ଉନ୍ନୟନ ପ୍ରକଳ୍ପ କାମ ଆରମ୍ଭ କରିବାକୁ ଆଇଟିଡିଏ ପିଏଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶ
ଗୁଣପୁର (ୱାଇଏନଏସ) : ଦୁର୍ନୀତି ଏବଂ ଏକ ଛତ୍ରବାଦୀ ଶାସନ କରୁଥିବା ଗୁଣପୁର ମ୍ୟୁନିସିପାଲଟିକୁ ଆଉ ଗୋଟିଏ ଝଟକା ଲାଗିଛି। ପୌରାଞ୍ଚଳର ଉନ୍ନତି ନିମନ୍ତେ ଦୀର୍ଘ ମାସ ହେଲା ପଡି ରହିଥିବା ୩୩ ଲକ୍ଷ ଟଙ୍କାର ଉନ୍ନୟନ ପ୍ରକଳ୍ପକୁ ଅବିଳମ୍ବେ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣି ଗୁଣପୁର ପିଏ ଆଇଟିଡିଏ ଅଜୟ ପ୍ରଧାନଙ୍କୁ ନିର୍ଦେଶ ଦେଇଛନ୍ତି। ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ବିଜୁ କେବିକେ ଯୋଜନାରେ ଗୁଣପୁର ପୋୖରାଞ୍ଚଳ ବିକାଶ ନିମନ୍ତେ ୩୩ ଲକ୍ଷ ଟଙ୍କା ୨୦୨୪ ମସିହାରେ ସାଧାରଣ ନିର୍ବାଚନ ପୂର୍ବରୁ ଆଇଟିଡିଏକୁ ଦିଆଯାଇଥିଲା। ପୋୖର କତ୍ତୃପକ୍ଷ କାଉନିସିଲର ଅନୁମୋଦନ ଆଳରେ ପୋୖର ଉପାଧ୍ୟକ୍ଷ କାମ କରେଇ ଦେଉନଥିଲେ। ଜିଲ୍ଲା ପରିଷଦ ବୈଠକରେ ବିଧାୟକ ଶ୍ରୀ ଗମାଙ୍ଗ ଉକ୍ତ ସମସ୍ୟା ନେଇ ରାୟଗଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଶ୍ରୀ କୁଳକର୍ଣ୍ଣି ହସ୍ତକ୍ଷେପ କରି ବିଜୁ କେବିକେ ଅନୁଦାନ ଉପରେ କାଉନିସିଲ ବୋଡିର ଅନୁମୋଦନ ଆବଶ୍ୟକତା ନାହି ବୋଲି ସ୍ପଷ୍ଟ କରିଥିଲେ। ପାଲଟା ପୋୖର ପାଳିକାକୁ କାହିଁକି ଅନୁମତି ପାଇଁ ଚିଠି ଲେଖିଥିଲେ ବୋଲି ମଧ୍ୟ ଜିଲ୍ଲାପାଳ ପ୍ରଶ୍ନ କରି ଉନ୍ନୟନ ପ୍ରକଳ୍ପ ଶୀଘ୍ର ଆରମ୍ଭ କରି ଶେଷ କରିବାକୁ ଆଇଟିଡିଏ ପିଏଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ନେଇ ବିଧାୟକ ଶ୍ରୀ ଗମାଙ୍ଗ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଉକ୍ତ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀତାକୁ ନେଇ ଗତ ଅଗଷ୍ଟ ୧୨ ତାରିଖରେ ଗୁଣପୁର ପୋୖର ପାଳିକା କାର୍ଯ୍ୟଳୟ ପରିସରରେ ବିଧାୟକ ସତ୍ୟଜିତ ଗମାଙ୍ଗ ଏବଂ ପୋୖର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ମୁହାଁମୁହିଁ ହୋଇ ତୁତୁ ମେମେ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବ୍ୟକ୍ତିଗତ ସ୍ତର ପର୍ଯ୍ୟନ୍ତକୁ ଚାଲିଯିବା ଘଟଣା ସେତେବେଳେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଉଲେଖଯୋଗ୍ୟ ଗୁଣୁପୁର ପୌରପରିଷଦ ଅଞ୍ଚଳର ବିକାଶ ପାଇଁ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)କୁ ମିଳିଥିବା ପ୍ରାୟ ୩୩ ଲକ୍ଷ ଟଙ୍କାର ଅନୁଦାନ ତିନି ବର୍ଷ ଧରି ଖର୍ଚ୍ଚ ନହୋଇ ପଡ଼ିରହିଛି। ଏହି ଅନୁଦାନରେ ୧୦ଟି ରାସ୍ତା, ଡ୍ରେନ୍ ଓ କଂକ୍ରିଟ୍ ରାସ୍ତା ପ୍ରକଳ୍ପ କାର୍ଯ୍ୟ କରାଯିବାକୁ ଥିବା ବେଳେ ଆଇଟିଡିଏ ପକ୍ଷରୁ ଏକାଧିବାର ପୌର ସଂସ୍ଥାକୁ ଅନୁମତି ପାଇଁ ଚିଠି ଲେଖିଥିଲେ ମଧ୍ୟ ମ୍ୟୁନିସିପାଲଟି କତ୍ତୃପକ୍ଷ କୌଣସି ଉତ୍ତର ଦେଉନଥିଲେ।
ବିଧାୟକ ସତ୍ୟଜିତ ଗମାଙ୍ଗ ପୌରପରିଷଦ କାର୍ଯ୍ୟାଳୟକୁ ଯାଇ ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକଙ୍କୁ ଏହା ଉପରେ ପ୍ରଶ୍ନ କରିଥିଲେ। ସେହି ସମୟରେ ଅନ ଅଧିକାର ଭାବେ ପୋୖର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ହସ୍ତକ୍ଷେପ କରି ପୋୖର ପରିଷଦ ବୈଠକରେ ଅନୁମୋଦନ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ବିଜୁ କେବିକେ ଅନୁଦାନ ଟଙ୍କା ଏଥିପାଇଁ ପୋୖର ପରିଷଦର ଅନୁମୋଦନର ଆବଶ୍ୟକତା ନାହିଁ ବୋଲି ବିଧାୟକ ଶ୍ରୀ ଗମାଙ୍ଗ ଜୋର ଦେଇ କହିବାରୁ ଉଭୟ ବିଧାୟକ ଓ ଉପାଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟି ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଲେଖ ନିଷ୍ପ୍ରୟଜନଯେ ବାସ୍ତବରେ ଉକ୍ତ ୩୩ ଲକ୍ଷ ଅନୁଦାନ ଟଙ୍କା ପୋୖର ପାଳିକା ଜରିଆରେ କାମ କରିବାକୁ ପୋୖର ବାବୁ ମାନେ ଚାହୁଁଥିଲେ । ଏମିତି ହୋଇଥିଲେ ୭-୮ ଲକ୍ଷ ଟଙ୍କାର ମୁନାଫା ମିଳିଥାନ୍ତା। ସେହି ପ୍ରକଳ୍ପ ଆଇଟିଡିଏ ଦ୍ବାରା ହେବାକୁ ଥିବାରୁ ପୋୖର କତ୍ତୃପକ୍ଷ ତିନି ବର୍ଷ ହେଲା ବିରୋଧ କରି କାମ କରେଇ ଦେଉନଥିଲେ। ବର୍ତ୍ତମାନ ଜିଲ୍ଲାପାଳ ହସ୍ତକ୍ଷେପ ପରେ ୩୩ ଲକ୍ଷ ଟଙ୍କାର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ବାଟ ଫିଟିଛି।


