ଆଗକୁ ରାକ୍ଷୀପୂର୍ଣ୍ଣିମା: ଡିଜାଟାଲ୍ ଯୁଗରେ ବି ଲୋକଙ୍କ ଭରସା ପାଲଟିଛି ଭାରତୀୟ ଡାକସେବା
ଆସିକା (ୱାଇଏନ୍ଏସ୍): ଆସନ୍ତା ୨୭ ତାରିଖ ଗୁରବାର ଦିନ ରାକ୍ଷୀପୂର୍ଣ୍ଣିମା। ଭଉଣୀଟିଏ ଯେତେ ଦୂରରେ ଥିଲେ ବି ରାକ୍ଷୀପୂର୍ଣ୍ଣିମାରେ ନିଜ ଭାଇ ପାଇଁ ରାକ୍ଷୀ ପଠାଇବାକୁ ଭୁଲି ନ ଥାଏ। ଭାଇ ଦେଶ ଭିତରେ ଥାଉ କି ଦେଶ ବାହାରେ ଥାଉ ରାକ୍ଷୀ ପଠାଇବା ପାଇଁ ଭଉଣୀ ଖୋଜେ ମାଧ୍ୟମ। କହିବାକୁ ଗଲେ ରାକ୍ଷୀପୂର୍ଣ୍ଣିମା ହେଉଛି ଗୋଟିଏ ପର୍ବ ଯେଉଁଠି ଭାଇଭଉଣୀର ପବିତ୍ର ସର୍ମ୍ପକକୁ ଦୁରେଇ ପାରି ନଥାଏ ଦୂରତା। ରାକ୍ଷୀପୂର୍ଣ୍ଣିମା ପାଇଁ କିଛି ଦିନ ଆଗରୁ ଭାଇ ଭଉଣୀଙ୍କ ମନରେ ଦେଖା ଦେଇଥାଏ ଉତ୍ସାହ। ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ରାକ୍ଷୀପୂର୍ଣ୍ଣିମାକୁ ନେଇ ସବୁସ୍ତରର ଲୋକେ ଚଳାଇଛନ୍ତି ବ୍ୟାପକ ପ୍ରସ୍ତତି। ଆସିକା ସହରର ବିଭିନ୍ନ ସାହି ବସ୍ତିରେ ଖୋଲିଥିବା ରାକ୍ଷୀ ଦୋକାନ ଗୁଡିକରେ ରାକ୍ଷୀ କିଣିବା ପାଇଁ ଦିନକୁ ଦିନ ପ୍ରବଳ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି। ଭଉଣୀ ମାନେ ନିଜ ଭାଇ ପାଇଁ ରାକ୍ଷୀ କିଣି ସାଇତି କରି ରଖିଥିଲା ବେଳେ ଭାଇ ମାନେ ନିଜ ଭଉଣୀ ପାଇଁ ମନ ପସନ୍ଦର ଉପହାର କିଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପବିତ୍ର ରାକ୍ଷୀପୂର୍ଣ୍ଣିମାରେ ଭଉଣୀ ଘରକୁ ଆସିବ ବୋଲି କିଏ ସ୍ୱତନ୍ତ୍ର ପ୍ରସ୍ତତି କରିଥିବା ବେଳେ ଆଉ କିଏ ଆସନ୍ତା ୨୭ ତାରିଖ ଗୁରବାର ଦିନ ଭଉଣୀ ଘରକୁ ସଜାବଜ ହେଉଛି। ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳରୁ ଭାରତୀୟ ଡାକବିଭାଗ ଜରିଆରେ ବହୁ ରାକ୍ଷୀ ଆସି ପହଞ୍ଚି ସାରିଥିବା ବେଳେ ଆସିକାରୁ ମଧ୍ୟ ଡାକ ବିଭାଗ ମାଧ୍ୟମରେ ଶହ ଶହ ରାକ୍ଷୀ ରାଜ୍ୟ ଓ ରାଜ୍ୟ ବାହାରକୁ ପଠା ଯାଇଥିବା ଜଣାପଡିଛି। ଭାଇ ଓ ଭଉଣୀ ମଧ୍ୟରେ ସ୍ନେହର ପର୍ବ ରାକ୍ଷୀ ପୂଣ୍ଣିମାକୁ ଆଉମାତ୍ର ଗୋଟିଏ ଦିନ ବାକି ଥିଲା ବେଳେ ଦୂରରେ ରହୁଥିବା ଭାଇମାନଙ୍କ ପାଖରେ ରାକ୍ଷୀ ଯେପରି ସଠିକ୍ ସମୟରେ ପହଞ୍ଚିପାରିବ ସେଥିପାଇଁ ଭଉଣୀ ବ୍ୟାକୁଳ ହୋଇପଡୁଥିବା ଦେଖିବାକୁ ମିଳୁଛି । ଏଭଳି ସମୟରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସଚେତନ ନାଗରିକଙ୍କ ଏକମାତ୍ର ସର୍ବୋତ୍ତମ ଭରସା ପାଲଟିଛି ଭାରତୀୟ ଡାକସେବା । ଆସିକା ଡାକମଣ୍ଡଳ ଅଧୀନସ୍ଥ ଆସିକା ଓ ଭଂଜନଗର ପ୍ରଧାନ ଡାକଘର ସମେତ ୪୫ଟି ଉପ ଡାକଘର ଓ ୨୮୬ଟି ଗ୍ରାମୀଣ ଶାଖା ଡାକଘର ଗୁଡିକରେ ରାକ୍ଷୀ ପଠାଇବାକୁ ପ୍ରବଳ ଗହଳି ଲାଗି ରହୁଥିବା ଦେଖିବାକୁ ମିଳୁଛି । ସାଧାରଣ ଦିବସ ଅପେକ୍ଷା ରାକ୍ଷୀ ପୂର୍ଣ୍ଣିମା ପାଇଁ ଡାକଘର ଗୁଡିକରେ ଗ୍ରାହକଙ୍କ ଭିଡ ଜମୁଛି । କିଏ ଜିଲ୍ଲା ଜିଲ୍ଲା ଭିତରେ ତ ଓ କିଏ ବିଦେଶକୁ ରାକ୍ଷୀ ପଠାଉଛନ୍ତି ଠିକ୍ ସମୟରେ ରାକ୍ଷୀ କିଭଳି ଭାଇଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଭଉଣୀ ଆଗୁଆ ସ୍ପିଡ୍ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି । ବର୍ଷ ବର୍ଷ ଧରି ରାକ୍ଷୀ ପଠାଇବା ପାଇଁ ଭରସା ପାଲଟିଛି ଭାରତୀୟ ଡାକସେବା । ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରା କହିଛନ୍ତି ଆସିକା ଓ ଭଂଜନଗର ପ୍ରଧାନ ଡାକଘର ସମେତ ସମସ୍ତ ଉପଡାକଘର ଏବଂ ଗ୍ରାମୀଣ ଶାଖା ଡାକଘର ଗୁଡିକରେ ଗ୍ରାହକମାନେ ଯେପରି ସୁବିଧାରେ ରାକ୍ଷୀ ପଠାଇପାରିବେ ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଛି । ହିନ୍ଦୁ ସଂସ୍କୃତି ଅନୁସାରେ ଗହ୍ମାପୂର୍ଣ୍ଣିମାରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ । ଭାଇ ଯେତେ ଦୂରରେ ଥିଲେ ବି ଭଉଣୀ ନିଜର ଭାଇ ନିକଟକୁ ସ୍ନେହର ସେହି ପ୍ରତୀକକୁ ପଠାଇଥାଏ । ଡିଜିଟାଲ୍ ତଥା ଅନ୍ଲାଇନ୍ ଯୁଗରେ ବି ଭାରତୀୟ ଡାକସେବା ଶହ ଶହ ଜନତାଙ୍କ ପାଇଁ ରାକ୍ଷୀ ପଠାଇବା ସକାଶେ ସର୍ବୋତ୍ତମ ଭରସା ପାଲଟିଥିବା ଦେଖିବାକୁ ମିଳୁଛି । ରାକ୍ଷୀପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ମିଠା ବ୍ୟବସାୟୀ ମାନେ ରଙ୍ଗ ବେରଙ୍ଗର ନୂତନ ଡିଜାଇନ୍ର ସ୍ୱାଦିଷ୍ଟ ମିଠା ପ୍ରସ୍ତୁତ କରିବା ଲାଗି ଏବେଠୁ ଯୋଜନା କରୁଥିବା ଜଣାପଡିଛି।


