ଆସିକାରେ ପ୍ରଥମାଷ୍ଟମୀ ପାଳିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ହିନ୍ଦୁ ସଂପ୍ରଦାୟର ଘରେ ଘରେ ଶନିବାର ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳିତ ହୋଇଯାଇଛି । ଏହି ଦିନରେ ପ୍ରଥମ ଜାତ ସନ୍ତାନ ନବବସ୍ତ୍ର ପରିଧାନ କରିଥିଲା ବେଳେ ମା’ ମାନେ ଜ୍ୟେଷ୍ଠ ସନ୍ତାନ ସନ୍ତତିଙ୍କ ଶୁଖ ସମୃଦ୍ଧି ଓ ଦୀର୍ଘ ଜୀବନ କାମନା କରି ବନ୍ଦାପନା କରିଥାନ୍ତି । ଜ୍ୟେଷ୍ଠ ପୁତ୍ର/ପୁତ୍ରୀ ମାନେ ପ୍ରଥମାଷ୍ଟମୀ ଅବସରରେ ନୂଆଁ ଲୁଗା ପରିଧାନ କରିଥିଲା ବେଳେ ବିଧିବିଧାନ ଅନୁଯାୟୀ ସେମାନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଦିନରେ ମା’ ମାନେ ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସ ପୂଜା ଓ ବରୁଣ ପୂଜା ସାଙ୍ଗକୁ ମା’ ଷଠୀ ଦେବୀଙ୍କର ପୂଜାର୍ଚ୍ଚନା କରିଥିଲେ । ପ୍ରଥମାଷ୍ଟମୀ ଅବସରରେ ହିନ୍ଦୁ ସଂପ୍ରଦାୟର ଘରେ ଘରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ମାର୍ଗଶୀର ମାସ କୃôଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଇଥାଏ ପ୍ରଥମାଷ୍ଟମୀ । ହିନ୍ଦୁ ଧର୍ମାବଲମ୍ବୀଙ୍କ ଏହା ହେଉଛି ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ, ପାପନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ । ପ୍ରଥମାଷ୍ଟମୀ ଅବସରରେ ଜ୍ୟୋଷ୍ଟ ସନ୍ତାନର ସୁଖସମୃଦ୍ଧି ଓ ଦୀର୍ଘ ଜୀବନ ପାଇଁ ଷଠି ଦେବୀଙ୍କ ନିକଟରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଘରର ଜ୍ୟୋଷ୍ଟ କନ୍ୟା ବା ପୁତ୍ର ନୂଆଁ ବସ୍ତ୍ର ପ୍ରଥମାଷ୍ଟମୀ ଅବସରରେ ପରିଧାନ କରିଥିଲେ । ପିଢା ଉପରେ ସେମାନଙ୍କୁ ବସାଯାଇ ଫୁଲଚନ୍ଦନରେ ଠାକୁରଙ୍କ ସମ୍ମୁଖରେ ବନ୍ଦାପନା କରାଯାଇଥିଲା । ଘରର ଜ୍ୟୋଷ୍ଟ ସନ୍ତାନଙ୍କ ଦୀର୍ଘାୟୁ କାମନା କରି କାହିଁ କେଉଁ ଆବାହମାନ କାଳରୁ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ପ୍ରଥମାଷ୍ଟମୀ ପୂଜା ପାଳିତ ହେଉଥିବା ନଜିର ରହିଛି । ପ୍ରଥମାଷ୍ଟମୀ ତିଥିରେ ଶ୍ରଦ୍ଧାଳୁ ମହିଳାମାନେ ଜ୍ୟେଷ୍ଠ ସନ୍ତାନଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ଷଷ୍ଠୀ ଦେବୀଙ୍କୁ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ