ଗ୍ରାମ୍ୟ ପାର୍କ ଏବେ ଜଙ୍ଗଲ ଭ୍ରମ ସୃଷ୍ଟି କରିଛି : ନାହିଁ ରକ୍ଷଣାବେକ୍ଷଣ, ଭାଙ୍ଗିରୁଜି ଗଲାଣି ଆସବାବ ପତ୍ର

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :- ଗ୍ରାମାଞ୍ଚଳ ଲୋକଙ୍କ ଆମୋଦ ପ୍ରମୋଦ ପାଇଁ ସରକାର ଗ୍ରାମୀଣ ପାର୍କ ନିର୍ମାଣ କରିଥିଲେ। ଉଦେଶ୍ୟ ଥିଲା ଲୋକେ ବାହାରକୁ ନ ଯାଇ ନିଜ ଗାଁରେ ସହର ଭଳି ଗ୍ରାମାଞ୍ଚଳ ରେ ପାର୍କ ମଜା ପାଇବେ। କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ବିଗତ ବର୍ଷରେ ବିଭିନ୍ନ ପଂଚାୟତରେ ଗ୍ରାମ୍ୟ ପାର୍କ ନିର୍ମାଣ କରଯାଇଥିଲା। ଲୋକ ମାନଙ୍କ ଚିତ୍ତବିନୋଦନପାଇଁ କେନ୍ଦ୍ରୀୟ ଓ ରାଜ୍ୟ ଅର୍ଥ ଆୟୋଗ ଏବଂ ମନରେଗା ଯୋଜନା ରୁ ପ୍ରାୟ ୧୦ଲକ୍ଷ ରୁ ଅଧିକ ଟଙ୍କା ବ୍ୟୟରେ ଗ୍ରାମାଞ୍ଚଳ ରେ ପ୍ରଥମ କରି ସୁନ୍ଦର ପାର୍କ ନିର୍ମାଣ କରାଯାଇଥିଲା। ଅସ୍ତରଙ୍ଗ ବ୍ଲକ ଅଧୀନ ୧୫ଗୋଟି ପଂଚାୟତ ରେ ଏହି ଗ୍ରାମ୍ୟ ପାର୍କ ନିର୍ମାଣର ବ୍ୟବସ୍ଥା ରହିଥିବା ବେଳେ ବିଭିନ୍ନ ସମସ୍ୟା ସହ ପ୍ରଶାସନିକ ଅବହେଳା ଯୋଗୁଁ  ଅଳ୍ପ କେତେ ଗୋଟି ପଂଚାୟତ ରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ତିଆରି ହୋଇଥିଲା। କିନ୍ତୁ ଅସ୍ତରଙ୍ଗ ବ୍ଲକ ପଛ ପାର୍ଶ୍ୱରେ ଥିବା ଅସ୍ତରଙ୍ଗ ପାର୍କ ଯୁବ ପୀଢ଼ି ଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ବେଶ ଭିଡ଼ ମଧ୍ୟ ପ୍ରତ୍ୟେକ ଦିନ ପୂର୍ବାହ୍ନ ଓ ଅପରାହ୍ନ ରେ ଭିଡ଼ ଜମୁଥିଲା।କିନ୍ତୁ ୧୫ଗୋଟି ପଂଚାୟତ ମଧ୍ୟରୁ ଅନେକ ପଂଚାୟତ ରେ ପ୍ରଶାସନିକ ଅବହେଳା ହେଉ ବା ଅନ୍ୟ କୌଣସି କାରଣରୁ ଏହି ଗ୍ରାମ୍ୟ ପାର୍କ ଏ ଯାଏଁ ନିର୍ମାଣ ଆରମ୍ଭ ହୋଇପାରିନାହିଁ। ଫଳରେ ଏହି ଯୋଜନା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଦିଗହରା ହୋଇଥିବାରୁ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷେ ନିର୍ମାଣ ସରିଯାଇଥିବା ପାର୍କ ଗୁଡିକର ରକ୍ଷଣାବେକ୍ଷଣ ଅଭାବ ରୁ ସରକାରୀ ସ୍ତରରୁ ପାଣ୍ଠି ଆସୁନଥିବାରୁ ଏବେ ଉକ୍ତ ପାର୍କ ଅନାବନା ଗଛରେ ପୂର୍ଣ୍ଣ ହୋଇ ଗ୍ରାମ୍ୟ ଜଙ୍ଗଲର ଭ୍ରମ ସୃଷ୍ଟି କରିଛି।ଏହା ସହ ପାର୍କ ରେ ଲାଗିଥିବା ଆନୁସଙ୍ଗିକ ସାମଗ୍ରୀ କେଉଁଠି ଭାଙ୍ଗି ତୁଟି ଗଲାଣି ତ ଆଉ କେଉଁଠି ଉଇ ହୁଙ୍କାରେ ପୋତି ହୋଇଗଲାଣି।ଯାହାକି ଅସ୍ତରଙ୍ଗ ବ୍ଲକ ଅଧୀନ ପାଟଳଦା ପାର୍କ କୁ ପ୍ରାକ୍ତନ ଜିଲ୍ଲାପାଳ ସମର୍ଥ ବର୍ମା ପରିଦର୍ଶନ କରିଥିଲେ। କିନ୍ତୁ ପାଟଳଦା ପାର୍କ ଜଙ୍ଗଲ ରେ ପରିଣତ ହୋଇସାରିଛି। ଅନ୍ୟ ପଟେ ଅସ୍ତରଙ୍ଗ ବ୍ଲକ ପଛ ପାର୍ଶ୍ୱରେ ଥିବା ଅସ୍ତରଙ୍ଗ ପାର୍କ ସମସ୍ତ ଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ହୋଇଥିବା ବେଳେ ସରକାରୀ ସ୍ତର ରେ ସହାୟତା ନ ମିଳିବାରୁ ଏବେ ଜରାଜୀର୍ଣ୍ଣ ହୋଇଯାଇଛି।ଏ ନେଇ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବିଜୟ ବେହେରା କହିଛନ୍ତି, ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ଗ୍ରାମାଞ୍ଚଳ ରେ ଗ୍ରାମୀଣ ପାର୍କ ନିର୍ମାଣ କରାଯାଇଥିଲା। ଏହାର ଉଦେଶ୍ୟ ଥିଲା ଭଲ ପରିବେଶ ସୃଷ୍ଟି ହେବ। କିଛି ପଂଚାୟତ ରେ ପାର୍କ ନିର୍ମାଣ ହୋଇଥିବା ବେଳେ ଆଉ କିଛି ପଂଚାୟତ ରେ ଅଧା ପାର୍କ ନିର୍ମାଣ କରି ମନରେଗା ରେ ମିଛ ବିଲ କରାଯାଇ ଟଙ୍କା ଆତ୍ମସାତ କରାଯାଇଛି। ଅସ୍ତରଙ୍ଗ ଓ ପାଟଳଦା ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଅନାବନା ଗଛ ଉଠିଲାଣି। ସମାଜସେବୀ ଦୁଷ୍ମନ୍ତ କୁମାର ପରିଡ଼ା କୁହନ୍ତି ଅସ୍ତରଙ୍ଗ ପାର୍କ ରେ ଅନେକ କୁନି କୁନି ପିଲା ଖେଳିବା ସାଙ୍ଗକୁ ମନୋରଞ୍ଜନ କରିଥାନ୍ତି। କିନ୍ତୁ ସରକାର ଙ୍କ ଦୃଷ୍ଟି ନ ପଡିବାରୁ ଆଜି ଜରାଜୀର୍ଣ୍ଣ। ଉଚ୍ଚ ସ୍ତରୀୟ ଅଧିକାରୀ ଦୃଷ୍ଟି ଦେଇ ଅସ୍ତରଙ୍ଗ ପାର୍କ ପୁନଃଉଦ୍ଧାର କରିବା ସହ ପାର୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉ।ଅନେକ ପଂଚାୟତ ରେ ପାର୍କ ପାଇଁ ଚାରି ପଟେ ପାଚେରୀ ନିର୍ମାଣ ହୋଇ କାମକୁ ଅଧପନ୍ତରିଆ ଭାବେ ଛାଡି ଦିଆଯାଇଛି। ତେବେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପାର୍କଗୁଡିକର ପୁନଃଉଦ୍ଧାର ଓ ନିର୍ମାଣଧୀନ ପାର୍କ ଗୁଡିକର କାମ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି। ଏହା ସହ ସରକାରୀ ସ୍ତରରେ ଏହାର ଦାୟିତ୍ୱ ନିଆଗଲେ ଗ୍ରାମାଞ୍ଚଳ ଲୋକେ ଚିତ୍ତବିନୋଦନ ମଜା ଉଠାଇବା ସହ ସହରୀ ଅନୁଭୂତି ପାଇ ପାରିବେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ