ପଞ୍ଚାୟତିରାଜ ଦିବସ ପାଳନ କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା !

ଆସିକା (ୱାଇଏନ୍‍ଏସ୍‍) : ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆସିକା ବ୍ଳକ ଅଧ୍ୟକ୍ଷାଙ୍କ ସମେତ କେତେକ ଜିଲ୍ଲା ପରିଷଦ ସଦସ୍ୟ ଓ ଅଧିକାଂଶ ସରପଞ୍ଚ, ସମିତି ସଭ୍ୟଙ୍କ ଅନୁପସ୍ଥିତି ରହିବା ଘଟଣାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ଓ ପର୍ଯ୍ୟାଲୋଚନା ଜୋର୍‍ ଧରିଥିଲା ବେଳେ ଏହାର ପ୍ରଭାବ ଆସନ୍ତା ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପରାମର୍ଶକ୍ରମେ ଆସିକା ପଞ୍ଚାୟତ ସମିତି ପକ୍ଷରୁ ବ୍ଳକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ପଞ୍ଚାୟତ ମଧ୍ୟରୁ ମାତ୍ର ହାତଗଣତି କିଛି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଯୋଗଦେଇଥିଲା ବେଳେ ସଂଖ୍ୟାଧିକ ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ କେତେକ ଜିଲ୍ଲା ପରିଷଦ ସଦସ୍ୟଙ୍କ ଅନୁପସ୍ଥିତିର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ । ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ହେବା ପାଇଁ ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ଏବଂ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଓ ସଭ୍ୟାଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସଂଖ୍ୟାଧିକ ପଞ୍ଚାୟତ ପ୍ରତିନିଧି ଯୋଗନଦେବା ଘଟଣାକୁ ନେଇ ସାଧାରଣରେ ନାନା କଥା ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ପଞ୍ଚାୟତିରାଜ ଦିବସ ପାଳନ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ସଂକ୍ରାନ୍ତରେ ଆସିକା ବ୍ଳକର ୩ ନମ୍ବର ଜୋନ୍‍ର ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ମୋତେ କେହି ବି ଅବଗତ କରିନାହାନ୍ତି । ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କାର୍ଯ୍ୟକ୍ରମରେ ଆସିକା ବ୍ଳକର ଅଧିକାଂଶ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଅନୁପସ୍ଥିତ ରହିବା ଘଟଣାକୁ ନେଇ ବିଭିନ୍ନ ମହଲରେ ନାନା କଥା ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ