ପ୍ରଚଣ୍ଡ ଖରାରେ ପକ୍ଷୀଙ୍କ ଶୋଷ ମେଣ୍ଟାଇବାକୁ ସ୍ୱେଚ୍ଛାସେବୀ ଏ.ବ୍ରହ୍ମାନନ୍ଦଙ୍କ ପ୍ରୟାସ

ଆସିକା (ୱାଇଏନ୍‍ଏସ୍‍): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁୁଁ ଗତ କିଛି ଦିନ ହେଲା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ତେବେ ଏଥିରୁ ବାଦ୍‍ ପଡିନାହାଁନ୍ତି ଉଡନ୍ତା ପକ୍ଷୀ । ପାଣି ଅଭାବରୁ ପକ୍ଷୀମାନେ ଜଳକଷ୍ଟର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି କବିସୂର୍ଯ୍ୟନଗର ଏନ୍‍ଏସି ଅଧୀନସ୍ଥ ଦେଶୀବେହେରା ସାହିର ସ୍ୱେଚ୍ଛାସେବୀ ଏ.ବ୍ରହ୍ମାନନ୍ଦ ଆଚାରୀ ଆସିକା ସହରର କେତେକ ସାହିବସ୍ତିରେ ଜଳପାତ୍ର ଟାଙ୍ଗିବା ସହ ଉଡନ୍ତା ପକ୍ଷୀଙ୍କ ପାଇଁ ପାଣିର ବ୍ୟବସ୍ଥା କରିଥିବା ବେଳେ ତାଙ୍କର ଏହି ମହନୀୟ ପଦକ୍ଷେପକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । କହିବାର ଶକ୍ତି ନାହିଁ ବୋଲି ପ୍ରଚଣ୍ଡ ଖରାରେ ପ୍ରତିବାଦ କରିପାରୁ ନାହାନ୍ତି ଉଡନ୍ତା ପକ୍ଷୀ । ଖରା ଦିନକୁ ଦିନ ବଢିବାରେ ଲାଗିଛି ଅଥଚ ପାଣି ମୁନ୍ଦେ ପାଇଁ ଉଡନ୍ତା ପକ୍ଷୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଗତ କିଛି ଦିନ ହେଲା ଧୁ ଧୁ ଖରା ଲାଗିରହିଛି । ଘରୁ ଗୋଡ କାଢିଲା ବେଳକୁ ଦେହହାତ ଜଳିଲା ଭଳି ଲାଗୁଛି । ହେଲେ ଏପରି ସ୍ଥିତିରେ ଅକୁହା ଉଡନ୍ତା ପକ୍ଷୀଙ୍କ ଅବସ୍ଥା କଣ ହେଉଥିବ ତାହା ସହଜରେ ଅନୁମେୟ । ଉପରୁ ସୂର୍ଯ୍ୟଙ୍କ ଉତ୍ତାପ ସାଙ୍ଗକୁ ତଳେ ତତଲା କଂକ୍ରିଟ ପେଭର୍‍ ବ୍ଳକର ରାସ୍ତା ଛାଇ ହୋଇଯାଇଛି । ପକ୍ଷୀଙ୍କ ପାଇଁ ପ୍ରାୟତଃ ରାସ୍ତାରେ ମାଟିଟିଏ ନଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଟୋପେ ପାଣି ଓ ଖାଦ୍ୟ ଟିକିଏ ପାଇଁ ଉଡନ୍ତା ପକ୍ଷୀମାନେ ହନ୍ତସନ୍ତ ହେଉଥିବା ବେଳେ ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ସାହାରା ପାଲଟିଛନ୍ତି ସ୍ୱେଚ୍ଛାସେବୀ ଏ.ବ୍ରହ୍ମାନନ୍ଦ । ପ୍ରଚଣ୍ଡ ରୌଦ୍ରତାପରେ ଅଣନିଃଶ୍ୱାସୀ ହୋଇପଡୁଥିବା ପକ୍ଷୀମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଯୁବ ସ୍ୱେଚ୍ଛାସେବୀ ଏ.ବ୍ରହ୍ମାନନ୍ଦ ଆସିକା ସହରର ବିଭିନ୍ନ ସ୍ଥାନରେ ମାଟିରେ ଜଳଠେକି ବ୍ୟବସ୍ଥା କରି ପାଣି ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳୁଛି । ଦିନକୁ ଦିନ ଆସିକା ଅଞ୍ଚଳରେ ଅସହ୍ୟ ହେବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଖରାରେ ଉଡନ୍ତା ପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ଯୁବ ସ୍ୱେଚ୍ଛାସେବୀ ଏ.ବ୍ରହ୍ମାନନ୍ଦ ବିଭିନ୍ନ ସ୍ଥାନରେ ମାଟିରେ ଜଳ ଠେକି ସ୍ଥାପନ କରି ପାଣି ଭର୍ତ୍ତି କରୁଥିବା ବେଳେ ଉଡନ୍ତା ପକ୍ଷୀମାନେ ଆପେ ଆପେ ସେଠାକୁ ଆସି ପାଣି ପିଇ ଶୋଷ ମେଣ୍ଟାଉଥିବା ପରିଲକ୍ଷିତ ହେଉଛି । ଏ ସଂପର୍କରେ ଯୁବ ସ୍ୱେଚ୍ଛାସେବୀ ଏ.ବ୍ରହ୍ମାନନ୍ଦ ଆଚାରୀ ପ୍ରକାଶ କରିକହିଛନ୍ତି ଯେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ସାଧାରଣ ଜନତା ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ବେଳେ ଉଡନ୍ତା ପକ୍ଷୀମାନେ ପାଣିମୁନ୍ଦେ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉଡନ୍ତା ପକ୍ଷୀଙ୍କ ପାଇଁ ଜଳସେବା ବ୍ୟବସ୍ଥା ଆୟୋଜନ କରି ସ୍ୱେଚ୍ଛାସେବୀ ଏ.ବ୍ରହ୍ମାନନ୍ଦ ଆଚାରୀ ଏକ ନିଆରା ଉଦାହରଣ ସୃଷ୍ଟି କରିଥିବା ବେଳେ ତାଙ୍କର ଏହି ମହନୀୟ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ