ଅଟୋ ଚାଳକ ଦେଖାଇଲେ ମହାନତା : ଫେରାଇଲେ ଯାତ୍ରୀ ଛାଡିଥିବା ୬୦ ହଜାର ଟଙ୍କା
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଜଣେ ଯାତ୍ରୀଙ୍କ ଟଙ୍କା ଭର୍ତ୍ତି ବ୍ଯାଗକୁ ଫେରାଇ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଧିନ ପଳାସପୁର ଇନ୍ଦିରା ଆବାସ ଗ୍ରାମରେ ରହୁଥିବା ଟୁକୁନା ସେଠୀ ନାମକ ଜଣେ ଅଟୋ ଚାଳକ ନିଜର ମହାନତାର ନିଦର୍ଶନ ଦେଖାଇଥିବା ଦିଗପହଣ୍ଡି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ପ୍ରକାରେ ପାଟପୁର ଥାନା ଚିନ୍ତାଖାଳି ଗ୍ରାମର ଏମ୍.ସତ୍ଯ ନାରାୟଣ ଦୋରା ସୋମବାର ସନ୍ଧ୍ୟାରେ ବ୍ରହ୍ମପୁରରୁ ଦିଗପହଣ୍ଡି ଫେରିବା ପରେ ଏକ ଯାତ୍ରୀବାହୀ ଅଟୋ ଯୋଗେ ନିଜ ଗ୍ରାମ ନିକଟ ଚୁଡୁଙ୍ଗପୁର ଗ୍ରାମରେ ଓହ୍ଲାଇଥିଲେ।ସେ ସାଙ୍ଗରେ ଆଣିଥିବା ବ୍ଯାଗଟି କୁ ଅଟୋରେ ଛାଡ଼ି ଚିନ୍ତାଖାଳି ଗ୍ରାମକୁ ଚାଲିଯାଇଥିଲେ। ବ୍ୟାଗ ରେ ସେ ୬୦ ହଜାର ଟଙ୍କା ରଖୁଥିଲେ। ଘରେ ପହଞ୍ଚି ଟଙ୍କା ବ୍ୟାଗ ନଥିବା ଜାଣି ସେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ।ଅଟୋ ଚାଳକଙ୍କ ଠିକଣା କିମ୍ୱା ଅଟୋ ନମ୍ବର ଜାଣି ନଥିବା ଯୋଗୁଁ ସେ ସମ୍ପୂର୍ଣ ଭାଙ୍ଗି ପଡିଥିଲେ।ସେ ଅଟୋର ସନ୍ଧାନ ପାଇବା ପାଇଁ ଦିଗପହଣ୍ଡି ଥାନାରେ ପହଞ୍ଚିଥିଲେ।ଅଟୋ ଚାଳକ ଜଣକ ଘରେ ପହଞ୍ଚି ଅଟୋ ରଖିବା ବେଳେ ବ୍ଯାଗଟିକୁ ଯାତ୍ରୀ ଜଣକ ଛାଡ଼ି ଚାଲିଯାଇଥିବା ଜାଣିବାକୁ ପାଇଥିଲେ।ବ୍ଯାଗରେ ଟଙ୍କା ଥିବା ଦେଖି ସେ ମଧ୍ୟ ଟଙ୍କା ଫେରାଇବାକୁ ଥାନାରେ ପହଞ୍ଚିଥିଲେ। ଥାନା ଏସଆଇ ସୋଫିଆ ମିଶ୍ରଙ୍କ ଉପସ୍ଥିତିରେ ଅଟୋ ଚାଳକ ଜଣକ ଟଙ୍କା ଭର୍ତ୍ତି ବ୍ଯାଗକୁ ଅଟୋରେ ଛାଡ଼ି ଯାଇଥିବା ଯାତ୍ରୀଙ୍କୁ ହସ୍ତାନ୍ତର କରିଥିଲେ। ନିଜର ଟଙ୍କା ଫେରି ପାଇବା ପରେ ଯାତ୍ରୀ ଜଣକ ଖୁସି ମନରେ ଘରକୁ ଫେରିଥିବା ବେଳେ ଅଟୋ ଚାଳକଙ୍କ ମହାନତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।


