୍ୟକଳାପ ଜଣାପଡିବା ପରେ ପ୍ରତି ମାସରେ ନିୟମିତ ପରିଚାଳନା ପରିଷଦ ବୈଠକ ର ନିଷ୍ପତ୍ତି ସମ୍ପର୍କରେ ଦେବୋତ୍ତର ବିଭାଗ କୁ ଅବଗତି କରିବା ନେଇ ସହକାରୀ ଦେବୋତ୍ତର କମିଶନର ଶିଶିର କୁମାର ସାହୁ ଉପସ୍ଥିତ ପରିଚାଳନା କମିଟି କୁ ନିର୍ଦ୍ଦେଶ ଦେଇଥିଲେ। ପର୍ବ ହେଉ କିମ୍ବା ଦେବନୀତି ପାଇଁ ଆବଶ୍ୟକୀୟ ଅର୍ଥ ନିୟମ ଅନୁସାରେ ମଞ୍ଜୁର ଦେବାରେ ପ୍ରତିବନ୍ଧକ ରହିବ ନାହିଁ ବୋଲି କମିଶନର ଶ୍ରୀ ସାହୁ ବୈଠକରେ ସ୍ପଷ୍ଟ କରିଥିଲେ। ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁନୀଲ ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ତହସିଲଦାର ଆଲୋକ ଦେହୁରୀ, ବିଡ଼ିଓ ଲିପ୍ସା ରାୟ , ଆଇଆଇସି ଉମେଶ କୁମାର ସାହୁ, ଅଗ୍ନିଶ୍ରମ ଅଧିକାରୀ ମନୋଜ ପାତ୍ର , ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡାକ୍ତର ପ୍ରୀତମ ବାଗ, ସେବାୟତ ସଂଘ ସଭାପତି ଅଶୋକ ଖୁଣ୍ଟିଆ, ଉପସଭାପତି ସଞ୍ଜୟ ନନ୍ଦ, ସମ୍ପାଦକ ପ୍ରତାପ ମହାପାତ୍ର ଓ କର୍ମକର୍ତ୍ତା, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁ ପ୍ରିୟା ବରାଳ, ଜୟପୁର ସମିତି ସଭ୍ୟ ଦିପକ ଶତପଥି, ସରପଞ୍ଚ ଆରାଧନା ସାମନ୍ତରାୟ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ ପ୍ରମୁଖ ବିଭାଗୀୟ ଅଧିକାରୀ, ଇଞ୍ଜିନିୟର, ଶିକ୍ଷକ, ବ୍ୟାଙ୍କ ଅଧିକାରୀ, ସ୍ଥାନୀୟ ସ୍ବେଚ୍ଛାସେବୀ ଓ ବୁଦ୍ଧିଜିବୀ ଯୋଗ ଦେଇଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଵିଶ୍ବବାସି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।