ଚୋରା ବାଲି ଚାଲାଣ ରୋକିବା ସମୟରେ ଟ୍ରାକ୍ଟର ଚଢାଇ ୩ ପୁଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ
କଟକ, (ଓ୍ବାଇଏନଏସ): ଚୋରା ବାଲି ଚାଲାଣ ରୋକିବା ସମୟରେ ଟ୍ରାକ୍ଟର ଚଢାଇ ୩ ପୁଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ତେବେ ସୌଭାଗ୍ୟବଶତଃ ପୁଲିସ କର୍ମଚାରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅଭିଯୋଗ ପାଇବା ପରେ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଖାନତଲାସ କରି ଏକ ସାହିର ଗଳି ମଧ୍ୟରୁ ଟ୍ରାକ୍ଟର ଜବତ କରିବାରେ ସକ୍ଷମ ହୋଇଛି। ତେବେ ଚାଳକ ଜଣକ ଫେରାର ହୋଇଯାଇଛି। ଏ ନେଇ ସଦର ଥାନା ପୁଲିସ ମାମଲା ରୁଜୁକରିଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରତିବର୍ଷ ବର୍ଷାଋତୁରେ ନଦୀରେ ପ୍ରବଳ ପାଣି ଯୋଗୁଁଁ ବାଲିଉଠାଣ ବନ୍ଦ ରହେ। ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ନିର୍ଦେଶନାମା ଜାରି ହୋଇଛି। ତେବେ ସରକାରୀ ନିର୍ଦେଶ ଅବମାନନା କରି କେତେକ ମାଫିଆ ନଦୀରୁ ବାଲି ଉଠାଇ ନିର୍ଦିଷ୍ଟ ସ୍ଥାନରେ ଗଚ୍ଛିତ ରଖିବା ସହିତ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଏକ ଟ୍ରାକ୍ଟର ଯୋଗେ ଚୋରା ବାଲି ଚାଲାଣ ହେଉଥିବା ନେଇ ସୂଚନା ମିଳିବା ପରେ ପୁଲିସ କାଜିପାଟଣା ବନ୍ଧରେ ଜଗି ରହିଥିଲା। ଟ୍ରାକ୍ଟର ଆସୁଥିବା ବେଳେ ତିନି ପୁଲିସ କର୍ମଚାରୀ ସେଠାକୁ ଯାଇ ଟ୍ରାକ୍ଟରକୁ ଅଟକାଇବା ଲାଗି ଚେଷ୍ଟା କରିଥିଲେ; ମାତ୍ର ଚାଳକ ଜଣକ ଟ୍ରାକ୍ଟର ଅଟକାଇବା ପରିବର୍ତ୍ତେ ଆଗରୁ ଉଠିଯାଅ, ନ ହେଲେ ଗାଡି ଚଢାଇ ମାରିଦେବି ବୋଲି କହିଥିଲା। ପୁଲିସ କର୍ମଚାରୀମାନେ ଆଗରୁ ନ ହଟିବାରୁ ଚାଳକ ଜଣକ ଟ୍ରାକ୍ଟରକୁ ଦ୍ରୁତ ଗତିରେ ନେଇ ମାଡି ଆସିଥିଲା। ଜୀବନ ବଞ୍ଚାଇବାକୁ ଯାଇ ତିନି ପୁଲିସ କର୍ମଚାରୀ ରାସ୍ତାକଡ଼କୁ ଡେଇଁ ପଡ଼ିଥିଲେ। ଫଳରେ ଜଣେ ପୁଲିସ ଖଣ୍ଡିଆଖାବରା ହୋଇଥିଲେ। ଏହି ସୂଚନା ପାଇବା ପରେ ଥାନାର ଅନ୍ୟ ପୁଲିସ ଅଧିକାରୀ ସେଠାରେ ପହଞ୍ଚି ଉକ୍ତ ଟ୍ରାକ୍ଟରର ସନ୍ଧାନ ନେବା ଆରମ୍ଭ କରିଥିଲେ। ପାଖରେ ରହିଥିବା ଏକ ସାହିର ଲୋକଙ୍କୁ ପଚରାଉଚରା କରିବା ପରେ ପୁଲିସ ଏକ ଗଳିରୁ ଉକ୍ତ ଟ୍ରାକ୍ଟରକୁ ଠାବ କରିବାରେ ସକ୍ଷମ ହୋଇଥିଲା, ହେଲେ ଚାଳକଜଣକ ଖସି ପଳାଇ ଯାଇଥିଲା। ଟ୍ରାକ୍ଟରକୁ ଜବତ କରାଯାଇ ଥାନାକୁ ଅଣାଯିବା ସହିତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଚାଳକର ଲାଇସେନ୍ସ ନ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।


