ଟ୍ରେନରୁ ଖସି ଶଶୁର ଓ ଜ୍ବାଇଁ ମୃତ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ) :ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରୁ ଚିକିତ୍ସା ସାରି କଳାହାଣ୍ଡି ଜିଲ୍ଲାକୁ ଯାଉଥିବା ବେଳେ ଟ୍ରେନରୁ ଖସି ଶଶୁର ଓ ଜ୍ବାଇଁ ମୃତ୍ୟବରଣ କରିଥିବା ଏକ ଅଭାବନିୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ପ୍ରଥମେ ଶଶୁର ରାୟଗଡା ରେଳବାଇ ଷ୍ଟେସନ ନିକଟରେ ଖସି ମୃତ୍ୟୁ ବରଣ କରିଥିବା ବେଳେ ଜ୍ବାଇଁ ମୁନିଗୁଡା ବ୍ଲକ ଦହିଖାଲ ଷ୍ଟେସନ ଅଞ୍ଚଳରେ ଟ୍ରେନରୁ ଖସି ମୃତ୍ୟୁ ବରଣ କରିଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ଟିକାଇ ଗ୍ରାମରେ । ଜ୍ବାଇଁ ସୁଦାମ ନାୟକ ୨୩ ତାରିଖ ଦିନ ଅଶି ବର୍ଷୀୟ ଶଶୁର ଲିଙ୍ଗରାଜ ସାହାଙ୍କୁ ଧରି କ୍ୟାନସର ଚିକିତ୍ସା ପାଇଁ ବିଶାଖାପାଟଣା ଯାଇଥିଲେ । ଉଭୟ ବିଶାଖାପାଟଣା କୋରବା ଲିଙ୍କ ଏକ୍ସପ୍ରେସରେ ଫେରୁଥିବା ବେଳେ କୌଣସି କାରଣ ବସତଃ ପ୍ରଥମେ ଶଶୁର ରାୟଗଡା ଷ୍ଟେସନ ୫ ନମ୍ବର ପ୍ଲାଟଫର୍ମରେ ଖସିପଡି ମୃତ୍ୟୁବରଣ କରିଥିଲେ । ଜ୍ବାଇଁ ଶଶୁର ଉଭୟ କୋରବା ଲିଙ୍କ ଏକ୍ସପ୍ରେସର ଯାଉଥିବା ବେଳେ ଶଶୁରଙ୍କୁ ସିଟରେ ନପାଇ ଜ୍ବାଇଁ ବ୍ୟସ୍ତ ହୋଇ ଟ୍ରେନରୁ ଖସିଯାଇଥିବା ପୁଲିସ ଅନୁମାନ କରୁଛି । ଉଭୟଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ରାୟଗଡା ଓ ମୁନିଗୁଡା ଜିଆରପି ପୋଲିସ ମୃତ ଦେହ ଦୁଇଟିକୁ ଯବତ କରିବା ସହ ଅଧିକ ତଦନ୍ତ ଜାରିରଖିଛି । ଜ୍ୱାଇଁ ସୁଦାମଙ୍କ ମୃତ ଦେହ ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଶଶୁର ଲିଙ୍ଗରାଜଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି । ମୃତ ଜ୍ବାଇଁ ସୁଦାମଙ୍କ ନିକଟରୁ ୨୩ ତାରିଖ ଦିନ କେସିଙ୍ଗାରୁ ବିଶାଖାପାଟଣା ଯାତ୍ରା ପାଇଁ ରଜର୍ଭେସନ ଟିକଟ ପାଇଥିବା ଜିଆରପି ପୁଲିସ ସୂଚନା ଦେଇଛି । ଜି ଆର ପି ଓ ଆର ପି ଏଫ ପୁଲିସ ବିଶାଖାପାଟଣା ଯାଉଥିବା ବେଳେ ଏହି ଘଟଣା ହୋଇଥିବା କହୁଥିବା ବେଳେ ଚିକିତ୍ସାସାରି ଫେରୁଥିବା ସମୟରେ ଏହି ଘଟଣା ହୋଇଥିବା ପରିବାରବର୍ଗ କହୁଛି I ପୁଲିସ ତଦନ୍ତ ପରେ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି।


