ଗଞ୍ଜେଇ ସହ ବୋଲର ପିକଅପ ଗାଡ଼ି ଜବତ, ଜଣେ ଗିରଫ ଓ ଜଣେ ଫେରାର

ପୋଲସରା(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ମାରଦା ମନ୍ଦିର ନିକଟ ପୋଲସରା–ବୁଢ଼ାମ୍ବ ରାସ୍ତାରୁ ଗଞ୍ଜେଇ ଭର୍ତ୍ତି ଏକ ବୋଲର ପିକ୍‌ଅପ୍‌ ଗାଡ଼ିକୁ ପୋଲସରା ପୋଲିସ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡିଛି । ଗାଡ଼ିରେ ଥିବା ୨ ଜଣ ପୋଲିସକୁ ଦେଖି ନିକଟସ୍ଥ କାଜୁ ଜଙ୍ଗଲକୁ ଦୌଡ଼ି ପଳାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ କାବୁ କରି ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଚିତ୍ର ଷଣ୍ଢ (୨୭)। ପୋଲିସ ସମ୍ପୃକ୍ତ ବୋଲର ପିକଅପ ଭ୍ୟାନ ଓଡ଼ି ୦୨ ବିଏନ ୦୦୮୭ କୁ ଯାଞ୍ଚ ବେଳେ ବିପୁଳ ପରିମାଣର ଗଂଜେଇ ମିଳିଥିଲା । ଜବତ ଗଞ୍ଜେଇର ପରିମାଣ ୫୮୨ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୂଚନା ଅନୁଯାୟୀ ପୋଲସରା ବୁଢ଼ାମ୍ବ ରାସ୍ତାର ମାରଦା ନିକଟରେ ୧୦/୯/୨୬ ତାରିଖ ଦିନ ସକାଳ ସମୟରେ ଯାନବାହାନ ଯାଞ୍ଚ ଚାଲିଥିବା ବେଳେ ଏକ ପିକ୍‌ଅପ୍‌ ଗାଡ଼ିକୁ ଦେଖି ସନ୍ଦେହ କରିଥିଲେ । ଗାଡ଼ିରେ ଥିବା ୨ ଜଣ ଯୁବକ ସୁଯୋଗ ଦେଖି ନିକଟସ୍ଥ କାଜୁ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ । ପୋଲସରା ପୋଲିସ ପିଛାକରି ଚିତ୍ର ଷଣ୍ଢକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ। ଖବର ପାଇ ପୁରୁଷୋତ୍ତମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୁଜିତ କୁମାର ନାୟକ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ରମେଶ ଚନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତିରେ ଜବତ ଗଂଜେଇକୁ ଚିହ୍ନଟ କରାଯିବା ସହ ଓଜନ କରାଯାଇଥିଲା । ଏନେଇ ପୋଲସରା ଥାନା କେସ ନଂ ୫୩୬/୨୬ ପ୍ରକାରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଗିରଫ ଅଭିଯୁକ୍ତ  ଚିତ୍ର ଷଣ୍ଢ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଫୁଲବାଣୀରୁ ପୋଲସରା ଦେଇ ବାହାର ରାଜ୍ୟକୁ ଗଂଜେଇ ଚାଲାଣ ହେଉଥିବା ନେଇ ପୁରୁଷୋତ୍ତମପୁର ଏସ ଡି ପି ଓ ସୁଜିତ କୁମାର ନାୟକ ଓ ପୋଲସରା ଆଇଆଇସି କୌଶିକ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ