ପ୍ରଶାସନ ବିଫଳ: ଜନସଂଖ୍ୟା ବୃଦ୍ଧି ଅନୁପାତରେ ସ୍କୁଲରେ ନାମ ଲେଖା ବୃଦ୍ଧି ପାଉନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):  ଗଜପତି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦୃଷ୍ଟିକୁ ଆସିଛି. ବିଶେଷକରି ଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ନିକଟତର କରିବାରେ ସମ୍ପୂର୍ଣ ବିଫଳ ହୋଇଛି. ସମଗ୍ର ଗଜପତି ଜିଲ୍ଲାରେ 80 ପ୍ରତିଶତରୁ ଅଧିକ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା 30 ପ୍ରତିଶତରୁ କମ ରହିଛି. ଯାହାକି ଗଜପତି ଜିଲ୍ଲାରେ ଶିକ୍ଷା ବିଭାଗର ଉଦବେଗଜନକ ସ୍ଥିତି ପଦାକୁ ଆସିଛି. ଏହି ଜିଲ୍ଲାରେ ବର୍ଷକୁ ବର୍ଷ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି. ହେଲେ ସେହି ଅନୁପାତରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ବୃଦ୍ଧି ପାଉନାହିଁ.  ସରକାରୀ ନିୟମ ଅନୁଯାୟୀ 30 ପ୍ରତିଶତରୁ କମ ନାମ ଲେଖା ଥିବା ସମସ୍ତ ବିଦ୍ୟାଳୟ ବନ୍ଦ ହେବା ସ୍ଥିତିକୁ ଆସିଛି. ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ହାର ଚିନ୍ତାଜନକ ଭାବେ କମୁଛି. ପୂର୍ବରୁ ଜିଲ୍ଲାର ୧,୩୬୬ ବିଦ୍ୟାଳୟ ମଧ୍ୟରୁ ପିଲା ସଂଖ୍ୟା କମ୍ ଥିବା ଦର୍ଶାଇ ୨୦୨୦ ଶିକ୍ଷାବର୍ଷରେ ୫୮୩ଟି ବନ୍ଦ କରାଯାଇଥିଲା। ବର୍ତ୍ତମାନ ଜିଲ୍ଲାରେ ୮୧୪ ଗୋଟି ସ୍କୁଲରେ ୬୪,୪୯୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାଠ ପଢ଼ୁଛନ୍ତି। ଏହି ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ପାଇଁ ୪,୦୬୦ ଜଣ ଶିକ୍ଷକ – ଶିକ୍ଷୟିତ୍ରୀ କାର୍ଯ୍ୟରତ ଅଛନ୍ତି। ଶିକ୍ଷା ବିଭାଗର ସୂଚନା ଅନୁଯାୟୀ  ଗତବର୍ଷ ଜିଲ୍ଲାର ୨୬୬ ଗୋଟି ବିଦ୍ୟାଳୟରେ ୩୦ରୁ କମ୍ ଛାତ୍ରଛାତ୍ରୀ ରହିଥିବା ବେଳେ ୩୦ ଗୋଟିରୁ ଅଧିକ ବିଦ୍ୟାଳୟରେ ୧୦ରୁ କମ୍ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡିଛି. ଗଜପତି ଜିଲ୍ଲାରେ ପ୍ରାଥମିକ ଶିକ୍ଷା କିପରି ଚାଲୁଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ ହୋଇପାରୁଛି. ଗଜପତି ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକାଶ ଓ ଶିକ୍ଷାକୁ ଛାତ୍ରଛାତ୍ରୀଙ୍କ ନିକଟତର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଛି. ହେଲେ ଏହାର କୌଣସି ସୁଫଳ ସାଧାରଣଙ୍କ ଠାରେ ପହଞ୍ଚି ପାରୁନାହିଁ. ସରକାର ଓ ଜିଲ୍ଲା ପ୍ରଶାସନ ଏନେଇ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରି ଗଜପତି ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ମାନ ବୃଦ୍ଧି କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ