ଗାରୋଇ ସ୍ଲୁଇସ୍ ଗେଟ୍ ଅଚଳ : ପାଣି ଅଭାବରୁ ଚାଷୀ ହତାଶ

ନାଉଗାଁ,୨୯ା୮: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଶତକଡା ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ଚଳିତ ବର୍ଷ ଏହି ବ୍ଲକରେ ଆଶାନୁରୂପ ବର୍ଷା ହୋଇନାହିଁ। ନିଅଁଟିଆ ବର୍ଷା ଯୋଗୁ ଏପର୍ଯ୍ୟନ୍ତ ଚାଷୀ ରୁଆ ରୁଇ କାର୍ଯ୍ୟ ସାରିପାରୁନାହିଁ। ଅଣଜଳସେଚିତ ଅଂଚଳରେ ଥିବା ଚାଷ ଜମିରେ ଚାଷ କରିବା କଷ୍ଟ ସାଧ୍ୟ ହୋଇପଡିଛି। ବ୍ଳକରେ କିଛି ଚାଷୀ ବ୍ୟକ୍ତିଗତ ଉଠାଜଳସେଚନ,ସରକାରୀ ଉଠା ଜଳସେଚନ ଉପରେ ନିର୍ଭର କରୁଥିବା ବେଳେ ଅନେକ ଚାଷୀ କେନାଲ ପାଣି ଉପରେ ନିର୍ଭର କରି ଧାନ ଚାଷ କରିଥାନ୍ତି। ଏହି ବ୍ଳକ ଦେଇ ପ୍ରବାହିତ ଗୋବରୀ ଓ ଗୋଳା ଏବଂ ବାଉଁଶ ଯୋରୀ ନାଳର ପାଣିକୁ ସ୍ଲୁଇସ୍ ଗେଟ ମାଧ୍ୟମରେ ଅଟକା ଯାଇ ମରୁଡି କିମ୍ବା ନିଅଁଟିଆ ବର୍ଷା ସମୟରେ ଚାଷୀମାନେ ଚାଷ କାର୍ଯ୍ୟରେ ଲଗାଇଥାନ୍ତି। ଗୋବରୀ ଓ ଗୋଳା ନାଳର ଉଦବୃତ ଜଳ ନିଷ୍କାସନ ଓ ନାଳରେ ପାଣି ସରଂକ୍ଷଣ କରିବା ପାଇଁ ଗାରୋଇ ଠାରେ ଦେବୀନଦୀ ଓ ଗୋବରୀ ନାଳର ସଂଯୋଗ ସ୍ଥଳରେ ସ୍ଲୁଇସ୍ ଗେଟ ନିର୍ମାଣ କରାଯାଇଛି।ଏହି ସ୍ଲୁଇସ୍ ଗେଟରେ ୫ଟି ଫାଟକ ରହିଥିବା ବେଳେ ଏହାର ରକ୍ଷାଣବେକ୍ଷଣ ଦାୟିତ୍ୱ ଜଳସେଚନ ବିଭାଗ ଅଧିନରେ ରହିଛି। ହେଲେ ବର୍ତମାନ ୫ଟି ଫାଟକ ମଧ୍ୟରୁ ଗୋଟିିଏ ଫାଟକର ପ୍ଲେଟଟି ନଷ୍ଟ ହୋଇଯାଇଛି। ଯାହାଫଳରେ ୪ଟି ଫାଟକ ବନ୍ଦ ରହିଥିବା ବେଳେ ଗୋଟିଏ ଫାଟକ ଦେଇ ଦେବୀନଦୀକୁ ପାଣି ନିଷ୍କାସିତ ହୋଇଯାଉଛି। ଦେବୀନଦୀକୁ ଜଳ ନିଷ୍କାସିତ ହେବା ଦ୍ୱାରା ଗୋବରୀ ଓ ଗୋଳା ନାଳରୁ ପାଣିସ୍ତର ହ୍ରାସ ପାଇବାରେ ଲାଗିଛି। ଏହି ଦୁଇ ନାଳରୁ ପାଣି ହ୍ରାସ ପାଇବା ଯୋଗୁ ପାଣି ପାଇଁ ନାଳ ଉପରେ ନିର୍ଭର କରୁଥିବା ବାଂଶ, ଶିଖର, ନାଉଗାଁ, ଡେରିକି, କୋରୁଅ, ଗଙ୍ଗଦା, ଭଟଣା, ଓଷକଣା, ନୟାସିଙ୍ଗଡା, ଅଙ୍ଗେଶ୍ୱରପଡା, ତେଂଟୋଇ, କୁରିକି ଆଦି ଗ୍ରାମର ୩ ଶହରୁ ୪ଶହ ହେକ୍ଟର ଚାଷ ଜମି ଶୁଖିଲା ପଡିବାର ସମ୍ଭାବନା ରହିଛି। ଅନ୍ୟପଟରେ ସ୍ଲୁଇସି ଗେଟରେ ଲାଗୁଥିବା ପ୍ଲେଟର ଆକାର ଆବଶ୍ୟକ ଅନୁଯାୟୀ ଲଗା ନ ଯାଇ ନିମ୍ନମାନର ପ୍ଲେଟ ଲଗାଯାଉଛି। ଯାହାଫଳରେ ପାଣିର ଚାପରେ ତାହା ନଷ୍ଟ ହୋଇ ଯାଉଥିବା ଚାଷୀମାନେ କହିଛନ୍ତି। ଅଚଳ ହୋଇ ପଡିଥିବା ଫାଟକକୁ ଯଥାଶୀଘ୍ର ମରାମତି କରିବା ପାଇଁ ଚାଷୀ କାଜୁଲି ବିଶ୍ୱାଳ, ଶ୍ରୀଧର ପରିଡା, ସୁକାନ୍ତ ବିଶ୍ୱାଳ, ଲକ୍ଷ୍ମୀଧର ସାହୁ, ରବିନ୍ଦ୍ର ନାୟକ, ନିରଂଜନ ସାହୁ ଆଦି ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।ଏସଂପର୍କରେ ଜଳସେଚନ ବିଭାଗର ବାଲିକୁଦା ଏସଡିଓ ଏସ.ପି.ଜେନାଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ