ଯୁବ ରେଡ୍କ୍ରସ୍ କାର୍ଯ୍ୟକାରିଣୀ ବୈଠକ
ଛତ୍ରପୁର(ଓ୍ବାଇଏନଏସ) : ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲା ଯୁବ ରେଡ୍କ୍ରସ୍ ତରଫରୁ ଜିଲ୍ଲାସ୍ତରୀୟ ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ରେଡ୍କ୍ରସ୍ ସଭାପତି ଡକ୍ଟର ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାର ପ୍ରଥମ ଅଧିବେଶନରେ ଯୁବ ରେଡ୍କ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସ୍ୱାଇଁ ଓ ଉଚ୍ଚଶିକ୍ଷା ଆଞ୍ଚଳିକ ଉପ ନିର୍ଦ୍ଦେଶକ ଡ. ସୁଶାନ୍ତ ଦାଶ ଉପସ୍ଥିତ ରହି ଯୁବ ରେଡ୍କ୍ରସ୍ ଦ୍ୱାରା ସମାଜ ସେବା ଓ ଯୁବ ଶକ୍ତିର ଅବଦାନ ବିଷୟରେ ମତ ବ୍ୟକ୍ତ କରିଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ଶ୍ରୀ ଲକ୍ଷ୍ମଣ ସ୍ୱାଇଁ ତାଙ୍କ ଉଦ୍ବୋଧନରେ କହିଲେ, “ଆଜିର ଯୁବପିଢି ହେଉଛନ୍ତି ଦେଶର ଭବିଷ୍ୟତ । ଯଦି ସେମାନେ ସମାଜ ସେବା ଓ ମାନବିକତାର ମୂଲ୍ୟ ବୁଝି ତାହାକୁ ନିଜ କର୍ମରେ ଲଗାଇବେ, ତେବେ ଆମ ସମାଜ ପ୍ରଗତୀ ପଥରେ ଆଗେଇଯିବ । ଡ. ସୁଶାନ୍ତ ଦାଶ ନିଜ ବକ୍ତବ୍ୟରେ ଯୁବ ରେଡ୍କ୍ରସ୍ର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଜଣେ ଜଣେ ସଂଗଠକ ରୂପେ ଅଭିହିତ କରିବା ସହିତ ତାଙ୍କ ଜୀବନ ଶୈଳୀ ଓ ଦାୟିତ୍ୱବୋଧ ସଂପର୍କରେ ସୂଚନା ଦେଇଥିଲେ । ଗଞ୍ଜାମ ଜିଲ୍ଲା ଯୁବରେଡ୍କ୍ରସ୍ ସଭାପତି ଡ. ତ୍ରିପାଠୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱ ବୋଧ ଓ ସେବା ମନୋଭାବ ଆଦି ଭାବନା ବୃଦ୍ଧି କରିବାରେ ଯୁବରେଡକ୍ରସ୍ ଭୂମିକା ସଂପର୍କରେ ଆଲୋଚନା କରିବା ସହିତ ସେ କହିଥିଲେ ଯୁବ ରେଡ୍କ୍ରସ୍ କେବଳ ଏକ ଆନ୍ତର୍ଜାତୀୟ ଆନ୍ଦୋଳନ ନୁହେଁ, ଏହା ଏକ ମାନବିକତାର ଶିକ୍ଷା କେନ୍ଦ୍ର । ଛାତ୍ରଛାତ୍ରୀମାନେ ଯେତେବେଳେ ଏହି ଅନୁଷ୍ଠାନ ମାଧ୍ୟମରେ ମାନବ ସେବା, ରକ୍ତଦାନ, ସ୍ୱାସ୍ଥ୍ୟ ସଚେତନତା ଓ ବିପଦ ସମୟରେ ସହଯୋଗ କରିବାର ଶିକ୍ଷା ଗ୍ରହଣ କରନ୍ତି, ସେତେବେଳେ ସେମାନେ ଜୀବନରେ ଏକ ଗଭୀର ମୂଲ୍ୟବୋଧକୁ ହୃଦୟଙ୍ଗମ କରିପାରନ୍ତି । ଏହି ସଭାର ଦ୍ୱିତୀୟ ବୈଷୟିକ ଅଧିବେଶନରେ ଶ୍ରୀ ବି. ଗୋବିନ୍ଦ ରାଓ ତାଙ୍କ ଗଭୀର ବ୍ୟାଖ୍ୟା ମାଧ୍ୟମରେ ଯୁବ ସେବାର ଦୃଢ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଯୁବ ରେଡ୍କ୍ରସ୍ ସଂଯୋଜକ ଡ. ଜଗଦୀଶ ଚନ୍ଦ୍ର ପାଲ ନିଜର ବକ୍ତବ୍ୟରେ ବିକାଶଶୀଳ ଯୁଗରେ ଯୁବ ରେଡ୍କ୍ରସ୍ର ଅଭିଯାନକୁ ଆଧୁନିକ ଦୃଷ୍ଟିକୋଣ ଦେଇ ବୃହତ୍ ଭାବେ ପ୍ରସାର କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅଧିବେଶନରେ ଗଞ୍ଜାମ ଜିଲ୍ଲା ସହକାରୀ ପରିବହନ ଅଧିକାରୀ ସୌମ୍ୟ ପ୍ରକାଶ ଭୋଇ ଯୋଗଦେଇ ଯୁବ ରେଡ୍କ୍ରସ୍ ର ଅନୁଶାସନ ଓ ସଂଘଟନାତ୍ମକ ଶକ୍ତି ବିଷୟ ସଂପର୍କରେ ଆଲୋଚନା କରିଥିଲେ । ଏଥି ସହିତ ଏହି ବୈଠକରେ ଯୁବ ରେଡ୍କ୍ରସ୍ କାର୍ଯ୍ୟନିଷ୍ଠତା, ଭବିଷ୍ୟତ ଯୋଜନା, ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଅଭିଯାନ, ଓ ପ୍ରାକୃତିକ ବିପଦ ସମୟରେ ସହଯୋଗ ବିଷୟ ଇତ୍ୟାଦି ବିଷୟରେ ବିଶେଷ ଚର୍ଚ୍ଚା ହୋଇଥିଲା । ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ମୋଟ୍ ୧୨୦ ଟି ମହାବିଦ୍ୟାଳୟର ୯୯ ଜଣ ଯୁବରେଡ଼୍କ୍ରସ ପରାମର୍ଶଦାତା ଓ କର୍ମକର୍ତ୍ତା ଯୋଗଦେଇଥିଲେ । ବୈଠକର ପ୍ରାରମ୍ଭରେ ମହାବିଦ୍ୟାଳୟର ଯୁବ ରେଡ୍କ୍ରସ ଆବାହକ ଅଧ୍ୟାପିକା ଡ. ମିଲିମିତା ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ରେଡ୍କ୍ରସ୍ର ସଂଯୋଜକ ଶ୍ରୀ ଜଗଦୀଶ ଚନ୍ଦ୍ର ପାଲ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମ ଡ. ମାନସ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ।


