ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଶି ଅଶାଳୀନ ବ୍ୟବହାର କରିବା : ପୋଲିସର ତଦନ୍ତ ଜାରି
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ସରକାରୀ କାର୍ଯ୍ୟାଳୟ ମାନେ ଜନସେବାର ମନ୍ଦିର। ସେଠାରେ ବସି ଜଣେ କର୍ମଚାରୀ ଗରିବ ଲୋକଙ୍କ ଆବାସ, ରାସନ, ପାନୀୟ ଜଳ ପାଇଁ ଫାଇଲ ଦେଖନ୍ତି। କିନ୍ତୁ ସେହି ମନ୍ଦିର ଭିତରକୁ ଯଦି ଗୁଣ୍ଡାରାଜ ପଶିଯାଏ ତେବେ ସୁଶାସନର କଣ ହେବ ? ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଘଟିଥିବା ଘଟଣା ଏହି ପ୍ରଶ୍ନକୁ ଆଉ ଥରେ ଉଠାଇଛି। କିଛି ଦିନ ତଳେ କାକଟପୁର ବ୍ଲକ କାର୍ଯ୍ୟାଳୟରେ ଥିବା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କକ୍ଷକୁ କିଛି ବ୍ୟକ୍ତି ପ୍ରବେଶ କରି ଅଶୋଭନୀୟ ବ୍ୟବହାର କରିଥିଲେ। କାଗଜପତ୍ର ଉଠାଇଥିଲେ ଏବଂ ଉଚ୍ଚ ସ୍ୱରରେ ଆବାଜ କରି ଧମକାଇଥିଲେ। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବୁଧବାର ପୂର୍ବାହ୍ନରେ କାକଟପୁର ବ୍ଲକ ଅଧକ୍ଷ ଶ୍ରୀଧର ନାୟକ ଓ ବିଡିଓ ନାରାୟଣ ଦୀକ୍ଷିତି ସାମ୍ବାଦିକ ସମ୍ମିଳନୀ କରି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ବିଡିଓ କହିଥିଲେ, ଆବାସ ଯୋଜନାରେ ହିତାଧିକାରୀ ଚୟନ ପାଇଁ ଅଭିଯୋଗ ପିରିୟଡ ଚାଲିଛି। ଯାହାଙ୍କ ନାମ ଅଛି ତାଙ୍କର ତଦନ୍ତ ହେଉଛି, ଯାହାଙ୍କ ନାମ ନାହିଁ ସେ ଆବେଦନ କଲେ ତଦନ୍ତ ହେବ। ନିୟମ ଅନୁସାରେ ଯୋଗ୍ୟ ଲୋକ ଘର ପାଇବେ। ଏଥିରେ ତୃତୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ମୁଁ ତହସିଲ କାର୍ଯ୍ୟରେ ଥିବା ବେଳେ ସେମାନେ ସଂଘବଦ୍ଧ ଭାବେ ଅଫିସକୁ ପଶି ଯନ୍ତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି। ବ୍ଲକ କର୍ମଚାରୀ ଯଦି ନିଜକୁ ନିରାପଦ ମଣିବେ ନାହିଁ, ତେବେ ସେମାନେ କିପରି ନିରପେକ୍ଷ ଭାବେ ବିକାଶ କାର୍ଯ୍ୟ କରିବେ, ବ୍ଲକ ଅଧକ୍ଷ ଶ୍ରୀଧର ନାୟକ କହିଛନ୍ତି , କାକଟପୁର ହେଉଛି ନିର୍ବାଚନ ମଣ୍ଡଳୀ ହେଡକ୍ୱାଟର। ଏଠାରୁ ଲକ୍ଷାଧିକ ଲୋକଙ୍କ ଭାଗ୍ୟ ନିର୍ଦ୍ଧାରିତ ହୁଏ। ସରକାରଙ୍କ ପ୍ରତିଟି ଯୋଜନା ଏଠାରୁ ଲୋକଙ୍କ ପାଖରେ ପହଞ୍ଚେ। କିନ୍ତୁ କର୍ମରତ ଅଫିସରଙ୍କୁ କାର୍ଯ୍ୟାଳୟ ଭିତରେ ପଶି ଖରାପ କରିବା କେବେବି ଗ୍ରହଣୀୟ ନୁହେଁ। ସାମ୍ବାଦିକ ଭାବେ ଆମେ ପ୍ରଶ୍ନ ପଚାରିପାରିବା, କିନ୍ତୁ ସେଇଟା ସମ୍ମାନର ସହ ହେବା ଦରକାର। ଘଟଣା ପରେ ଆମେ ଜିଲ୍ଲାପାଳ, ପ୍ରକଳ୍ପ ଅଧିକାରୀ, ଏସପି ଓ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛୁ। ଏହି ଘଟଣାକୁ ନେଇ ଗତ ୭ତାରିଖ ରେ କାକଟପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକାରୀ ହେଉଛନ୍ତି ବ୍ଲକର ଜଣେ କର୍ମଚାରୀ। ଅଭିଯୋଗରେ ୮ଜଣ ବ୍ୟକ୍ତି ସମ୍ପୃକ୍ତ ଥିବା କୁହାଯାଇଛି। ଅଭିଯୋଗ ଆଧାରରେ କାକଟପୁର ଥାନା କେସ ନଂ ୨୫୮/୨୦୨୬ ରୁଜୁ ହୋଇ ବିଏନଏସ ୨୦୨୩ର ବିଭିନ୍ନ ଧାରାରେ ତଦନ୍ତ ଜାରି ରହିଛି। ସରକାରୀ କର୍ମଚାରୀ ହେଉଛନ୍ତି ଗଣତନ୍ତ୍ର ମେରୁଦଣ୍ଡ। ସେମାନେ ଭୟମୁକ୍ତ ହୋଇ କାମ କରିପାରିଲେ ହିଁ ସରକାରଙ୍କ ଯୋଜନା ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବ। କାର୍ଯ୍ୟାଳୟ ହେଉଛି ସେବା କେନ୍ଦ୍ର, ନା ଯୁଦ୍ଧକ୍ଷେତ୍ର। ତେଣୁ କର୍ମଚାରୀଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସମାଜ ଓ ପ୍ରଶାସନ ଉଭୟଙ୍କ ଦାୟିତ୍ୱ। ସାମ୍ବାଦିକତାର ଚତୁର୍ଥ ସ୍ତମ୍ଭ ହେଉଛି ଗଣତନ୍ତ୍ରର ଦର୍ପଣ। ଦର୍ପଣର କାମ ହେଉଛି ସତ୍ୟ ଦେଖାଇବା, ନା ପଥର ମାରିବା। ଅଫିସରଙ୍କୁ ପ୍ରଶ୍ନ କରନ୍ତୁ, ତଥ୍ୟ ଖୋଜନ୍ତୁ, ଅନିୟମିତ ଉଠାନ୍ତୁ। ସଂମ୍ମାନ ଶହ ପ୍ରଶ୍ନ କରନ୍ତୁ।କିନ୍ତୁ କାର୍ଯ୍ୟାଳୟ ଭିତରେ ପଶି ଉଚ୍ଚ ଶବ୍ଦ ରେ ପ୍ରଶ୍ନ କରିବା ଗ୍ରହଣୀୟ ନୁହେଁ,ତାହା ଅରାଜକତା। ଦାୟିତ୍ୱବାନ ସାମ୍ବାଦିକତା ହିଁ ସମାଜକୁ ଆଗକୁ ନେଇପାରେ। ପ୍ରଶାସନ ସ୍ପଷ୍ଟ କରିଦେଇଛି, ଯୋଗ୍ୟ ହିତାଧିକାରୀଙ୍କୁ ନ୍ୟାୟ ମିଳିବ। କିନ୍ତୁ ଆଇନକୁ ହାତକୁ ନେଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ। କାକଟପୁର ଘଟଣା ସାରା ରାଜ୍ୟ ପାଇଁ ଏକ ସତର୍କ ସଙ୍କେତ।


