ମରଣ ଯନ୍ତା ପାଲଟିଛି ଗୁଣପୁର ସହରାଞ୍ଚଳ ଡାକ୍ତରଖାନାର ରାସ୍ତା
ଗୁଣପୁର,(ୱାଇଏନଏସ): ପୁରୁଣା ଗୁଣପୁର ନିକଟସ୍ଥ ଟାଉନ ହଲ ପାର୍ଶ୍ୱରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାତାୟତ ପାଇଁ ଭଲ ରାସ୍ତା ନାହିଁ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ତାହା ସାଧାରଣ ଜନତାଙ୍କ ପାଇଁ ‘ମରଣ ଯନ୍ତା’ ପାଲଟିଛି। ମରାମତି ଅଭାବରୁ ଏହି ରାସ୍ତାଗୁଡ଼ିକରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି, ଯାହା ଫଳରେ ରୋଗୀଙ୍କୁ ଡାକ୍ତରଖାନା ନେବା-ଆଣିବାରେ ପ୍ରବଳ ଅସୁବିଧା ହେଉଛି ଏବଂ ଦୁର୍ଘଟଣା ବଢ଼ିବାରେ ଲାଗିଛି। ରାସ୍ତାର ଅବସ୍ଥା ଭଲ ନଥିବା ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନେ ବଡ଼ ଅସୁବିଧାରେ ପଡୁଥିବା ଦେଖିବାକୁ ମିଳୁଛି। ବର୍ଷା ହେଲେ କାଦୁଅ ଖସଡ଼ା ଯୋଗୁଁ ରାସ୍ତା ବିପଦ ଜନକ ଅବସ୍ଥାରେ ରହି ଯାତାୟତ ପାଇଁ ଭୀଷଣ ଅସୁବିଧା ହେଉଛି। ରାସ୍ତାଟି ଅତ୍ୟନ୍ତ ଗଡ଼ାଣିଆ ଖାଲ ରହିଥିବା ହେତୁ ସେହି ସ୍ୱାସ୍ଥ୍ୟ କେନ୍ଦ୍ର ଯିବା ଆସିବା ଭାରି କଷ୍ଟ ଦାୟକ ହୋଇପଡୁଛି। ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅସୁରକ୍ଷିତ ଅବସ୍ଥାରେ ରୋଗୀ ମାନେ ଏହି ଜରାଜୀର୍ଣ୍ଣ ରାସ୍ତାରେ ଯାତାୟତ କରିବାକୁ ପଡୁଛି। ସେହି ରାସ୍ତାରେ ଯିବା ଆସିବା କରୁଥିବା ରୋଗୀ ମାନେ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଖଣ୍ଡିଆ ଖାଵରା ହେଉଥିବା ଘଟଣା ନଜରକୁ ଆସିଛି। ଏହିଭଳି ପରିସ୍ଥିତିରେ ରୋଗୀ ମାନେ ସହରାଞ୍ଚଳ ଡାକ୍ତରଖାନାକୁ ଯିବାକୁ ଆଶଙ୍କା ମଣୁଛନ୍ତି। ଯଦି କୌଣସି ଦିବ୍ୟାଙ୍ଗ କିମ୍ବା ରୋଗୀଙ୍କୁ ଅଟୋ ରିକ୍ସାରେ ନେଵା ଆଣିବା କରିବା ସମୟରେ ବଡ଼ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏମିତିକି ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର, ନର୍ସ,କର୍ମଚାରୀ ମଧ୍ୟ ଏହି ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଉଛି। ଖାଲଖମା ପୂର୍ଣ୍ଣ ରାସ୍ତା ଦେଇ ଯିବା ସମୟରେ ଦୁର୍ଘଟଣା ଘଟୁଛି, ଯେଉଁଥିରେ ପୌର ପ୍ରଶାସନର ଦୃଷ୍ଟି ନାହିଁ।। ବର୍ଷା ଦିନରେ ଖାଲଖମାରେ ପାଣି ଜମି ରହିବା ଯୋଗୁଁ ଗାଡ଼ିଚାଳକମାନେ ରାସ୍ତା ଅବସ୍ଥା ଜାଣିପାରୁ ନାହାନ୍ତି, ଫଳରେ ଦୁର୍ଘଟଣା ଘଟୁଛି।ମାତ୍ର ଦେଢ଼ ବର୍ଷ ପୂର୍ବେ ଫେବର ବ୍ଲକରେ ନିର୍ମିତ ରାସ୍ତାର ଅବସ୍ଥା ଖରାଫ ହୋଇଯାଇଥିଲେ ମଧ୍ୟ କତ୍ତୃପକ୍ଷ ମରାମତି ମଧ୍ୟ କରୁ ନାହାନ୍ତି ବୋଲି ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଟି ସକାଳ ୮ ଟା ରୁ ଦିନ ୧୧ ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୫ ଟାରୁ ରାତ୍ର ୮ ପର୍ଯ୍ୟନ୍ତ ଖୋଲା ରହୁଛି। କେବଳ ସରକାରୀ ଛୁଟି ଦିନ ସକାଳ ୮ ଟା ରୁ ଦିନ ୧୧ ପର୍ଯ୍ୟନ୍ତ ଖୋଲା ରହିଥାଏ। ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୂର୍ବ ଅପେକ୍ଷା ବର୍ତ୍ତମାନ ଅନେକ ରୋଗୀଙ୍କ ଭିଡ଼ ଜମୁଥିବା ବେଳେ ବର୍ତ୍ତମାନ ରାସ୍ତା ସମସ୍ୟା ରୋଗୀ ମାନଙ୍କ ପାଇଁ ମରଣଯନ୍ତା ପାଲଟିଛି।ଉକ୍ତ ପୌର ପାଳିକା ରାସ୍ତାଟି ପୁର୍ତ୍ତ ବିଭାଗର ବାଇପାସ ରାସ୍ତାକୁ ସଂଯୋଗ କରୁଛି। ପୌର କତ୍ତୃପକ୍ଷ ରାସ୍ତା ମରାମତି କରୁନଥିବା ବେଳେ ପୁର୍ତ୍ତ ବିଭାଗ ନାଳ ତିଆରି କରୁନାହିଁ। ଏହି ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ କହିଛନ୍ତିଯେ ଚଳିତ ବର୍ଷ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ,ଆର ବର୍ଷ ଏକ୍ସନ ପ୍ଲାନରେ ରଖାଯିବ ବୋଲି କହିଛନ୍ତି। ସେହିପରି ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ ମିଶ୍ର ସପ୍ତାହକ ମଧ୍ୟରେ ନାଳ ସହ ସଂଯୋଗ ରାସ୍ତା ତିଆରି କରିଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।


