ବୈତରଣୀରେ ପୁଣି ବନ୍ୟା: ହାଟଡିହି ବ୍ଲକର ୧୪ରୁ ଊର୍ଦ୍ଧ୍ୱ ଗ୍ରାମ ପାଣି ଘେରରେ

ହାଟଡିହି, (ଓ୍ବାଇଏନଏସ): ଉପରମୁଣ୍ଡରେ ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିବାରୁ ବୈତରଣୀ ନଦୀର ଜଳସ୍ତର ପୁଣି ବୃଦ୍ଧି ପାଇଛି। ଫଳରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ହାଟଡିହି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ନଦୀର ବନ୍ୟାଜଳ ତଳିଆ ଅଞ୍ଚଳକୁ ପ୍ରବେଶ କରିବାରୁ ହାଟଡିହି ବ୍ଲକର ୧୪ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି। ଅନେକ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଗମନାଗମନ ବ୍ୟାହତ ହୋଇଛି। ବନ୍ୟା ପ୍ରଭାବରେ ରାଘବପୁର, ଆଇତିପୁର, ନୂଆଗାଁ, ଅମୃତପୁର, ସାହାପୁର, ରତକଣା, ସମଣା, କରଗୋଳା, ଅଣତିରା, ଲଇଛଣପୁର, ଆମ୍ବୋ, ବାହାରିପୁର, ଗିରିଗାଁ ଓ ତେଲସିଙ୍ଗା ସମେତ ବିଭିନ୍ନ ଗ୍ରାମ ପାଣି ଘେରରେ ରହିଛି। ତଳୁଆ ଅଞ୍ଚଳରେ ବନ୍ୟାଜଳ ବଢ଼ି ଚାଲିଥିବାରୁ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ଅଣା-ସମଣା ରାସ୍ତାର ବରାଙ୍ଗ ଛକ ଓ ଚାପୁଣ୍ଡିଆ ନିକଟରେ ରାସ୍ତା ଉପରେ ତିନି ଫୁଟ ଉଚ୍ଚାର ବନ୍ୟାଜଳ ପ୍ରବାହିତ ହେଉଛି। ଏଥିଯୋଗୁଁ ସମଣା ପଞ୍ଚାୟତକୁ ଯୋଗାଯୋଗ ପ୍ରାୟ ବିଛିନ୍ନ ହୋଇପଡ଼ିଛି। ସେହିପରି ଅଣତିରା ନିକଟରେ ପ୍ରାୟ ୩ ଫୁଟ ଉଚ୍ଚର ପାଣି ରାସ୍ତା ଉପରେ ଚାଲୁଥିବାରୁ ଆମ୍ବୋ ପଞ୍ଚାୟତକୁ ମଧ୍ୟ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ବନ୍ୟା ପରିସ୍ଥିତି ଗମ୍ଭୀର ହେବା ଆଶଙ୍କାରେ  ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । କରଗୋଳା, ଲଇଛଣପୁର, ଆମ୍ବୋ, ଗିରିଗାଁ, ଅଣତିରା, ବିରିଡି ଓ ନୂଆଗାଁ ଆଦି ଗ୍ରାମର ଶତାଧିକ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ଉପରେ ନଜର ରଖାଯାଉଛି। ଅନ୍ୟ ପକ୍ଷରେ ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ପ୍ରତି ପଞ୍ଚାୟତର କର୍ମକର୍ତ୍ତା ମାନେ ସେମାନଙ୍କ ଅଞ୍ଚଳରେ ବୁଲି ବୁଡି ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି।  ଏପଟେ ଆଇତିପୁର ପଞ୍ଚାୟତ ଅଧୀନ ରାଘବପୁର ଗାଁ ମଧ୍ୟ ପାଣି ଘେରରେ ରହିଛି। ଗାଁର ରାସ୍ତା ଉପରେ ପ୍ରାୟ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ରାଘବପୁର ସ୍କୁଲ ପରିସରରେ ମଧ୍ୟ ବନ୍ୟାଜଳ ପଶିଛି। ଏଥିପାଇଁ ଆଜି ସ୍କୁଲ ଖୋଲାଯାଇ ପାରିନଥିବା ଜଣାପଡ଼ିଛି। ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନେ ମଧ୍ୟ ଚିନ୍ତିତ ଅଛନ୍ତି। ଆଇତିପୁର ଗ୍ରାମର ହରିଜନ ସାହିରେ ୧୫ରୁ ଉର୍ଦ୍ଧ ପରିବାର ସମ୍ପୂର୍ଣ୍ଣ ପାଣିଘେରରେ ରହିଛନ୍ତି। ଘରୁ ବାହାରିବାକୁ ଥିବା ରାସ୍ତା ଉପରେ ୪ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି।  ବନ୍ୟାର ପ୍ରଭାବ କେବଳ ଗମନାଗମନ ଓ ଜନଜୀବନ ଉପରେ ସୀମିତ ରହିନାହିଁ। ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଧାନ ଚାଷ ସହ ପନିପରିବା ଚାଷ ମଧ୍ୟ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଓ ବନ୍ୟାଜଳ ଦୀର୍ଘ ସମୟ ଧରି ଜମି ରହିଲେ ଚାଷୀମାନଙ୍କର ବ୍ୟାପକ କ୍ଷତି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସମଣାଠାରୁ ଆମ୍ବୋ ଏବଂ ହାବଳେଶ୍ୱରଠାରୁ ରାଘବପୁର ପର୍ଯ୍ୟନ୍ତ ବୈତରଣୀ ନଦୀ କୂଳରେ ଆଡ଼ିବନ୍ଧ ନଥିବାରୁ ବନ୍ୟା ସମୟରେ ନଦୀଜଳ ସିଧାସଳଖ ତଳିଆ ଅଞ୍ଚଳକୁ ପ୍ରବେଶ କରୁଛି। ମୁକୁଳା ନଦୀବନ୍ଧ ଦେଇ ବନ୍ୟାଜଳ ପ୍ରବେଶ କରିବାରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେଉଛି। ଦୀର୍ଘମିଆଦୀ ଭିତ୍ତିରେ ନଦୀବନ୍ଧ ସୁଦୃଢ଼ୀକରଣ ଓ ଆଡ଼ିବନ୍ଧ ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେନ୍ଦୁଝର ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ କୁମାର ନାଗ ଭୂଷଣ ହାଟଡିହି ବ୍ଲକରେ ରହି ସ୍ଥିତି ସମୀକ୍ଷା କରିଛନ୍ତି। ହାଟଡିହି ବିଡିଓ ରଞ୍ଜନ କୁମାର ପରିଡ଼ାଙ୍କ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ଆମ୍ବୋ, ସମଣା, ହାବଳେଶ୍ୱର, ଆଇତିପୁର ଓ ଗେଡ଼ମା ପଞ୍ଚାୟତରେ ବ୍ଲକର କନିଷ୍ଠଯନ୍ତ୍ରୀ, ରାଜସ୍ୱ ନିରୀକ୍ଷକ, ପିଇଓ ଓ ଏଡିଓମାନଙ୍କୁ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ରିଲିଫ୍‌ ସାମଗ୍ରୀ ମହଜୁଦ ରଖାଯାଇଥିବା ବିଡିଓ ସୂଚନା ଦେଇଛନ୍ତି। ଜଳସ୍ତର ଆହୁରି ବଢ଼ିଲେ ଆବଶ୍ୟକତା ଅନୁଯାୟୀ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଓ ରିଲିଫ୍‌ ବଣ୍ଟନ ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ବୈତରଣୀର ଜଳସ୍ତର ବୃଦ୍ଧି ସହ ହାଟଡିହିର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଏବେ ମଧ୍ୟ ଚିନ୍ତାଜନକ ରହିଛି।  ତେଣୁ ପ୍ରଶାସନ ପକ୍ଷରୁ ନିୟମିତ ଭାବେ ଜଳସ୍ତର ଓ ବନ୍ୟାପ୍ରଭାବିତ ଅଞ୍ଚଳ ଉପରେ ନଜର ରଖାଯିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ