ଆକ୍ସନ ମୋଡରେ ଛତ୍ରପୁର ଯୁବ ବିଧାୟକ

ଗଂଜାମ, (ବିନୋଦ ପଲାଇ):ଆକ୍ସନ ମୋଡରେ ନବନିର୍ବାଚିତ ଛତ୍ରପୁର ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ଅଭିଯୋଗ ଆସିଲେ ଅଚାନକ ସେହି ଅଞ୍ଚଳକୁ ଗସ୍ତ କରି ସମସ୍ୟା ତଦାରଖ କରିବା ସହ ବିଭାଗୀୟ ଅଧିକାରୀଙ୍କୁ କରୁଛନ୍ତି ତାଗିଦ । ହଠାତ୍ ବିଧାୟକଙ୍କୁ ଦେଖି ସମସ୍ତେ ଘାବରେଇ ଯାଉଛନ୍ତି । କେତେବେଳେ ସ୍କୁଲ ଯାଇ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ତ, କେତେବେଳେ ମେଡ଼ିକାଲ ଯାଇ କିଛି ଆର୍ଥିକ ସହାୟତା ଯୋଗାବା ସହ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ବିଷୟରେ ପଚାରି ବୁଝୁଛନ୍ତି । ମାସକ ମଧ୍ୟରେ ପାଳିବନ୍ଧ ସ୍କୁଲ, ହୁମ୍ମା ଓଭର ବ୍ରିଜ, ଛତ୍ରପୁର ଲେବର ଅଫିସ ଅଚାନକ ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ସୂଚନା ଅନୁଯାୟୀ ବୁଧବାର ଚାଷୀ ଠାରୁ ଅଭିଯୋଗ ଶୁଣିବା ପରେ ଅଚାନକ ନିଜ ନିର୍ବାଚନ ମଣ୍ଡଳୀର ଗଞ୍ଜାମ ବ୍ଳକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ କଲ୍ୟାଣପୁର ହୀରାଧାର ବାଟି କେନାଲ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ଯାହାକୁ ନେଇ ଠିକାଦାର ଓ ଅଫିସର ମାନଙ୍କ ମଧ୍ୟରେ ଛନକା ପଶିଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ହିରାଧରବାଟି କେନାଲ ନବୀକରଣ ଓ ପୁନରୁଦ୍ଧାର ନିମନ୍ତେ ୮ କୋଟି ୪୩ ଲକ୍ଷ ୮୭ ହଜାର ଅର୍ଥ ଅନୁଦାନ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ରାଜ୍ୟ ସରକାର କୃଷି ଓ କୃଷକଙ୍କୁ ଗୁରୁତ୍ଵ ଦେଇ କୃଷି କ୍ଷେତ୍ରରେ ସୁଧାର ଆଣିବା ଲକ୍ଷ୍ୟରେ ଚାଷଜମି କେନାଲ ଗୁଡ଼ିକର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ କରାଯାଉଛି । ଏହି କାର୍ଯ୍ୟର ମାନ ନିରୂପଣ କରିବାକୁ ବିଧାୟକ ନିର୍ମାଣାଧୀନ କେନାଲ ମଧ୍ୟ ଭାଗରେ ପହଞ୍ଚି ଶାବଳ ଧରି କେନାଲ ନିର୍ମାଣ କାର୍ଯ୍ୟର ମାନ ଯାଞ୍ଚ କରିଥିଲେ । କଂକ୍ରିଟ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଦେଖିଥିଲେ । କଂକ୍ରିଟ ୬ ଇଞ୍ଚ ହେବା ସ୍ଥାନରେ ୪ ଇଞ୍ଚ ହୋଇଥିବା ବେଳେ କଂକ୍ରିଟ କାମ ବହୁତ ନିମ୍ନ ମାନର ହୋଇଥିବା ଦେଖି ଏକ ବର୍ଷ ମଧ୍ୟରେ ଏହି କେନାଲର ଅବସ୍ଥା ଶୋଚନୀୟ ହେବା ଆଶଙ୍କା ପ୍ରକାଶ କରିଥିଲେ । ତୁରଂତ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରି କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମରେ ଏକ ବୈଠକ କରି ଏହି କାର୍ଯ୍ୟ ତଦାରଖ କରିବାକୁ ଚାଷୀଙ୍କୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ