ଟଙ୍କା ଫେରସ୍ତ ଦାବିରେ ବ୍ୟାଙ୍କ ସମ୍ମୁଖରେ ଜମାକାରୀଙ୍କ ବିକ୍ଷୋଭ

ଦିଗପହଣ୍ଡି,୧୦|୯(ଅଳକ ନାଥ ମିଶ୍ର)ଜମାକାରୀଙ୍କ ଜମା ଟଙ୍କା ଫେରସ୍ତ ଦାବିରେ ବୁଧବାର  ଦିଗପହଣ୍ଡି ମୁଖ୍ୟରାସ୍ତା କଡ଼ରେ ଥିବା ୟୁନିୟନ ବ୍ୟାଙ୍କ ଫାଟକରେ ବହୁ ସଂଖ୍ୟକ ଜମାକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି । ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳର ଲୋକମାନେ ନିଜ ସଞ୍ଚିତ ଅର୍ଥରାଶିକୁ ସୁରକ୍ଷିତ ରଖିବା ସକାଶେ ଏହି ବ୍ୟାଙ୍କ ଉପରେ ଭରସା କରି  ଟଙ୍କା ବାନ୍ଧିଥିଲେ । ତେବେ ଅନେକ ଜମାକାରୀଙ୍କ ସ୍ଥାୟୀ ଜମା ରାଶି ମେଚ୍ୟୁରିଟି ହୋଇସାରିଥିଲେ ମଧ୍ୟ ସେମାନଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରାପ୍ୟ ଅର୍ଥରାଶି ପ୍ରଦାନ କରୁନଥିବା ଜଣାପଡିଛି । ଏପରିକି ଜମାକାରୀ ମାନେ  ଅପ୍ରେଲ ମାସରୁ ସେମାନଙ୍କ ଟଙ୍କାକୁ ଉଠାଣ ନିମନ୍ତେ ଯାଉଥିବା ବେଳେ ଶାଖା ପରିଚାଳକ ଜମାକାରୀଙ୍କୁ ବିଭିନ୍ନ ବାହାନାରେ  ଫେରାଇ ଦେଉଥିଲେ । ଜମାକାରୀ ମାନେ ସେମାନଙ୍କ ଜମା ଟଙ୍କା ପାଇବା ଆଶାରେ ବହୁବାର ବ୍ୟାଙ୍କକୁ ଯାଇ ଶେଷରେ ନିରାଶ ହୋଇ ଫେରୁଥିଲେ । ଯେହେତୁ ଗତ କିଛିଦିନ ହେଲା ବ୍ୟାଙ୍କରେ ଶାଖା ପରିଚାଳକ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଦେଖା ମିଳୁନାହିଁ । ଗତ ୩ ଦିନ ପୂର୍ବେ ଜମାକାରୀ ମାନେ ଦିଗପହଣ୍ଡି ଥାନାରେ ଏତଲା ଦେବା ସହ ମଙ୍ଗଳବାର ସୁଦ୍ଧା ଟଙ୍କା ଫେରସ୍ତ ନ ହେଲେ ଧାରଣା ଦେବାକୁ ଚେତାବନୀ ଦେଇଥିଲେ ।  ବୁଧବାର ପୂର୍ବାହ୍ନରେ ବିଜେପି ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଜମାକାରୀ ବ୍ୟାଙ୍କ ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଦୀର୍ଘ ୩ ଘଣ୍ଟା ଧରି ଜମାକାରୀ ମାନେ ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ମ୍ୟାନେଜରଙ୍କ ଦେଖା ମିଳିନଥିଲା । ଜମାକାରୀ ଙ୍କ ଆନ୍ଦୋଳନ ଯୋଗୁଁ  ବ୍ୟାଙ୍କକୁ ଆସିଥିବା ଅନ୍ୟ ଗ୍ରାହକ ମାନେ ବ୍ୟାଙ୍କ ସେବାରୁ ବଞ୍ଚିତ ହୋଇ ନିରାଶରେ ଫେରିଥିଲେ । ଅପରାହ୍ନରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ଦିଗପହଣ୍ଡି ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ବ୍ୟାଙ୍କରେ ପହଞ୍ଚିବା ସହ ମ୍ୟାନେଜରଙ୍କ ଅନୁପସ୍ଥିତିରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏପରିକି ଆସନ୍ତା  ୨୯ ସୁଦ୍ଧା ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ପୂର୍ବରୁ ଏହି ବ୍ୟାଙ୍କରେ କିରାଣୀ ଭାବେ କାର୍ଯ୍ୟରତ ରହିଥିବା ଦିଗପହଣ୍ଡି କୋର୍ଟ କଲୋନୀର ମୂଳ ବାସିନ୍ଦା ତଥା ଗୋପାଳପୁର ଥାନା ଆମ୍ବପୁଆ ବସନ୍ତ ବିହାର ୪ ର୍ଥ ଲେନର ଏସ୍ . ପ୍ରୀୟମ ପ୍ରଥମ ସାବତଙ୍କୁ ପୋଲିସ ଜମାକାରୀଙ୍କ ୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଜୁନ୍ ୨୬ ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  ଏହି ବିକ୍ଷୋଭ ସମୟରେ ପ୍ରଭାତ ନାରାୟଣ ରଥ , ବୃନ୍ଦାବନ ସ୍ବାଇଁ , ଅରକ୍ଷିତ ଗୌଡ , ପାଣ୍ଡବ ସେଠୀ ସମେତ ବହୁ ସଂଖ୍ୟକ ଜମାକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ