ଚାଷୀ-ଶ୍ରମିକ-ଛାତ୍ର-ମହିଳାଙ୍କ ଜ୍ୱଳନ୍ତ ଦାବୀରେ ଏସ୍.ୟୁ.ସି.ଆଇ.ଗଣବିକ୍ଷୋଭ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ): ଜନଜୀବନର ଜ୍ୱଳନ୍ତ ଦାବି ନେଇ ଆଜି ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରୁ ୨୫ ହଜାରରୁ ଉର୍ଦ୍ଧ୍ୱ ଚାଷୀ, ମୂଲିଆ, ମହିଳା, ଶ୍ରମିକ, କର୍ମଚାରୀ, ସ୍କିମ୍ ଶ୍ରମିକ, ଛାତ୍ର, ଯୁବକ, ବୁଦ୍ଧିଜୀବୀ ଓ ଗରୀବ ଆଦିବାସୀ ଜନସାଧାରଣ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଆହ୍ୱାନକୁ ବଞ୍ଚିବାର ଏକମାତ୍ର ଉପାୟ ରୂପେ ଗ୍ରହଣ କରି ଧାନକଟା, ଶୀତ ପ୍ରକୋପ ତଥା ଅନ୍ୟାନ୍ୟ ବହୁ ବାଧାକୁ ଏଡାଇ ନିଜର ସମସ୍ତ ଖର୍ଚ୍ଚ ବହନ କରି ଅତ୍ୟନ୍ତ ଆବେଗର ସହ ରାଜଧାନୀକୁ ଛୁଟି ଆସିଥିଲେ। ପୂର୍ବାହ୍ନରେ ରାଜମହଲ ଛକ ଠାରୁ ଆରମ୍ଭ ହୋଇଥିଲା, ଦାବି ସମ୍ବଳିତ ପ୍ଲାକାର୍ଡ ଓ ବ୍ୟାନରରେ ସୁସଜ୍ଜିତ ପ୍ରତିବାଦୀ ଜନତାର ଏକ ବିଶାଳ ପଟୁଆର; ମନେହେଉଥିଲା ସତେ ଯେମିତି ଜନସମୁଦ୍ରର ଉତ୍ତାଳ ଜୁଆର ମାଡି ଚାଲିଛି ଆଗକୁ ଆଗକୁ। ନାରୀ ନିର୍ଯ୍ୟାତନା ବନ୍ଦ, ମାଦକ ଦ୍ରବ୍ୟ ତଥା ଅଶ୍ଳୀଳତା-ନଗ୍ନତାର ପ୍ରସାର ବନ୍ଦ, ଏସ୍.ଆଇ.ଆର୍ (ଏସଆଇଆର) ବାତିଲ, ବନ୍ଦ ହୋଇଥିବା ସ୍କୁଲ ଖୋଲିବା, ବିଜୁଳି ସ୍ମାର୍ଟ ମିଟର ବସାଇବା ବନ୍ଦ ସହ ଅନ୍ୟାନ୍ୟ ସମସ୍ୟା ଦୂର, ଖାଲି ପଡିଥିବା ସମସ୍ତ ସରକାରୀ ପଦବୀ ପୁରଣ, ସ୍କିମ୍ ଶ୍ରମିକଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ଆଦିବାସୀ ତଥା ବସ୍ତିବାସିନ୍ଦାକୁ ଉଚ୍ଛେଦ ବନ୍ଦ, ଦୀର୍ଘ ବର୍ଷ ଧରି ଦଖଲିକୃତ ଜମିକୁ ପଟ୍ଟା, ଶିଳ୍ପାୟନ ନା’ରେ ବିସ୍ଥାପନ ବନ୍ଦ ସମେତ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ନିଯୁକ୍ତି, ନୀତି-ନୈତିକତା ଆଦି ସମସ୍ତ କ୍ଷେତ୍ରର ଜ୍ୱଳନ୍ତ ଦାବିକୁ ନେଇ ସ୍ଲୋଗାନରେ ଗଗନ ପବନ ପ୍ରକମ୍ପିତ ହେଉଥିଲା। ବିଶାଳ ପଟୁଆର ବିକ୍ଷୋଭ ସ୍ଥଳରେ ପହଞ୍ଚିବା ପୂର୍ବରୁ ସୁସଜ୍ଜିତ ମଞ୍ଚରୁ ମଧ୍ୟ ଭାସି ଆସୁଥିଲା ସ୍ଲୋଗାନର ଗୁରୁଗମ୍ଭୀର ପ୍ରତିଧ୍ୱନୀ। ବିକ୍ଷୋଭ ସ୍ଥଳରେ ଯଥା ସମୟରେ ଦଳର ରାଜ୍ୟ ଅଫିସ ସମ୍ପାଦକ ସ୍ୱୟଂପ୍ରଭା ନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ପ୍ରଥମେ ବକ୍ତବ୍ୟ ରଖିଥିଲେ ଦଳର ରାଜ୍ୟ ସମ୍ପାଦକ ତଥା କେନ୍ଦ୍ରୀୟ କମିଟି ସଦସ୍ୟ ଶଙ୍କର ଦାଶଗୁପ୍ତ। ଶ୍ରୀ ଦାଶଗୁପ୍ତ ତାଙ୍କ ବକ୍ତବ୍ୟ ମାଧ୍ୟମରେ ରାଜ୍ୟର ସବୁ ଅଂଶର ଜନତାଙ୍କ ସ୍ଥିତି କିପରି ଅତ୍ୟନ୍ତ ଉଦ୍ବେଗଜନକ ଏବଂ ବିଶେଷକରି ନାରୀ ଓ ଶିଶୁକନ୍ୟାଙ୍କ ଅବସ୍ଥା କିପରି ଚିନ୍ତାଜନକ ସେସମ୍ପର୍କରେ ଆଲୋକପାତ କରିବା ସହ ଅତିତର ସମସ୍ତ ସରକାରଙ୍କ ଠାରୁ ବଳି ବର୍ତ୍ତମାନ ବିଜେପି ର ଡବଲ ଇଞ୍ଜିନ ସରକାର ଯେଉଁସବୁ ଚରମ ଜନସ୍ୱାର୍ଥ ବିରୋଧି ଏବଂ ବୃହତ ପୁଞ୍ଜିପତିମାନଙ୍କ ସ୍ୱାର୍ଥ ରକ୍ଷାକାରୀ ପଦକ୍ଷେପ ନେଇ ଚାଲିଛନ୍ତି ତା’ର ଦୃଢ ନିନ୍ଦା କରିବା ସହ ଦାବି ପୁରଣ ପାଇଁ ସର୍ବସ୍ତରରେ ଆହୁରି ଶକ୍ତିଶାଳୀ-ସଚେତନ-ସଂଗଠିତ ଧାରାବାହିକ ଆନ୍ଦୋଳନ ଗଢିତୋଳିବାକୁ ଆହ୍ୱାନ ଦେଇଥିଲେ। ଉକ୍ତ ସଭାରେ ପାର୍ଟି କେନ୍ଦ୍ରୀୟ କମିଟି ସଦସ୍ୟ ଦ୍ୱାରିକାନାଥ ରଥ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ଦାସ, ସଦାଶିବ ଦାସ, ଅଶୋକ ମିଶ୍ର, ରାଜ୍ୟ କମିଟି ସଦସ୍ୟ ଜୟସେନ୍ ମେହେର, କେଦାରନାଥ ସାହୁ ଏବଂ ସଂଗଠକ ସରୋଜିନୀ ନାୟକ, ସୋମନାଥ ବେହେରା, ଲିଓନି ତିର୍କୀ, ରାଜକିଶୋର ମଲ୍ଲିକ ଏବଂ ଶାନ୍ତି ଚାକିଏ ପ୍ରମୁଖ ବକ୍ତବ୍ୟ ରଖି ଭିନ୍ନ ଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ବିକ୍ଷୋଭକାରୀଙ୍କ ପକ୍ଷରୁ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ରଘୁନାଥ ଦାସ, ଶମ୍ଭୁନାଥ ନାଏକ, ସୁରେନ୍ଦ୍ର ମଲ୍ଲିକ ଏବଂ ରାଜ୍ୟ କମିଟି ସଦସ୍ୟ ନୃସିଂହ ପଣ୍ଡା, ଅଜିତ ନାୟକଙ୍କୁ ନେଇ ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ୧୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରି ସାକ୍ଷାତ ଆଲୋଚନା କରିଥିଲେ। ଶେଷରେ ସଭାର ସଭାପତି ଦାବି ପୁରଣ ପାଇଁ ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବେ ‘ଆଗାମୀ ୯ରୁ ୧୫ ଡିସେମ୍ବର- ରାଜ୍ୟବ୍ୟାପି ଦାବି ସପ୍ତାହ’ ପାଳନର ଘୋଷଣା କରି ସ୍ଥାନୀୟ ଜ୍ୱଳନ୍ତ ଦାବିଗୁଡ଼ିକୁ ନେଇ ରାଜ୍ୟର ସମସ୍ତ ବ୍ଲକ୍, ତହସିଲ ଓ ଅନ୍ୟାନ୍ୟ ସରକାରୀ ଦପ୍ତର ସମ୍ମୁଖରେ ଆହୁରି ବ୍ୟାପକ ଆନ୍ଦୋଳନ ଗଢିତୋଳିବାର ଆହ୍ୱାନ ଜଣାଇ ସଭାକାର୍ଯ୍ୟ ସମାପ୍ତ ଘୋଷଣା କରିଥିଲେ।


