୬କୋଟି ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ଗଛ ନଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)- ଗଜପତି ଜିଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ସୁନ୍ଦରଡାଙ୍ଗ ପଞ୍ଚାୟତର ଆଟିଲିମ୍ମା ଅଞ୍ଚଳରେ ପୋଲିସ, ଅବକାରୀ ଓ ରାଜସ୍ୱ ବିଭାଗର ଏକ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣରେ ଚୋରା ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି । ଗଜପତି ଜିଲାପାଳ ଅନୁପମ ସାହା ଓ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ କ୍ରମେ ଏହି ମିଳିତ ଚଢାଉ କରାଯାଇଥିଲା । ଚଢାଉ ବେଳେ ସେଠାରେ ପ୍ରାୟ ୩୨ ଏକର ଜମିରେ ଚାଷ ହୋଇଥିବା ୬୪ହଜାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିବା ଜଣାପଡିଛି । ଏହି ଗଞ୍ଜେଇ ଗଛ ଗୁଡିକର ମୂଲ୍ୟ ପ୍ରାୟ ୬କୋଟି ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଏସମ୍ପର୍କରେ ଆର୍.ଉଦୟଗିରି ଥାନାରେ ୧୪୩/୧୯ରେ ଏକ ମାମଲାରୁଜୁ ହୋଇଥିବାବେଳେ ମାଜିଷ୍ଟ୍ରେଟ ଭାବେ ଆର୍.ଉଦୟଗିରି ତହସିଲଦାର ଏସ୍.ଆର୍.ଶତପଥି ଉପସ୍ଥିତଥିବା ଜଣାପଡିଛି ।


