ରଙ୍ଗ ନାୟକ
କେତେ ରଙ୍ଗ ନେଇ
ତୋ ଦେହେ ବୋଳିଛୁ
କୁହରେ କାଳିଆ କୁହ,
କଳା ଧଳା ରଙ୍ଗ
ଦେଖେ ଆଖି ମୁହଁ
କେଉଁ ତତ୍ତ୍ଵ ପ୍ରଭୁ କୁହ ।
କେତେକେତେ ରଙ୍ଗ
ଜଗତେ ଭରିଛି
ଦୁଇଟି ରଙ୍ଗେ ତୋ ଶ୍ରଦ୍ଧା,
ଆଉ ଯେତେ ରଙ୍ଗ
ସମସ୍ତଙ୍କୁ ଦେଇ
ହରିଛ ମନର ବାଧା ।
ତୋ ଆଖି ମୋ ଆଖି
ଡୋଳା ଲେଉଟିଲେ
ଧଳା ମଧ୍ୟେ କଳା ଦିଶେ,
ଦାଢି ଛାଡି ଦେଲେ
ତୋ ମୁହଁଟି କଳା
କଳା ଧଳା ମୋର ମିଶେ ।
ତୁମେ ପରଂବ୍ରହ୍ମ
ଜନ୍ମ ମୃତ୍ୟୁ ଉର୍ଦ୍ଧେ
ସଦା ଯୁବା ନାହିଁ ଜରା,
ରଖ ବା ନରଖ
ଦାଢିକୁ ତୁମର
ଶ୍ରୀମୁଖ କଳାରେ ତ୍ତ୍ୱରା।
ଏକଥା ନବୁଝି
ଏ ଜଗତ ଜନ
ନିତି ସଜ ହେଉଥାନ୍ତି,
ଯେତେ ସଜେଇଲେ
କି ହୋଇବ ଆଜ
ସତ କେବେ ନଲୁଚନ୍ତି ।
ଚିରନ୍ତନ ସତ୍ୟ
ଦିନ ପରେ ରାତି
ଆଲୋକ ଅନ୍ଧାର ଖେଳ,
କଳା ଧଳା ମଧ୍ୟେ
ଜଗତ ଲୁଚିଛି
ଆମେ ଡାଳ ତୁମେ ମୂଳ ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ