କାମରେ ଲାଗୁନି ଲକ୍ଷ୍ମୀ ବସଷ୍ଟାଣ୍ଡ : ରାସ୍ତା ଖରାପ ଯୋଗୁଁ ଗଡ଼ୁନି ବସ୍
ହାଟଡ଼ିହି,(ଓ୍ବାଇଏନଏସ): ମରୈଗାଁ ଠାରୁ ଶାଳଣିଆଁ ଦେଇ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ଶେଷ ସୀମାନ୍ତ ବଳିପୁର ଯାଏଁ ଲମ୍ବିଥିବା ବନ୍ଧ ରାସ୍ତାରେ ବସ୍ ଗଡ଼ୁନି l ଏହି ରାସ୍ତା କଡ଼ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ଗୁଡ଼ିକ ଧୀରେ ଧୀରେ ଅଦରକାରୀ ହେବାକୁ ବସିଲାଣି l ସୂଚନା ଥାଉକି, ଗତ ୬ବର୍ଷ ପୂର୍ବେ ରାସ୍ତାର ପୁନଃଉଦ୍ଧାର କାର୍ଯ୍ୟ ପାଇଁ ଟେଣ୍ଡର ହୋଇଥିଲା l ଠିକାଦାର ଏବଂ ସମ୍ପୃକ୍ତ ବିଭାଗର ଅପାରଗତା ପାଇଁ ରାସ୍ତାକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ l ଯାହା ଫଳରେ ଏହି ବନ୍ଧରାସ୍ତା କଡ଼ରେ ଅବସ୍ଥିତ ଥିବା ନନ୍ଦିପଦା, କ୍ଷେତୁଆଳି, ଇଞ୍ଚୋଳ, ଭୁତପଦା, ଅପସର, ବ୍ରାହ୍ମଣୀକଳା ଆଦି ଗ୍ରାମର ଲୋକେ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି l ଜରୁରୀ ସମୟରେ ଏହି ଗାଁ ମାନଙ୍କୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ିଟିଏ ସହଜରେ ପହଞ୍ଚି ପାରୁନି l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଶାଳଣିଆଁରେ ଥିବାବେଳେ ଲୋକେ ସେଠାକୁ ମଧ୍ୟ ଯାଇପାରୁ ନାହାନ୍ତି l ଏହି ରାସ୍ତାରେ ସାଇକେଲ, ବାଇକ ନେଇ ଯିବା କଷ୍ଟକର ହୋଇପଡୁଛି l ରାସ୍ତବସ୍ଥା ପାଇଁ ଅଟୋ କିମ୍ବା ଚାରିଚକିଆ ଯାନ ସମ୍ପୂର୍ଣ୍ଣ ନିଷେଧ ହୋଇଯାଇଛି l ଏହି ଗାଁ ମାନଙ୍କରୁ ପିଲାମାନେ ସ୍କୁଲ କଲେଜ ଆଦି ଯିବାରେ ନାହିଁ ନଥିବା ହଇରାଣ ହେଉଛନ୍ତି l ଗତ କିଛିମାସ ତଳେ ସ୍ଥାନୀୟ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଏସଂକ୍ରାନ୍ତରେ ବିଧାନସଭାରେ ପ୍ରଶ୍ନ କରିଥିଲେ l କିଛିଦିନ ମଧ୍ୟରେ ପୁନର୍ବାର ଟେଣ୍ଡର କରାଯାଇ ଏହି ରାସ୍ତାର ନବୀକରଣ କରାଯିବ ବୋଲି ସୂଚନା ମିଳିବା ପରେ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା l କିନ୍ତୁ ଆଜିଯାଏଁ ରାସ୍ତାର ମରାମତି ହେବାର କୌଣସି ସୂଚନା ନମିଳିବାରୁ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି l ରାସ୍ତାର ନବୀକରଣ ପରେ ଯାତାୟତରେ ସୁବିଧା ହେବା ସହ ବ୍ୟବସାୟିକ କ୍ଷେତ୍ରରେ ବିକାଶ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି l


