କେନ୍ଦୁଝର ଜିଲ୍ଲା କୃଷକମାନଙ୍କୁ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ପବିତ୍ର ନୂଆଖାଇ ଅବସରରେ ୨୭ ତାରିଖ ବୁଧବାର ଦିବା ୧୧ ଘଟିକା ସମୟରେ କେନ୍ଦୁଝର ଜିଲ୍ଲା କଲେକ୍ଟୋରେଟ ସ୍ଥିତ ଦରବାର ହଲଠାରେ ରବି ଋତୁ ୨୦୨୫-୨୬ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ ଉପଲକ୍ଷେ ଏକ କୃଷି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ତାଙ୍କ ଅଭିଭାଷଣ ମାଧ୍ୟମରେ କେନ୍ଦୁଝର ଜିଲ୍ଲାର ୨ଲକ୍ଷ ୪୮ ହଜାର ୭ଶହ ୪୫ ଜଣ କୃଷକ ଯଥା- ୨ଲକ୍ଷ ୪୫ହଜାର ୮ ଶହ ୪୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ,୮ଶହ ୮୮ ଜଣ ଭୂମିହୀନ କୃଷକ ପରିବାର , ୧୯ ଶହ ୭୫ ଜଣ ଅନୁନ୍ନତ ଜନଜାତି ସମୂହ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଥିବା ସୂଚନା ପ୍ରଦାନ କରିଥିଲେ । ଏହି ସହାୟତା ରାଶିକୁ ରବି ଋତୁ ୨୦୨୫-୨୬ କୃଷି କାର୍ଯ୍ୟରେ ଆବଶ୍ୟକ ହେଉଥିବା ବିହନ,ରାସାୟନିକ ସାର,କୀଟନାଶକ ଔଷଧ ପ୍ରଭୃତିରେ କୃଷକ ଭାଇ ଭଉଣୀମାନେ ଉପଯୋଗ କରିବେ ବୋଲି ଆଶା ପ୍ରକଟ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୧ ଲକ୍ଷରୁ ଉଦ୍ଧ୍ୱର୍ କୃଷକ ପରିବାରକୁ ୨ହଜାର ଟଙ୍କା ସହାୟତା ରାଶି ଡିବିଟି ମାଧ୍ୟମରେ ସିଏମ୍ କିଷାନ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରେରଣ କରିଥିଲେ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଦରବାର ହଲରେ ଉପସ୍ଥିତ ମନ୍ତ୍ରୀ,ବିଧାୟକ,କୃଷକ ଭାଇ ଭଉଣୀ,ବିଭାଗୀୟ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପଭୋଗ କରିଥିଲେ । ଏହି ମାଧ୍ୟମରେ ମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ କୃଷି,ପରିବେଶ,ବନ୍ୟଜନ୍ତୁ ଓ ସମାଜ ଉପରେ କି କି ପ୍ରଭାବ ପରିଲକ୍ଷିତ ହେଉଛି ତାହାର ଏକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ମନୁଷ୍ୟ-ହାତୀ ସହାବସ୍ଥାନ ମାର୍ଗଦର୍ଶିକା ପୁସ୍ତିକା ଉନ୍ମୋଚନ କରିଥିଲେ । ସଭା ପ୍ରାରମ୍ଭରେ କେନ୍ଦୁଝର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସତ୍ୟବାନ ସୋରେନ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ତାଙ୍କର ଅଭିଭାଷଣ ମାଧ୍ୟମରେ କୃଷକମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଉପଯୋଗ କରି କିପରି ଲାଭବାନ ହୋଇପାରିବେ ସେ ସଂପର୍କରେ ବୁଝାଇଥିଲେ । କାର୍ଯ୍ୟକ୍ରମ ଶେଷରେ କେନ୍ଦୁଝର ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


