ସହିଦ୍ ଉମାକାନ୍ତ ପଟ୍ଟନାୟକ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣମେଣ୍ଟ ଉଦ୍‌ଯାପିତ

ଆସିକା, (ୱାଇଏନ୍‍ଏସ୍‍):ଆସିକା ଏନ୍‌ଏସି ଅଧିନସ୍ଥ ଲାଲାଶାସନ ସ୍ଥିତ ଅମରନାଥ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ସବଜେଲ୍ ସମ୍ମୁଖସ୍ଥ ପଡିଆରେ ଗତ ଜାନୁୟାରୀ ମାସ ୨୩ ତାରିଖଠାରୁ ଚାଲିଆସିଥିବା ସହିଦ୍ ଉମାକାନ୍ତ ପଟ୍ଟନାୟକ ମେମୋରିଆଲ୍ ୨୦-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଅମରନାଥ କ୍ରିକେଟ କ୍ଳବର ସକ୍ରିୟ ସଭ୍ୟ ସୀତାରାମ ହୋତା (ବୁବୁନା) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଦିବସ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆସିକା ଏନ୍‍ଏସିର ନଗରପାଳିକା ବିନେତା ସ୍ୱାଇଁ, ସମାଜସେବୀ ବଂଶୀଧର ନାହାକ, ତାଲୁକା ଅଞ୍ଚଳର ବରିଷ୍ଠ ନାଗରିକ ରାଜକିଶୋର ପଟ୍ଟନାୟକ, ଆସିକା ସବ୍‍ଜେଲ୍‍ ଅଧୀକ୍ଷକ ଖଗେଶ୍ୱର ସିଂ, ରାଜ୍ୟସ୍ତରୀୟ ଶ୍ରମିକ ସଂଘ ନେତା ଗଙ୍ଗାଧର ପାଣିଗ୍ରାହୀ, ଯୁବ ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ, ଶିବପ୍ରସାଦ ଶତପଥୀ, ରୋମନ୍‍ ବୈଠାରୁ, ସତ୍ୟନାରାୟଣ ସ୍ୱାଇଁ, ଆସିକା ଏନ୍‍ଏସି କାଉନସିଲର ନିଗମାନନ୍ଦ ରାଉତ ଓ ସରୋଜ କୁମାର ଭଂଜ, ଅବସରପ୍ରାପ୍ତ ସାମରିକ କର୍ମଚାରୀ ବିପିନ୍‍ ବିହାରୀ ଦାଶ ପ୍ରମୁଖ ଯୋଗଦେଇ ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳୀଙ୍କୁ ଉତ୍ସାହିତ କରିବା ସହ ଏହି କ୍ରୀଡା ପ୍ରତିଯୋଗିତା ଖେଳାଳୀମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ବିଶେଷ ସହାୟକ ହେଉଥିଲା ବେଳେ କ୍ରୀଡାବିତ୍‍ ମାନେ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ଭଲ ଖେଳାଳୀ ହୋଇ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ଖେଳରେ ସୁନାମ ଅର୍ଜନ କରିବାକୁ ଆହ୍ୱାନ କରିଥିଲେ । ଗତ ୨୩ ତାରିଖରୁ ଚାଲିଆସିଥିବା ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୬ଟି ଦଳ ଅଂଶଗ୍ରହଣ କରିଥିଲା ବେଳେ ଉଦ୍‌ଯାପନୀ ମ୍ୟାଚ୍‌ରେ ମୁଣ୍ଡମରାଇ ଗ୍ୟାଲେକ୍ସି ଇଲେଭେନ୍‍ କ୍ରିକେଟ୍ କ୍ଳବ ସହ ସୋରଡା ଋଷିକୁଲ୍ୟା କ୍ରିକେଟ୍ କ୍ଳବ ମଧ୍ୟରେ କଡ୍ଡା ମୁକାବିଲା ହୋଇଥିଲା । ସୋରଡା ଋଷିକୁଲ୍ୟା କ୍ରିକେଟ୍ କ୍ଳବକୁ ହରାଇ ମୁଣ୍ଡମରାଇ ଗ୍ୟାଲେକ୍ସି ଇଲେଭେନ୍‍ କ୍ରିକେଟ୍ କ୍ଳବ ଚାମ୍ପିୟନ ହୋଇଥିଲା । ସୋରଡା ଋଷିକୁଲ୍ୟା କ୍ରିକେଟ୍ କ୍ଳବ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ୍ ହରାଇ ୧୯୮ରନ୍ ସଂଗ୍ରହ କରିଥିଲା ବେଳେ ଜବାବରେ ମୁଣ୍ଡମରାଇ ଗ୍ୟାଲେକ୍ସି ଇଲେଭେନ୍‍ କ୍ରିକେଟ କ୍ଳବ ୧୪.୫ଓଭର୍‌ରେ ମାତ୍ର ୪ ୱିକେଟ୍ ହରାଇ ୨୦୨ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଥିବା ମୁଣ୍ଡମରାଇ କ୍ରିକେଟ୍ କ୍ଳବକୁ ଟ୍ରଫି ସହ ୧୭ହଜାର ୧ ଟଙ୍କାର ବ୍ୟାଙ୍କ ଚେକ୍ ଓ ରନର୍ସଅପ୍ ହୋଇଥିବା ସୋରଡା ଋଷିକୁଲ୍ୟା କ୍ରିକେଟ୍‍ କ୍ଳବକୁ ଟ୍ରଫି ସହ୍ ୧୨ହଜାର ୧ଟଙ୍କାର ବ୍ୟାଙ୍କ ଚେକ୍ ପ୍ରଦାନ କରାଯାଇଥିଲା । ଅମରନାଥ କ୍ରିକେଟ କ୍ଳବର ସକ୍ରିୟ ସଭ୍ୟ ସୀତାରାମ ହୋତା (ବୁବୁନା) , ହିତେଶ୍‍ ସାହୁ, ବାଲ୍ମିକୀ ପରିଡା, ଏମ୍‍.ପ୍ରେମାନନ୍ଦ ରେଡି, ନିଳଚକ୍ର ମହାରଣା, ଶିବପ୍ରସାଦ ଶତପଥୀ, ମନୋଜ କୁମାର ପାଢୀ, କାଳୀଚରଣ ବିଶ୍ୱାଳ, ଟି.ତ୍ରିଲୋଚନ ପାତ୍ର, ବିଶ୍ୱ ପୋଲାଇ, ପ୍ରଶାନ୍ତ କୁମାର ଦାଶ, ସୁନିଲ୍‍ କୁମାର ଗୌଡ, ପଦ୍ମଲୋଚନ ଶତପଥୀ, ଚନ୍ଦନ ସେଠୀ, ବିକାଶ ନାୟକ, ଯୋଗୀ ପାତ୍ର, ସୁନିଲ୍‍ ମହାରଣା, ରାହୁଳ ମୁନିଙ୍କ ସମେତ କ୍ଳବର ସଭ୍ୟମାନେ ଏହି କ୍ରିକେଟ୍ ପ୍ରତିଯୋଗିତାକୁ ପରିଚାଳନା କରିବା ଦିଗରେ ସହଯୋଗ କରିଥିବା ବେଳେ ଏହି କ୍ରିକେଟ ପ୍ରତିଯୋଗିତାକୁ ଦେଖିବା ଲାଗି କ୍ରୀଡାପ୍ରେମୀଙ୍କ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଫାଇନାଲ ମ୍ୟାଚରେ ଏମ୍ପାୟାର ରୂପେ ସତେନ୍ଦ୍ର କୁମାର ହୋତା ଓ ମିଥୁନ ବିଷୋୟୀ, ସ୍କୋରର ରୂପେ ନାରାୟଣ ନାହାକ ଓ ବଳରାମ ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲା ବେଳେ ଟି.ତ୍ରିଲୋଚନ ପାତ୍ର ଓ ପ୍ରଶାନ୍ତ କୁମାର ଡାକୁଆ ଧାରାବିବରଣୀ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ