ବନ୍ଦ ହୋଇଗଲା ଦୁଇଟି କ୍ରୋମାଇଟ ଖଣି: ସ୍ଥାନୀୟ ଯୁବକ ଯୁବତୀ ମଧ୍ୟରେ ଅସନ୍ତୋଷ

ହାଟଡିହି (ଓ୍ବାଇଏନଏସ): ଦିନେ ଯେଉଁଠି ସକାଳୁ ରାତି ପର୍ଯ୍ୟନ୍ତ ହଜାର ଶ୍ରମିକ କର୍ମଚାରୀଙ୍କ  ଗହଳି ଚହଳି ଲାଗିଥିଲା,  ଆଜି ସେଠି ସବୁ ଶୂନଶାନ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଉଳା ଅଞ୍ଚଳରେ ଥିବା କ୍ରୋମାଇଟ ଖଣି ଗୁଡିକ ପର୍ଯ୍ୟାୟ କ୍ରମେ ବନ୍ଦ ହୋଇଯିବାରୁ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନେ ରୋଜଗାର ଅନ୍ୱେଷଣ ରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଯେଉଁଠି ଦିନେ ୧୫ରୁ ୨୦ ହଜାର ଶ୍ରମିକ କାମ କରୁଥିଲେ ତାହା ଏବେ ଜନଶୂନ୍ୟ ହୋଇ ପଡିଛି।  କେନ୍ଦୁଝର ଜିଲ୍ଲା ବଉଳା ଅଞ୍ଚଳରେ ସତୁରି ଦଶକରୁ ଚାଲୁ ହୋଇଥିଲା କ୍ରୋମାଇଟ ଖଣି। ଦୀର୍ଘବର୍ଷ ପର୍ଯ୍ୟନ୍ତ ଏଠାରେ ଫେକର, ଇମ୍ଫା, ଓଏମସି ଭଳି ତିନି ତିନୋଟି ଖଣି ଚାଲୁଥିଲା। ରାଜ୍ୟ ତଥା ରାଜ୍ୟ ବାହାରର ୧୫ରୁ ୨୦ ହଜାର ଶ୍ରମିକ ଓ କର୍ମଚାରୀ ଏଠାରେ କାମ କରୁଥିଲେ। ବିଶେଷକରି ସ୍ଥାନୀୟ ବାଙ୍ଗୋର, ଧନୁର୍ଜୟପୁର, ହଦଗଡ଼, କେ ବାଲିପାଳ, ବାଲିବରେଇ, ପଢିଆରିପଲ୍ଲୀ, ସୋସୋ ଆଦି ପଞ୍ଚାୟତର ଲୋକମାନେ କର୍ମସଂସ୍ଥାନ ପାଇ ଖୁସିରେ ଜୀବିକା ନିର୍ବାହ କରୁଥିଲେ। ଏଥିପାଇଁ ଏଠାରେ ଦୁଇ ତିନୋଟି ବଜାର ସୃଷ୍ଟି ହେବା ସହିତ ଅନେକ ଟ୍ରକ ମାଲିକ ଏହି ଖଣି ଉପରେ ନିର୍ଭର କରି ପ୍ରତିପୋଷଣ ହେଉଥିଲେ। କିନ୍ତୁ ୧୯୯୯ ମସିହା ମହାବାତ୍ୟା ପରେ ପରେ ଫେକର କମ୍ପାନୀ ବନ୍ଦ ହୋଇଯିବା ସହିତ ୨୦୧୨ ମସିହାରେ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନମିଳିବାରୁ ଇମ୍ଫା କମ୍ପାନୀ ବନ୍ଦ ହୋଇଗଲା। ଫଳରେ ଦୁଇ ଦୁଇଟି ଖଣିରେ କାମ କରୁଥିବା ହଜାର ହଜାର ଶ୍ରମିକ ଓ କର୍ମଚାରୀ ଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା।  ଦୁଇ ଦୁଇଟି ଖଣି ବନ୍ଦ ହୋଇଯିବା ପରେ ଯଦିଓ ଓଏମସି ଖଣି ଚାଲିଛି,  ମାତ୍ର ସେଥିରେ ଅଳ୍ପ କିଛି ହାତଗଣତି ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ଅଛନ୍ତି। ଖଣି ବନ୍ଦ ହୋଇଯିବା ଫଳରେ ଲୋକମାନେ କାମଧନ୍ଦା ନପାଇ ନାନା ଆର୍ଥିକ ଅଭାବ ଅନାଟନର ଶିକାର ହୋଇ ଏବେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଇଛନ୍ତି। ଖଣି ଉପରେ ପରୋକ୍ଷ ଭାବେ ନିର୍ଭର କରୁଥିବା ଟ୍ରକ ମାଲିକ, ଛୋଟ ବଡ଼ ବ୍ୟବସାୟୀ ମାନେ ମଧ୍ୟ ହାତବାନ୍ଧି ବସି ରହିଛନ୍ତି। ଯେଉଁ ବଉଳା ଖଣି ଅଞ୍ଚଳରେ ଦିନ ରାତି ହଜାର ହଜାର ଲୋକଙ୍କ ସମାଗମ ଥିଲା ତାହା ଏବେ ଶୂନଶାନ ହୋଇପଡିଛି। ବିଶେଷ କରି ଜଙ୍ଗଲ ଓ ପରିବେଶ ବିଭାଗ ଏହି ଖଣି ହଡ଼ଗଡ଼ ହସ୍ତୀ ଅଭୟାରଣ୍ୟ ଭିତରେ ଥିବା ଦର୍ଶାଇ ଅନୁମାତି ବନ୍ଦ କରିଦେବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ସରକାର ସବୁ ଦିଗରୁ ତର୍ଜମା କରି ଅଭୟାରଣ୍ୟ ରହୁ, ଲୋକମାନେ ଜୀବିକା ପାଆନ୍ତୁ ଏହାକୁ ଦୃଷ୍ଟିରେ ରଖି ଖଣି ଗୁଡିକ ଚାଲୁ କରି ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ