ଗାଁ ଦାଣ୍ଡରେ “ଘଣ୍ଟ ପାଟୁଆ ” :ଶକ୍ତିପୀଠ ମହିମାର ପ୍ରଚାର ଲକ୍ଷ୍ୟ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :-ପୁରୀ ଜିଲ୍ଲା କାକଟପୁର ଅଧିତାଷ୍ଟି ଦେବୀ ମା “ମଙ୍ଗଳା ଙ୍କ ଶକ୍ତିପୀଠ ରୁ ସାଂକେତିକ ଶକ୍ତି କାନ୍ଧରେ ବହନ କରି ଗାଁ ଗଣ୍ଡାରେ ଏବେ ଘଣ୍ଟ ପାଟୁଆ। ଚୈତ୍ର ମାସ ରେ ମା “ଙ୍କ ସ୍ୱତନ୍ତ୍ର ମାସ ହୋଇଥିବାରୁ ଶକ୍ତିଧର୍ମର ପ୍ରଚାରକ ମାନେ ଚାଲି ଚାଲି ଦୂରଦୁରାନ୍ତ ଅଂଚଳର ବିଭିନ୍ନ ଗ୍ରାମକୁ ପରିକ୍ରମା କରି ଶକ୍ତି ପୂଜାରେ ଗାଁ ଲୋକଙ୍କୁ ସାମିଲ କରୁଥିବା ଜଣାଯାଇଛି। ଯାହାକି ଗ୍ରାମ ମାନଙ୍କରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। କାହିଁ କେତେ କାଳରୁ ଏହି ଦୈବୀ ମହିମା ପ୍ରଚାର ଲକ୍ଷ୍ୟରେ ମାନସିକଧାରୀ ମାନେ ସମର୍ପିତ ଭାବେ ଘଣ୍ଟ, ଘଣ୍ଟା ଆଦି ବାଦନ କରି ଗାଁ ଦାଣ୍ଡରେ ମା ‘ଙ୍କ ପ୍ରତିମା ସୁରୂପ ଦଣ୍ଡକୁ ସୁସଜ୍ଜିତ ଭାବେ କିଛି କ୍ଷଣ ସ୍ଥାପନା କରିଥିବା କାର୍ଯ୍ୟ ଏବେ ବି ଦେଖିବାକୁ ମିଳୁଛି। ସ୍ୱତନ୍ତ୍ର ବେଶରେ ଘଣ୍ଟ ପାଟୁଆ ମାନେ ଗାଁ ଦାଣ୍ଡରେ ନିଜର ଉପସ୍ଥିତି ସୂଚନା ଦେଇଥାନ୍ତି। ବାଦ୍ୟ ଶ୍ରବଣ ମାତ୍ରେ ଗ୍ରାମର ମହିଳା ମାନେ ଭୋଗ ଲାଗି ଉଦେଶ୍ୟରେ ପୂଜା ସାମଗ୍ରୀ ସହ ମା ‘ଙ୍କ ଲାଗି ହେବା ଭଳି ସାମଗ୍ରୀ ମଧ୍ୟ ଭକ୍ତି ସହକାରେ ସମର୍ପଣ କରୁଛନ୍ତି। କେତେକ ପରିବାର ମଧ୍ୟ ଅତି ନିକଟରେ ମା ‘ଙ୍କ ପ୍ରତୀକ ଦର୍ଶନ କରିବା ସୌଭାଗ୍ୟ ଲାଭ କରିବା ସହ ନିଜର ମାନସିକ ପୂରଣ ପାଈଁ କାମନା କରିଥିବା ଦେଖାଯାଇଛି। ବିଭିନ୍ନ ଗ୍ରାମ ଓ ଅଞ୍ଚଳ ପରିକ୍ରମା ପରେ ଘଣ୍ଟ ପାଟୁଆ ମାନେ ସଂଗୃହିତ ସାମଗ୍ରୀ ଓ ଅର୍ଥ ସମର୍ପଣ ଉପାସନା ର ନିଦର୍ଶନ ଉପସ୍ଥାପନା କରିଥାନ୍ତି। କଠିନ ହେଲେ ହେଁ ମା “ଙ୍କ ଅପାର କରୁଣା ରୁ ଏହି କାର୍ଯ୍ୟ ଘଣ୍ଟ ପାଟୁଆ ଙ୍କ ପାଈଁ ଅତି ସହଜ ହୋଇଥାଏ ବୋଲି ସେମାନେ ପ୍ରକାଶ କରନ୍ତି। ଏହି ସେବା କରି ସେମାନେ ଅପାର ଆନନ୍ଦ ଓ ମାତୃକୃପା ଲାଭ କରି ପାରନ୍ତି ବୋଲି ମଧ୍ୟ ପ୍ରକାଶ କରନ୍ତି। ସାମ୍ପ୍ରତିକ ତାମସିକ ଯୁଗରେ ଭକ୍ତି ଭାବନା ଓ କାର୍ଯ୍ୟର ଏହି ଉଦାହରଣ ସମାଜରେ ଆଧାତ୍ମିକ ବାତାବରଣ ସୃଷ୍ଟିର ସହାୟକ ହୋଇପାରିବ ବୋଲି ବୟୋଜ୍ୟେଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ