ଆଖଣ୍ଡଳମଣି ପୀଠରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଆରଡି, ( ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଅ‍ାରଡିରେ ମନ୍ଦିର ପରିକ୍ରମା ମାର୍ଗ,ପୁଷ୍କରିଣୀ ଚତୁଃପାର୍ଶ୍ବ ସମ୍ପ୍ରସାରଣ ନିମନ୍ତେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବରୁ ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ବିସ୍ଥାପିତ ହେବାକୁ ଥିବା ପରିବାରଙ୍କୁ ନୋଟିସ ଦିଆଯିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆ ଯାଇଥିଲା । ଉଚ୍ଛେଦନ ପ୍ରକିୟା ଆରମ୍ଭ ପୂର୍ବରୁ ୩ ସେବାୟତ ପରିବାର ସ୍ଥିତାବସ୍ଥା ବଜାୟ କାଗଜ ପତ୍ର ଉପଜିଲାପାଳ ତଥା ଅନ୍ୟ ଅଧିକାରୀଙ୍କୁ ଦେଖାଇଥିଲେ । ଏହାକୁ ଛାଡି ଅନ୍ୟସ୍ଥାନରେ ଉଚ୍ଛେଦ ପ୍ରିକ୍ରିୟା ଆରମ୍ଭ କରିବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଶିବଗଙ୍ଗା ପୁଷ୍କରିଣୀର ଉତ୍ତର ପାର୍ଶ୍ବ ତଥା ମନ୍ଦିର ବେଢାର ଦକ୍ଷୀଣ ପୂର୍ବ ପାର୍ଶ୍ବରେ ଥିବା କିଛି ସେବାୟତଙ୍କ ବାସସ୍ଥାନ ଓ ବ୍ୟବସାୟ ପ୍ରତିଷ୍ଠାନ ପ୍ରଥମେ ଭଙ୍ଗା ଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିଛି ସେବାୟତ ଏହି ଉଚ୍ଛଦ ପ୍ରକ୍ରିୟାକୁ ଆଉ କିଛି ଦିନ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ । ପ୍ରଶାସନିକ ଅଧିକାରୀ ମାନେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ଓ ଏହି କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଭଦ୍ରକ ଉପ ଜିଲ୍ଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ସୌରଭ ଚକ୍ରବର୍ତ୍ତୀ, ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ, ଗୁଇନ୍ଦା ବିଭାଗ ଆଡିସନାଲ ଏସ.ପି. ଅଂଶୁମାନ ଦ୍ବିବେଦୀ, ଧାମନଗର ଭାରପ୍ରାପ୍ତ ଏସଡିପିଓ ଅନିରୁଦ୍ଧ ମୁଦୁଲି, ଧୂଷୁରୀ ?ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ, ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ପୀଠରେ ଉପସ୍ଥିତ ରହି ଏହି ଉଚ୍ଛେଦ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ । ଉଚ୍ଛେଦ ପ୍ରକ୍ରିୟା ବେଳେ ପୀଠରେ ୩ ପ୍ଲାଟୁନ ପୋଲିସ ମୃଦୟନ ହୋଇଥିଲେ । ପ୍ରକାଶ ଥାଉକି ୪ ବର୍ଷ ତଳେ ବିସ୍ଥାପିତ ହେବାକୁ ଥିବା ସେବାୟତ ମାନେ ଜାଗା ଛାଡିବାକୁ ସମ୍ମତି ପ୍ରକାଶ କରିବା ସହ ଆବଶ୍ୟକ ଅର୍ଥରାଶୀ ଚୁକ୍ତିନାମା କରି ନେଇଥିଲେ । ଯେଉଁମାନେ ଅର୍ଥରାଶୀ ପାଇ ନାହାଁନ୍ତି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୁକ୍ତିନାମା ପତ୍ରରେ ସ୍ବାକ୍ଷର କରି ନିଜ ଜାଗା ବାବଦରେ ଅର୍ଥରାଶୀ ନେବା କଥା ସ୍ଥିର ହୋଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ