ସତ୍ୟସାଇ ଷ୍ଟଡି ସର୍କଲରେ ଗୁରୁଦିବସ ପାଳିତ
କୋଣାର୍କ (ଓ୍ବାଇଏନଏସ) : କୋଣାର୍କ ଅଞ୍ଚଳର ଅଗ୍ରଣୀ କୋଚିଂ ଅନୁଷ୍ଠାନ ସତ୍ୟସାଇ ଷ୍ଟଡି ସର୍କଲ, ମାଧିପୁର ପକ୍ଷରୁ ପବିତ୍ର ଗୁରୁଦିବସ ଅବସରରେ ଗୁରୁ ପୂଜନ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଶନିବାର ଅପରାହ୍ନରେ ସତ୍ୟସାଇ ଷ୍ଟଡି ସର୍କଲ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଗୁରୁ ପୂଜନ କାର୍ଯ୍ୟକ୍ରମରେ ପ୍ରଥମେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଛାତ୍ରଛାତ୍ରୀମାନେ ଗୁରୁ ପୂଜନ କରି ନିଜ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମହୋଦଧି ଏଜୁକେଶନାଲ ଏକାଡେମୀର ଅଧ୍ୟକ୍ଷ ଶୁଭ୍ରଜିତ ମହାପାତ୍ର, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଦିଲ୍ଲୀପ କୁମାର ଦାସ ଏବଂ ସମ୍ମାନିତ ଅତିଥି ଭାବେ ଅରୁଣା ମହାପାତ୍ର, ରମେଶ ଚନ୍ଦ୍ର ବେହେରା, ସାମ୍ବାଦିକ ବିଚିତ୍ର ଓଝା ଓ ପ୍ରମୋଦ ଗୋଚ୍ଛାୟତ ପ୍ରମୁଖ ଯୋଗଦେଇଥିଲେ।ଅତିଥିମାନେ ଗୁରୁଦିବସ ପାଳନର ତାତ୍ପର୍ଯ୍ୟ, ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଗୁରୁଙ୍କ ଭୂମିକା ଏବଂ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଆକାଶ ସ୍ୱାଇଁ, କିଷାନ ସ୍ୱାଇଁ ଓ ରଶ୍ମିତା ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ଗୁରୁଦିବସ ପାଳନରେ ସାମିଲ ହୋଇଥିଲେ।


