ପ୍ରବାସୀ ଶ୍ରମିକ ସଚେତନତା ସଭା ଅନୁଷ୍ଠିତ
ନୁଆପଡ଼ା, (ଲିଲାମ୍ବର ନାଗ); ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ ଅନ୍ତର୍ଗତ କୋଟେନଚୁଆଁ ଗ୍ରାମ ପଞ୍ଚାୟତର ସାପ୍ତାହିକ ବଜାର ପଡ଼ିଆରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବନ ଖଣ୍ଡ ଅଧିକାରୀ , ଖଡିଆଳ ଅଜିଜ ଖାନ,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ବିଡ଼ିଓ ରୋହିତ ଭୋଇ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ଵରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉମା ଠାକୁର , ସମାଜସେବୀ ହୋମ୍ ସିଂ ମାଝୀ ମାଝୀ, ସ୍ଥାନୀୟ ସରପଞ୍ଚ ବାସନ୍ତୀ ମାଝୀ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ l ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ, କୃଷକ, ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ନିଜ ଅଭିଭାଷଣରେ ଜିଲ୍ଲାପାଳ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଲୋକଙ୍କୁ ବିଭିନ୍ନ ଜନମଙ୍ଗଳ ଯୋଜନାରେ ଯୋଡିବା ପାଇଁ ଆହ୍ବାନ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଲୋକଙ୍କ ସହଯୋଗିତା ଓ ସହଭାଗିତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଲେଯେ ନୂଆପଡା ଜିଲ୍ଲା ଛୋଟ ହେଲେ ମଧ୍ୟ ଆମେ ସମସ୍ତେ ମିଶି ଏହାକୁ ମହାନ କରି ଗଢି ତୋଳିବା l ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯିବା ପାଇଁ ସମସ୍ତେ ପଣ କରନ୍ତୁ l ଯେଉଁମାନେ ଆଗରୁ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ଯାଇଥିଲେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ l ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ l ବନଖଣ୍ଡ ଅଧିକାରୀ ଅଜିଜ ଖାନ ଜଙ୍ଗଲ ନିଆଁର ଭୟାବହତା ଓ ବାୟୁ ପ୍ରଦୂଷଣ ଭଳି ପରିବେଶ ଉପରେ ବିଭିନ୍ନ କୁପ୍ରଭାବ ଉପରେ ଆଲକପାତ କରି ଲୋକଙ୍କୁ ସଚେତନ ହେବା ପାଇଁ ଆହ୍ବାନ ଦେଇଥିଲେ। ପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ନବ ଜାତକ ଶିଶୁ କନ୍ୟା ଦୀକ୍ଷା ମାଝୀ ଓ ତ୍ରିଶା ମାଝୀକୁ କୋଳରେ ଧରି ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଶିଶୁର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ l ଏହି ଅବସରରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଅତିଥି ମାନଙ୍କ ଦ୍ଵାରା ବର୍ତ୍ତନ ବ୍ୟାଙ୍କ୍ ର ଉଦଘାଟନ କରାଯାଇଥିଲା। ସେହିପରି, ଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ପାରମ୍ପାରିକ ନୃତ୍ୟ ପରିବେଷଣ କରାଯାଇଥିଲା। ଶିବିରରେ ୫ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଲଖନ୍ ପାଣ୍ଡେଙ୍କୁ ୩ ଲକ୍ଷ ଟଙ୍କା ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ୮ ଟି ଶ୍ରମିକ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ବିବାହ ସହାୟତା, ଗୋଟିଏ ପରିବାରକୁ ୭ହଜାର ଟଙ୍କା ଶିକ୍ଷା ସହାୟତା ଓ ୨ ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମାତୃତ୍ୱ ସହାୟତା ପ୍ରଦାନ କରାଯାଇଥିଲା। ଶେଷରେ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅତିଥିମାନେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଜଳ ଯୋଗାଇ ଦେଇଥିଲେ l ଏହାପରେ ଜିଲ୍ଲାପାଳ ଏକ ଫେରନ୍ତା ପ୍ରବାସୀ ଶ୍ରମିକ ଦମ୍ପତି ମନୁଧର ଓ ସଗନିବାଇ ମାଝୀ ପରିବାରକୁ ସାକ୍ଷାତ କରି ଆଉ ପ୍ରବାସ ରେ ନଯିବା ପାଇଁ ପରାମର୍ଶ ଦେଇଥିଲେ। ତାଙ୍କୁ ନିୟମାନୁଯାୟୀ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l


