୪ ଜଣଙ୍କୁ ରେଡ଼କ୍ରସ ପ୍ରାଥମିକ ଚିକିତ୍ସା ଲେ-ଲେକଚରର ଅଫିସିଆଲ ମାନ୍ୟତା
ବନ୍ତ, (ଚାନ୍ଦିନୀ ମହାନ୍ତି): ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ଶାଖା ପକ୍ଷରୁ ଆୟୋଜିତ ଉଚ୍ଚ ସ୍ତରୀୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣରେ ଭଦ୍ରକ ଜିଲା ଚିଙ୍ଗୁଡ଼ିପୁରସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲିଜା ଦାସ, ଚାନ୍ଦବାଲି ବ୍ଲକ ସନ୍ଥିଆସ୍ଥିତ ଶାରଳା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ରୁବିନା ଖାତୁନ, ବନ୍ତ ବ୍ଲକ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତରଣୀସେନ ଜେନା ଏବଂ ଭଦ୍ରକ କେଶପୁର ୟୁଜିଏମଇ ସ୍କୁଲର ଶିକ୍ଷକ ସୁଶାନ୍ତ କୁମାର ବିଶ୍ୱାଳ ପ୍ରାଥମିକ ଚିକିତ୍ସା କ୍ଷେତ୍ରରେ ସର୍ବୋଚ୍ଚ ଯୋଗ୍ୟତା ଲେ-ଲେକଚରର ସମ୍ପୂର୍ଣ କରି ଜିଲା ପାଇଁ ଗୌରବ ଆଣିଛନ୍ତି l ଦୀର୍ଘ ୫ ବର୍ଷର ସାଧନା ଏବଂ ଅଧ୍ୟୟନ ପରେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେଇ ସେମାନେ ସଫଳ ହୋଇଛନ୍ତି l ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରାଥମିକ ଚିକିତ୍ସା ସଚେତନତା ସୃଷ୍ଟି କରିବା ସେମାନଙ୍କର ମୂଳ ଲକ୍ଷ୍ୟ l ଏଥିସହ ଦୁର୍ଘଟଣା, ସାପ କାମୁଡା, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ସେମାନେ ଜଣେ ଜଣେ ମାଷ୍ଟର ଟ୍ରେନର ଭାବେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ବେଛାସେବୀ ଅନୁଷ୍ଠାନ ଏବଂ ସାଧାରଣ ଜନତାଙ୍କୁ ପ୍ରଶିକ୍ଷଣ ଦେବାରେ ଦକ୍ଷତା ହାସଲ କରିଛନ୍ତି l ଅଗଷ୍ଟ ୨୫ରେ ଭୁବନେଶ୍ୱରସ୍ଥିତ ରେଡକ୍ରସ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରେଡ଼କ୍ରସ ସୋସାଇଟି ପକ୍ଷରୁ ତାଙ୍କୁ ପ୍ରମାଣ ପତ୍ର, ପରିଚୟ ପତ୍ର ଓ ବ୍ୟାଚ ଆଦି ପ୍ରଦାନ କରାଯାଇଥିଲା l ସେମାନଙ୍କର ଏହି ସଫଳତା ନେଇ ରାଜ୍ୟ ଜୁନିଅର ରେଡ଼କ୍ରସ ଅଧିକାରୀ ଲକ୍ଷ୍ମଣ କୁମାର ସ୍ୱାଇଁ, ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ,ଜିଲା ଜୁନିଅର ରେଡ଼କ୍ରସ ଅଧିକାରୀ ନରେନ୍ଦ୍ର ପ୍ରସାଦ ସାହୁ, ଡିପିଇଓ ରାଜେନ୍ଦ୍ର କୁମାର ନାୟକଙ୍କ ସମେତ ଜିଲାର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକର୍ମୀ, ବୁଦ୍ଧିଜୀବି ଏବଂ ରେଡ଼କ୍ରସର କାଉନସିଲର ମାନେ ଶୁଭେଚ୍ଛା ଜଣାଇଛନ୍ତି l


