ଶିକ୍ଷାସେବା କ୍ଷେତ୍ରରେ ନବନିଯୁକ୍ତ ଅଧ୍ୟାପକ ସିଲୁ ସେଠୀଙ୍କୁ ଶୁଭେଚ୍ଛାର ସୁଅ
ଆସିକା (ୱାଇଏନ୍ଏସ୍): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୩ ତାରିଖ ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଯାଇଥିବା ୧୫ତମ ନିଯୁକ୍ତ ମେଳାରେ ୭ଟି ବିଭାଗରେ ୪୬୨୩ ଜଣ ନିଯୁକ୍ତି ପାଇଥିବା ଜଣାପଡିଛି । ଏହି ନିଯୁକ୍ତି ମେଳାରେ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ସିଲୁ ସେଠୀ ଶିକ୍ଷାସେବା କ୍ଷେତ୍ରରେ ନିଜର ତୃତୀୟ ନିଯୁକ୍ତି ପାଇ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମୀ ଗ୍ରାମ ପଞ୍ଚାୟତର ବରିଷ୍ଠ ସମାଜସେବୀ ତଥା ଆଧ୍ୟାତ୍ମିକପ୍ରେମୀ ସ୍ୱର୍ଗତ ହରିବନ୍ଧୁ ସେଠୀ ଓ ଗୃହିଣୀ ମାୟା ସେଠୀଙ୍କ ସୁପୁତ୍ର ସିଲୁ ସେଠୀ ପିଲାଟି ଦିନରୁ ଜଣେ ମେଧାବୀ ବିଦ୍ୟାର୍ଥୀ ରୂପେ ପରିଚିତ ଥିବା ବେଳେ ବିଭିନ୍ନ ପରୀକ୍ଷାରେ ଅତୀତରେ କୃତିତ୍ୱର ସହ କୃତକାର୍ଯ୍ୟ ହୋଇଥିଲେ। ଶେରଗଡ ସ୍ଥିତ ଉଦୟ ପ୍ରତାପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମର ଅଧ୍ୟାପକ ରୂପେ ପ୍ରଥମେ ନିଜର କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ନିଯୁକ୍ତି ପାଇ ବର୍ତ୍ତମାନ କାର୍ଯ୍ୟ କରୁଥିବା ଜଣାପଡିଛି। ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୨୪ ପରୀକ୍ଷାର ଫଳାଫଳ ପ୍ରକାଶ ପାଇସାରିଥିଲା ବେଳେ ସେ ଏହି ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ସାଙ୍ଗକୁ ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ପରୀକ୍ଷାରେ ମଧ୍ୟ ସଫଳତା ପାଇଥିଲେ । ଗତ ୨୩ ତାରିଖ ଦିନ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ୧୫ତମ ନିଯୁକ୍ତି ମେଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟାପକ ସିଲୁ ସେଠୀଙ୍କୁ ସୋରଡା ବ୍ଳକ ଅନ୍ତର୍ଗତ ନୁଆଁଗଡ ସ୍ଥିତ ଜବାହାରଜ୍ୟେତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ରୂପେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ଯାହା ଅଧ୍ୟାପକ ସିଲୁ ସେଠୀଙ୍କ ସରକାରୀ ଶିକ୍ଷା ସେବାରେ ତୃତୀୟ ନିଯୁକ୍ତି ହୋଇଥିବା ବେଳେ ଏହା ତାଙ୍କ କର୍ମମୟ ଜୀବନର ଏକ ଗୌରବମୟ ମାଇଲ୍ଷ୍ଟୋନ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଧ୍ୟାପକ ସିଲୁ ସେଠୀ ଶିକ୍ଷାଦାନକୁ ନିଜ କର୍ମମୟ ଜୀବନର ଏକ ବ୍ରତ ଭାବେ ଗ୍ରହଣ କରିଥିଲା ବେଳେ ସମାଜସେବା କ୍ଷେତ୍ରରେ ମଧ୍ୟ ସେ ସକ୍ରିୟ ଥିବା ପରିଲକ୍ଷିତ ହେଉଛି । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ରୂପେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଫଳତାର ସହ ସଂପାଦନ କରି ଅତୀତରେ ବହୁବାର ସମ୍ମାନିତ ହୋଇଥିବା ମଧ୍ୟ ନଜିର୍ ରହିଛି । ଅଧ୍ୟାପକ ସିଲୁ ସେଠୀ ନିଜର ଏହି ସଫଳତାର ଶ୍ରେୟ ନିଜର ସ୍ୱର୍ଗୀୟ ପିତା ହରିବନ୍ଧୁ ସେଠୀ, ମାତା ମାୟା ସେଠୀ, ସହଧର୍ମିଣୀ ତଥା ଦେବଭୂମୀ ଗ୍ରାମରେ ଥିବା ପିଏମ୍ଶ୍ରୀ ନୋଡାଲ୍ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଶିବାନୀ ସେଠୀଙ୍କ ସମେତ ଗୁରୁଜନ, ପରିବାରବର୍ଗଙ୍କୁ ପ୍ରଦାନ କରିଛନ୍ତି। ଶିକ୍ଷା ଓ ସମାଜସେବୀ କ୍ଷେତ୍ରରେ ଅନନ୍ୟ ଉଦାହରଣ ସାଜିଥିବା ଅଧ୍ୟାପକ ସିଲୁ ସେଠୀଙ୍କ ଏହି ନୂତନ ନିଯୁକ୍ତି ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଅଧ୍ୟାପକ ସିଲୁ ସେଠୀଙ୍କ କଠିନ ପରିଶ୍ରମ, ନିଷ୍ଠା ଓ ଦୃଢ ମନୋବଳ ତାଙ୍କୁ ଏହି ସଫଳତା ଆଣିଦେଇଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।


