ପିଇଓଙ୍କ ଘରେ ଭିଜିଲାନ୍ସ ରେଡ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ
ହାଟଡିହି(ଓ୍ବାଇଏନଏସ): ହାଟଡିହି ବ୍ଲକର ପିଇଓ ଜିତେନ୍ଦ୍ର ଜେନାଙ୍କ ଘର ସମେତ ୬ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ। ଆଜି ବଡି ଭୋର ସମୟରୁ ଏହି ଚଢ଼ାଉ ଆରମ୍ଭ ହୋଇଥିଲା।ଜିତେନ୍ଦ୍ର ଦୀର୍ଘ ବର୍ଷ ହେବ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତର ପିଇଓ ଥିବାବେଳେ ଏବେ ବଞ୍ଚୋ ଏବଂ ବାଲିବରେଇ ପଞ୍ଚାୟତର ପିଇଓ ଭାବେ କାର୍ଯ୍ୟରତ ଅଛନ୍ତି। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଚଢ଼ାଉ କରାଯାଇଛି। ମରୈଗାଁସ୍ଥିତ ନିଜ ଘର, ବସନ୍ତିଆ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ପତ୍ନୀଙ୍କ ନାମରେ ଥିବା ବ୍ୟବସାୟ ପ୍ରତିଷ୍ଠାନ, ଜଗନ୍ନାଥପୁରରେ ଥିବା ଦୋକାନ, ଗୋଦାମ ଘର, ବନ୍ତଳାସ୍ଥିତ ପୈତୃକ ଘର, ବଞ୍ଚୋ, ବାଲିବରେଇ, ରମ୍ପାସ ଆଦି ପଞ୍ଚାୟତ କାର୍ଯ୍ୟାଳୟରେ ଚଢାଉ ଜାରି ରହିଥିଲା। ମୋଟ ୬ଟି ସ୍ଥାନରେ ଏହି ଚଢ଼ାଉ କରା ଯାଉଥିବା ସୂଚନା ମିଳିଛି। ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଭିଜିଲାନ୍ସ ବିଭାଗର ୪ଜଣ ଡ଼ିଏସପି, ୮ଜଣ ଇନ୍ସପେକ୍ଟରଙ୍କ ସମେତ ୪୦ ଜଣ କର୍ମରରୀ ଏହି ଚଢ଼ାଉ ରେ ସାମିଲ ଅଛନ୍ତି। ପିଇଓ ଶ୍ରୀଯୁକ୍ତ ଜେନା ୧୨/୮/୧୯୯୫ରେ ହଦଗଡ଼ ପଞ୍ଚାୟତ ର ସେକ୍ରେଟେରୀ ଭାବେ ମାସିକ ୨୨ଶହ ଟଙ୍କା ପରିଶ୍ରମିକରେ ନିଯୁକ୍ତି ପାଇଥିଲେ। ପରେ ୨୦୦୯ରେ ସେ ପଦୋନ୍ନତି ପାଇ ସମଣା, କେ ବାଲିପାଳ, ଢେଙ୍କା ର ପିଇଓ ଥିବା ବେଳେ ଏବେ ବଞ୍ଚୋ, ବାଲିବରେଇ, ବଡ଼ ରମ୍ପାସ ପଞ୍ଚାୟତର ପିଇଓ ଅଛନ୍ତି। ଚଢ଼ାଉ ବେଳେ କଣ କଣ ଜବଦ ହୋଇଛି ଓ କେତେ ପରିମାଣର ଆୟ ବହିର୍ଭୁତ ସମ୍ପତି ଜବଦ ହୋଇଛି ସେନେଇ କୌଣସି ସୂଚନା ମିଳିନି।


