କଟକ ଆସିବେ ରାଷ୍ଟ୍ରପତି: ରେଭେନ୍ସା ବିଶ୍ବବିଦ୍ୟାଳୟର ସମାଵର୍ତନ ଉତ୍ସବରେ ଦେବେ ଯୋଗ
କଟକ,(ଓ୍ବାଇଏନଏସ): ଜୁଲାଇ ୧୪ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତର ପ୍ରଥମ ଦିନରେ ଭୁବନେଶ୍ବର ଏମ୍ସର ପଞ୍ଚମ ସମାବତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ । ସେହିପରି ୧୫ ତାରିଖରେ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ରେଭେନ୍ସା ଗାର୍ଲସ୍ ହାଇସ୍କୁଲର କାର୍ଯ୍ୟକ୍ରମ ଏବଂ ଇଣ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ସାରଳା ସାହିତ୍ୟ ସଂସଦର ସମାରୋହରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ସର୍କିଟ ହାଉସ୍ରେ ମଧ୍ୟାହ୍ନ ଭୋଜନ କରିବେ । ରାଷ୍ଟ୍ରପତି କଟକ ଆସୁଥିବା ନେଇ ଚିଠି ଆସିବା ପରେ ତତ୍ପର ହୋଇଉଠିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଡ଼ଃ ଲୁନା ସାମନ୍ତଙ୍କ ସୂଚନା ଅନୁସାରେ, ସମାବର୍ତ୍ତନ ଉତ୍ସବ ଅବସରରେ ବିଶ୍ବବିଦ୍ୟାଳୟ ୮୪ ଜଣ ୟୁଜି ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୬ ଜଣ ଛାତ୍ରଛାତ୍ରୀଙ୍କୁ ସର୍ବଶ୍ରେଷ୍ଠ ସ୍ନାତକ, ୭୬ ଜଣ ସ୍ନାତକୋତର ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୧୪୪ ଜଣଙ୍କୁ ପିଏଚଡ଼ି, ଜଣେ ଡିଲିଟ ,ଜଣେ ଡ଼ିଏସସି ପାଇବେ ଓ ୪ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯିବ । କଟକ ସାଂସଦ ଭର୍ତ୍ତୃହରି ମହତାବ, ଭାବା ଆଣବିକ ଅଧ୍ୟୟନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ପଦ୍ମଶ୍ରୀ ସାବରମତୀ ଏବଂ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ବିଜୟ କୁମାର ରଥଙ୍କୁ ସମ୍ମାନ ଜନକ ଡିଲିଟ ଉପାଧି ପ୍ରଦାନ କରାଯିବ । ୧୫ ତାରିଖ ଦିନ ୧୧ରୁ ୧୨ଟା ମଧ୍ୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏଥିସହ ୩ ବର୍ଷର କୃତି ଛାତ୍ରଛାତ୍ରୀଙ୍କୁ ଏହି ଉପାଧି ପ୍ରଦାନ କରାଯିବ । ପୂର୍ବରୁ ୩ ବର୍ଷ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସମାଵର୍ତନ ଉତ୍ସବ ହୋଇପାରିନଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ ବୋଲି ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଡ଼ଃ ଲୁନା ସାମନ୍ତ କହିଛନ୍ତି ।