ବେଦାନ୍ତ ଦର୍ଶନ ବିଜ୍ଞାନର ଊର୍ଦ୍ଧ୍ବରେ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ବେଦାନ୍ତ ଦର୍ଶନ ହେଉଛି ସନାତନ ଧର୍ମର ପ୍ରମୁଖ ଶାସ୍ତ୍ର ।ଯେତେବେଳେ ଏହି ଦର୍ଶନ ରଚନା କରାଯାଇଥିଲା ସେତେବେଳେ ବିଜ୍ଞାନର ଅଗ୍ରଗତି ହୋଇନଥିଲା କିନ୍ତୁ ଜ୍ଞାନର ପ୍ରଗତି ଘଟିଥିଲା। ବର୍ତ୍ତମାନ ବିଜ୍ଞାନ ତାର ଶୀର୍ଷ ସ୍ଥାନରେ ପହଞ୍ଚିପାରିଛି । ଯାହାଫଳରେ ସେ ଭୌତିକ ସତ୍ୟ ବିଷୟକୁ ନିଜର ସୀମା ମଧ୍ୟରେ ରହି ପ୍ରକାଶ କରି ଚାଲିଛି। ତଥାପି ପ୍ରକୃତ ସତ୍ୟକୁ ଉନ୍ମୋଚନ କରିବାରେ ସକ୍ଷମ ହୋଇ ପାରିନାହିଁ। କାରଣ ବିଜ୍ଞାନ ଯେଉଁଠି ଶେଷ ହୋଇଥାଏ ସେ’ଠାରୁ ଆରମ୍ଭ ହୋଇଥାଏ ବେଦାନ୍ତ। ଏହି ଦର୍ଶନର ମୂଳ ପ୍ରଣେତା ଅଟନ୍ତି ମହର୍ଷି ବେଦବ୍ୟାସ। ସେ ବେଦର ସମସ୍ତ ସାରତତ୍ତ୍ୱକୁ ଏହି ଦର୍ଶନରେ ଦର୍ଶାଇଛନ୍ତି। ଏଣୁ ଏହାକୁ ବେଦର ଅନ୍ତ (ସାର) ବା ବେଦାନ୍ତ ବୋଲି କୁହାଯାଏ। ଏହା ହେଉଛି ଉପନିଷଦର ଦାର୍ଶନିକ ଜ୍ଞାନ, ଯାହା ବ୍ରହ୍ମ (ପରମ ସତ୍ୟ) ବା ଶାଶ୍ୱତର ଏକ ତାର୍କିକ ବିଶ୍ଳେଷଣ । ବେଦାନ୍ତ ଦର୍ଶନ ଜୀବନ ବଞ୍ଚିବା ପାଇଁ ଏକ ସୁବ୍ୟବସ୍ଥିତ ପଥ । ଯେ କି ସଦା ସର୍ବଦା ମନୁଷ୍ୟକୁ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସେତୁର କାର୍ଯ୍ଯ କରି ଚାଲିଛି।
ବିଜ୍ଞାନ ଶବ୍ଦର ଶାବ୍ଦିକ ଅର୍ଥ ହେଉଛି ବିଶେଷ ଜ୍ଞାନ । ଏହାକୁ ସରଳ ଭାବରେ କହିବାକୁ ଗଲେ ଯେଉଁ ଜ୍ଞାନ ଦ୍ଵାରା ପ୍ରକୃତି, ପଦାର୍ଥ ଓ ଭୌତିକ ଦୁନିଆର ବୈଜ୍ଞାନିକ ତଥ୍ୟକୁ ପ୍ରୟୋଗ ଏବଂ ପରୀକ୍ଷଣ ଦ୍ଵାରା ସିଦ୍ଧ କରାଏ ତାହାକୁ ବିଜ୍ଞାନ କୁହାଯାଏ। ଏହାର ତଥ୍ୟ ସମୟାନୁକ୍ରମେ କିଛି କିଛି ମାତ୍ରାରେ ପରିବର୍ତ୍ତନ ହୋଇଥାଏ ଏଵଂ ବେଳେବେଳେ ପୂର୍ଣ୍ଣରୂପେ ମଧ୍ୟ। କାରଣ ସିଦ୍ଧାନ୍ତ ଗତ ମତ ଯାହା ତତ୍ତ୍ଵକୁ ନ ବୁଝି ତଥ୍ୟ ଉପରେ ଗୁରୁତ୍ଵ ଦେଇଥାଏ। ଯାହାଫଳରେ ବିଜ୍ଞାନ ତତ୍ତ୍ୱଠାରୁ ବହୁ ଦୂରରେ ରହିଯାଏ । ପରନ୍ତୁ ବେଦାନ୍ତ ଦର୍ଶନ ସତ୍ୟ ଦ୍ରଷ୍ଟା ଜ୍ଞାନୀମାନଙ୍କ ଦ୍ୱାରା ଅନୁଭୂତ , ଯେ ସତ୍ୟକୁ ବ୍ୟକ୍ତିଗତ ଅନୁଭୂତି ମାଧ୍ୟମରେ ଯେପରି ଶ୍ରବଣ (ଶୁଣିବା), ମନନ (ଚିନ୍ତା କରିବା), ଏବଂ ନିଦିଧ୍ୟାସନ (ଅଭ୍ୟାସ କରିବା) ଦ୍ଵାରା ପରୀକ୍ଷା କରିବାକୁ କୁହେ। କାରଣ ତଥ୍ୟ ପରିବର୍ତ୍ତନ ହୋଇପାରେ ପରନ୍ତୁ ଅନୁଭୂତି ବା ତତ୍ତ୍ଵ କେବେବି ପରିବର୍ତ୍ତନ ହୋଇନଥାଏ। ଏଣୁ ବେଦାନ୍ତକୁ ଅନୁଭୂତି ଶାସ୍ତ୍ର କୁହାଯାଇଛି।
ବେଦାନ୍ତ ଅନୁଯାୟୀ ଜଗତର ମୂଳ ‘ବ୍ରହ୍ମ’, ସେ ହେଉଛନ୍ତି ଚେତନ ସତ୍ତା। ଯେ ସମଗ୍ର ବିଶ୍ଵ ବ୍ରହ୍ମାଣ୍ଡରେ ପୂର୍ଣ୍ଣ ରୂପରେ ବ୍ୟାପି ରହିଛନ୍ତି । ପରନ୍ତୁ ଆଧୁନିକ ବିଜ୍ଞାନ ଆଜି ବି ତା’ର ପରିଧି ଭିତରେ ରହି ‘ଚେତନା’ (Consciousness) କ’ଣ ତାହା ସଂପୂର୍ଣ୍ଣ ଭାବେ ବୁଝିପାରି ନାହିଁ। ବିଜ୍ଞାନ ବାହ୍ୟ ଜଗତର ଅନୁସନ୍ଧାନ କରେ, କିନ୍ତୁ ବେଦାନ୍ତ ଅନ୍ତର୍ଜଗତର ଅନୁସନ୍ଧାନ କରିସାରିଛି। ତଥାପି ଉଭୟଙ୍କ ମଧ୍ୟରେ କିଛି ମୌଳିକ ସମାନତା ମଧ୍ୟ ଦେଖିବାକୁ ମିଳେ। ବିଜ୍ଞାନର ଲାବୋରେଟୋରୀ ହେଉଛି ପରୀକ୍ଷାଗାର ପରନ୍ତୁ ବେଦାନ୍ତରେ ମନୁଷ୍ୟର ନିଜ ଶରୀର ଏବଂ ମନ ହେଉଛି ତା’ର ପ୍ରୟୋଗଶାଳା। ଯେଉଁଠି ସେ ଧ୍ୟାନ ମାଧ୍ୟମରେ ସତ୍ୟକୁ ପ୍ରାପ୍ତି କରିଥାଏ। ଆଧୁନିକ ପଦାର୍ଥ ବିଜ୍ଞାନ (Quantum Physics) କୁହେ ଯେ ସମସ୍ତ ପଦାର୍ଥ ଶକ୍ତିର ବିଭିନ୍ନ ରୂପ ମାତ୍ର। ଏ କଥାକୁ ବେଦାନ୍ତ ହଜାର ହଜାର ବର୍ଷ ପୂର୍ବରୁ “ସର୍ବଂ ଖଲ୍ୱିଦଂ ବ୍ରହ୍ମ” ବୋଲି କହିଆସିଛି । ଅର୍ଥାତ୍ ଏହି ସବୁ କିଛି ବ୍ରହ୍ମ ଅଟନ୍ତି। ବେଦାନ୍ତ ମାୟା (illusion) ର ଧାରଣା ମାଧ୍ୟମରେ ବୁଝାଇଛି ଯେ ପରିବର୍ତ୍ତନଶୀଳ ଜଗତ ପଛରେ ଏକ ଅପରିବର୍ତ୍ତନୀୟ ସତ୍ୟ (ବ୍ରହ୍ମ) ବିଦ୍ୟମାନ ରହିଛନ୍ତି। ଯାହା ବୃହଦାରଣ୍ୟକ ଓ କଠୋପ ଉପନିଷଦାଦିରେ ବ୍ୟକ୍ତ କରାଯାଇଛି। ଯେପରି ” ନେହ ନାନାସ୍ତି କିଞ୍ଚନ ” ଅର୍ଥାତ୍ ସମଗ୍ର ବିଶ୍ଵ ବ୍ରହ୍ମାଣ୍ଡରେ ବିବିଧତା ବା ଭିନ୍ନ ଭିନ୍ନ ବୋଲି କିଛି ହିଁ ନାହିଁ। ଯେତେ ଗୁଡ଼ିଏ ଜଡ ଓ ଚେତନ ପଦାର୍ଥ ଏଵଂ ଦୃଶ୍ୟ ଓ ଅଦୃଶ୍ୟ ଦ୍ରବ୍ୟାଦି ରହିଛି , ସେ ସବୁ ବ୍ରହ୍ମଙ୍କ ସ୍ବରୂପ ଅଟେ । ଏହାକୁ ଦୃଢ଼ କରିବାକୁ ଯାଇ ଶ୍ରୁତି ପ୍ରତିପାଦିତ କରିଛି ଯେ,” ଏକଂ ବ୍ରହ୍ମ ଦ୍ୱିତୀୟ ନାସ୍ତି ” ଅର୍ଥ ବ୍ରହ୍ମ ବା ପରମାତ୍ମା ହିଁ ଏକ ତତ୍ ବ୍ୟତିରିକ୍ତ ଦ୍ୱିତୀୟ ସତ୍ତା ହିଁ କିଛି ନାହିଁ। ସେ’ପରି ଈଶାବାସ୍ୟ ଉପନିଷଦର ପ୍ରଥମ ମନ୍ତ୍ର ଖଣ୍ଡରେ ଦେଖିବାକୁ ମିଳେ -” ଈଶା ବାସ୍ୟମିଦଂ ସର୍ଵଂ ଯତ୍କିଞ୍ଚ ଜଗତ୍ୟାଂ ଜଗତ୍ ….” ଏହାର ଅର୍ଥ ଜଗତରେ ଯାହାସବୁ ବିଦ୍ୟମାନ ସେ ସମସ୍ତ ପରମାତ୍ମାଙ୍କର ବିଶେଷ।

ବିଜ୍ଞାନରେ ପର୍ଯ୍ୟବେକ୍ଷକ (Observer) ଏବଂ ବସ୍ତୁ (Object) ମଧ୍ୟରେ ପାର୍ଥକ୍ୟ ଥାଏ। ବେଦାନ୍ତ ଶିଖାଏ ଯେ ଦ୍ରଷ୍ଟା ବା ଆତ୍ମା ହେଉଛି ଏକମାତ୍ର ସତ୍ୟ ବା ଅପରିବର୍ତ୍ତନଶୀଳ କିନ୍ତୁ ତା’ ବ୍ୟତୀତ ଅନ୍ୟ ସମସ୍ତ ପରିବର୍ତ୍ତନଶୀଳ। ଆଇନଷ୍ଟାଇନଙ୍କ ଆପେକ୍ଷିକତା ତତ୍ତ୍ୱ କୁହେ ଯେ ସମୟ ଏବଂ ସ୍ଥାନ ସ୍ଥିର ନୁହେଁ। ଯାହାକୁ ବେଦାନ୍ତରେ ‘ମାୟା’ ବୋଲି କୁହାଯାଇଛି। ମାୟାର ଅର୍ଥ ଯାହା ଦେଖାଯାଉଛି କିନ୍ତୁ ସେ ପ୍ରକୃତରେ ସେପରି ନୁହେଁ। ଏହା ଏକ ପ୍ରକାରର ଭ୍ରମ (Cosmic Illusion) , ଯାହାକୁ ବିଜ୍ଞାନ ମଧ୍ୟ ସ୍ୱୀକାର କରେ। ବେଦାନ୍ତ ମନୁଷ୍ୟର ଜାଗ୍ରତ, ସ୍ୱପ୍ନ ଏବଂ ସୁଷୁପ୍ତି ଅବସ୍ଥାକୁ ବିଶ୍ଳେଷଣ କରି ଚତୁର୍ଥ ଅବସ୍ଥା ବା ‘ତୁରୀୟ’ (ଶୁଦ୍ଧ ଚେତନା) ବିଷୟରେ କହିଥାଏ, ଯାହା ଅନୁଭବ ସିଦ୍ଧର କଥା। ଏଣୁ କୁହାଯାଉଛି “ଯସ୍ୟ ଜ୍ଞାତେ ସର୍ବ ବିଜ୍ଞାତମ୍ “। ଅର୍ଥାତ୍ ଯାହାଙ୍କୁ ଜାଣିବା ପରେ ସବୁକିଛି ଜ୍ଞାନ ହୋଇଥାଏ। ଏପରି ଅନେକ ଦୃଷ୍ଟାନ୍ତ ଏ ଦର୍ଶନରେ ଦେଖିବାକୁ ମିଳେ। ଯାହା ବେଦାନ୍ତ ବିଜ୍ଞାନର ଊର୍ଦ୍ଧ୍ବରେ ବୋଲି ପ୍ରମାଣିତ ହୋଇସାରିଛି।

ଖମ୍ବେଶ୍ଵରୀ ପାଟଣା
ଆସିକା, ଗଞ୍ଜାମ।
9861334868

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ