ବାବେବିର-ବର୍ତ୍ତନସିଲ ରାସ୍ତାକୁ ନେଇ ଉଠିଲା ପ୍ରଶ୍ନ

ବୋଡେ଼ନ,(ଡୁଲେଶ୍ୱର ବାଗ): ବୋଡେନ ବ୍ଲକ ଅନ୍ତର୍ଗତ ବାବେବିର ପଞ୍ଚାୟତର ବାବେବିରରୁ ବର୍ତ୍ତନସିଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ଦଶ ଥର ରାସ୍ତା ମରାମତି ଓ ନିର୍ମାଣ କାମ କରାଯାଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟାତରେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନରେ ପରିସ୍ଥିତି ଆହୁରି ଗୁରୁତର ହୋଇପଡ଼ୁଛି। ସ୍କୁଲ ଛାତ୍ରଛାତ୍ରୀ, ରୋଗୀ ଏବଂ ଦୈନନ୍ଦିନ ଯାତ୍ରୀମାନେ ଏହି ରାସ୍ତା ଦେଇ ଯାତାୟାତ କରିବାରେ ବହୁତ ଅସୁବିଧା ଭୋଗୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ପ୍ରଶ୍ନ ହେଉଛି, ବାରମ୍ବାର କାମ ହେବା ସତ୍ତ୍ୱେ ରାସ୍ତାର ଅବସ୍ଥା ଯଦି ଏପରି ରହୁଛି, ତେବେ ଏଥିପାଇଁ ଦାୟୀ କିଏ? କାର୍ଯ୍ୟ ନିର୍ବାହ କରୁଥିବା ଠିକାଦାର, ସମ୍ପୃକ୍ତ ବିଭାଗ ନା ପ୍ରଶାସନିକ ତଦାରଖର ଅଭାବ? ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଅଞ୍ଚଳବାସୀ ଏହି ରାସ୍ତାର ଗୁଣବତ୍ତା ଯାଞ୍ଚ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବା ସହ ଏକ ସ୍ଥାୟୀ ଓ ଉନ୍ନତମାନର ରାସ୍ତା ନିର୍ମାଣ ପାଇଁ ପ୍ରଶାସନଙ୍କୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ