ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ସଫଳ ରୂପାୟନ ଲାଗି ପ୍ରସ୍ତୁତି ବୈଠକ
ଛତ୍ରପୁର (ଓ୍ବାଇଏସଏସ) : ବରିଷ୍ଠ ନାଗରିକ ମାନଙ୍କୁ ମାଗଣାରେ ପୁରୀ ଶ୍ରୀକ୍ଷେତ୍ର ଦର୍ଶନ କରାଇବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ଜଗନ୍ନଥ ଦର୍ଶନ ଯୋଜନା ଆରମ୍ଭ କରାଯାଇଛି । ଏହାର ସଫଳ ରୂପାୟନ ଲାଗି ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତୀଭାସନ ଅଧ୍ୟକ୍ଷତା କରି ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ମୋଟ ୫୫୦ ଜଣ ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତେ ଯେପରି ସୁରକ୍ଷିତ ଭାବେ ପୁରୀ ଶ୍ରୀକ୍ଷେତ୍ର ରେ ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବେ ସେଥି ପ୍ରତି ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟତଃ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ବ୍ୟକ୍ତି ଏବଂ ସରକାରଙ୍କ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଲୋକଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି । ସେହିପରି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଏବଂ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ପୂର୍ବରୁ ସାମିଲ ହୋଇ ନଥିବା ଲୋକଙ୍କୁ ଗୁରୁତ୍ୱ ଦିଆଯିବ, ୬୦ ରୁ ୭୫ ବର୍ଷ ମଧ୍ୟରେ ଥିବା ବ୍ୟକ୍ତି ଏଥିଲାଗି ଆବେଦନ କରିପାରିବେ, ଓଡିଶା ବାସୀ ହୋଇଥିବେ ଏବଂ ସ୍ୱାସ୍ଥ୍ୟ ଓ ମାନସିକ ସ୍ତରରେ ସକ୍ଷମ ଥିବା ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇପାରିବେ ବୋଲି ବୈଠକରେ କୁହାଯାଇଥିଲା । ଏଥିଲାଗି ଜିଲ୍ଲାର ବିଭିନ୍ନ ଅଂଚଳରେ ପୋଷ୍ଠର ଓ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ସଚେତନ ବ୍ୟାପକ କରାଯିବା । ଆସନ୍ତା ୧୩ ତାରିଖ ଦିନ ଏଥିଲାଗି ବିଜ୍ଞାପନ ପ୍ରକାଶ କରାଯିବ ଏବଂ ୧୩ ତାରିଖ ରୁ ୨୦ ତାରିଖ ପର୍ଯୟନ୍ତ ଆବେଦନ ଗ୍ରହଣ କରାଯିବ, ୨୩ ତାରିଖ ଦିନ ଏହାର ଯାଂଚ କରାଯାଇ ୨୪ ତାରିଖ ଦିନ ଲଟେରୀ ମାଧ୍ୟମରେ ଚୟନ କରାଯିବ । ଗଞ୍ଜାମ ଜିଲ୍ଲାର ୫୦୩ ଟି ଗ୍ରାମାଂଚଳ ଓ ସମସ୍ତ ସହରାଂଚଳ ର ଲୋକେ ଏହି ଯୋଜନାରେ ସାମିଲ ହୋଇ ଏଥିଲାଗି ଆବେଦନ କରିପାରିବେ । ଗ୍ରାମାଂଚଳର ପ୍ରତି ପଂଚାୟତ ଓ ସହରାଂଚଳର ପ୍ରତ୍ୟେକ ୱାର୍ଡ ସ୍ତରରୁ ଫର୍ମ ଗ୍ରହଣ କରାଯିବ । ପରବର୍ତ୍ତୀ ସମୟରେ ଲଟେରୀ ମାଧ୍ୟମରେ ଚୟନ କରାଯାଇ ଜିଲ୍ଲାରୁ ୫୫୦ ଜଣ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଜଗନ୍ନାଥ ଦର୍ଶନ ପାଇଁ ନିଆଯିବ ବୋଲି ଜଣାପଡିଛି । ଆସନ୍ତା ୨୭ ରୁ ୩୧ ତାରିଖ ଦିନ ମଧ୍ୟ ରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥି ହାଁସଦା, ଗଞ୍ଜାମ ଆଂଚଳିକ ପରିବହନ ଅଧିକାରୀ ଇଂ ଦେବାଶିଷ ସ୍ୱାଇଁ, ମୋ ବସ ର ଜିଲ୍ଲା ସଂଯୋଜକ ବିଶ୍ୱ ରଞ୍ଜନ ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ ।


