ଅଧାରୁ ପାଠ ଛଡା

ଓଡିଶାରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୯.୯ ପ୍ରତିଶତ ଅଧାରୁ ପାଠ ଛାଡି ଦେଉଥିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଲୋକସଭାରେ ଏକ ପ୍ରଶ୍ନର ଉତରରେ ପ୍ରକାଶ କରିବା ପରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଏବେ ଟଣାଓଟରା ଆରମ୍ଭ ହୋଇଛି । ଲୋକସଭା କେନ୍ଦ୍ରଶିକ୍ଷା ମନ୍ତ୍ରୀ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ତାହା ଯଦି ସତ୍ୟ ହୋଇଥାଏ, ନିଶ୍ଚିତ ଭାବେ ଚିନ୍ତାଜନକ ବୋଲି କୁହାଯିବ । ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୪ବର୍ଷ ଧରି ରାଜ୍ୟରେ ୪୯.୯ ପ୍ରତିଶତ ପିଲା ଅଧାରୁ ପାଠ ଛାଡିଥିବା ସୂଚନା ଦିଆଯାଇଛି । ଦର୍ଶାଯାଇଛି ଯେ, ଚାରିବର୍ଷ ପୂର୍ବେ ଓଡିଶାରେ ୧୨.୮ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ଏବେ ତାହା ୪୯.୯ ପ୍ରତିଶତକୁ ବୃଦ୍ଧି ପାଇଛି । ଅବଶ୍ୟ ରାଜ୍ୟ ସରକାର ଏହି ତଥ୍ୟକୁ ଖଣ୍ଡନ କରି ରାଜ୍ୟରେ ୧୫ରୁୁ ୨୦ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ସ୍ୱୀକାର କରିଛନ୍ତି, ଯାହାକି ଅନ୍ୟକେତେକ ରାଜ୍ୟ ତୁଳନାରେ କମ ରହିଥିବା ଦର୍ଶାଇଛନ୍ତି । କିନ୍ତୁ ଏହା ନିସନ୍ଦେହ ଯେ, ଚାରିବର୍ଷ ପୂର୍ବରୁ ମାତ୍ର ୧୨.୮ ପ୍ରତିଶିତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ଏବେ ସରକାରୀ ବିଦ୍ୟାଳୟଗୁଡିକର ରୂପାନ୍ତରିକରଣ ସହ ସରକାର ପିଲାଙ୍କୁ ୟୁନିଫର୍ମ, ସାଇକେଲ ଓ ପାଠ୍ୟ ପୁସ୍ତକ ମାଗଣାରେ ଯୋଗାଇ ଦେଉଥିବା ବେଳେ ଅଧାରୁ ପାଠଛାଡିବା ନିଶ୍ଚିତ ଭାବେ ଉଦ୍‌ବେଗଜନକ । ତେବେ ଅଧାରୁ ପିଲାଙ୍କ ପାଠ ଛାଡିବାବେଳେ ଓଡିଶାର ସମସ୍ୟା ନୁହେଁ । ଦେଶରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ଜାତୀୟ ହାର ୨୦୧୮-୧୯ରେ ୨୮.୪ ପ୍ରତିଶତ ଥିବାବେଳେ ୨୦୨୧-୨୨ରେ ତାହା ୨୦.୬ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ବିହାର, ମେଘାଳୟରେ ୩୩.୫% ଥିବାବେଳେ କର୍ଣର୍ାଟକରେ ୨୮.୫%, ଆନ୍ଧ୍ରପ୍ରଦେଶରେ ୨୮.୩%, ଆସାମରେ ୨୮.୩%, ଗୁଜରାଟରେ ୨୮.୨%, ତେଲେଙ୍ଗାନାରେ ୨୭.୨% ଥିବା କୁହାଯାଇଛି । ସେହିପରି ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ହ୍ରାସ କରିବାରେ ତ୍ରିପୁରା, ଆସାମ, ମଧ୍ୟପ୍ରଦେଶ, ଗୁଜରାଟ ଆଦି ରାଜ୍ୟ ଆଶାତୀତ ସଫଳତା ହଣ୍ଲ କରିଥିବା କେନ୍ଦ୍ର ସରକାରଙ୍କ ତଥ୍ୟରୁ ଜଣାଯାଇଛି ତ୍ରିପୁରାରେ ୨୦୨୦-୨୧ରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ୨୬.୯ ପ୍ରତିଶତ ଥିବାବେଳେ ୨୦୨୧-୨୨ରେ ସେହି ହାର ପରବର୍ଷ ଅର୍ଥାତ ୨୦୨୧-୨୨ରେ ମାତ୍ର ବର୍ଷକ ମଧ୍ୟରେ ୩.୮%କୁ କମିବା ନିଶ୍ଚିତ ଭାବେ ଏକ ଉଲ୍ଳେଖନୀୟ ସଫଳତା । ସେହିପରି ଆସାମରେ ଚାରିବର୍ଷ ପୂର୍ବେ ୪୪ପ୍ରତିଶତ ପିଲା ସ୍କୁଲ ଛାଡୁଥିବାବେଳେ ଏବେ ତାହା ୨୮.୩% ପ୍ରତିଶତକୁ ହ୍ରାସ ପାଇଛି । ମଧ୍ୟପ୍ରଦେଶ ଏବଂ ଗୁଜରାଟ ମଧ୍ୟ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ନିୟନ୍ତ୍ରଣ କରିବାରେ ଆଶାତୀତ ସଫଳତା ପାଇଥିବା କୁହାଯାଏ । ଆମ ରାଜ୍ୟରେ ମହାମାରୀ କୋରୋନା କାଳରେ ଅଧାରୁ ପାଠ ଛାଡିଥିବା ପିଲାଙ୍କ ହାର ୫୦ପ୍ରତିଶତକୁ ବୃଦ୍ଧି ପାଇବା ସେତେବେଳେ ଘୋର ଆଲୋଡନ ସୃଷ୍ଟି କରିଥିଲା ଯାହାକି ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟାରୁ ସ୍ପଷ୍ଟ ହୋଇଥିଲା । ଏବେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଯଦି ପାଠଛାଡୁଥିବା ପିଲାଙ୍କ ହାର ୧୫ରୁ ୨୦ ପ୍ରତିଶତ ହୋଇଥାଏ, ତେବେ ଏହାକୁ ଏକ ସଫଳତା ବୋଲି ନିସନ୍ଦେହରେ କୁହାଯାଇପାରିବ । ଶିକ୍ଷାବିତ୍‌ମାନେ ବିଶ୍ୱାସ କରନ୍ତି ଯେ, ୧୫ରୁ ୧୬ ବର୍ଷ ବୟସ୍କ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶରେ ଅଧାରୁ ପାଠ ଛାଡିଥାନ୍ତି । ବିଶେଷ କରି ଦଶମ କିମ୍ବା ମାଧ୍ୟମିକ ସ୍ତରରେ ଡପ୍ର ଆଉଟ ହାର ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଏବେ ଏହି ହାର କମିବା ଏକ ସଫଳତା ବୋଲି କୁହାଯାଇପାରିବ । ଏହା ସତ୍ୱେ ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଅର୍ଥନୈତିକ ସାହାଯ୍ୟ ଓ ବିକାଶ ସଂସ୍ଥା (ଅର୍ଗାନାଇଜେସନ ଫର ଇକୋନାମିକ କୋଅପରେସନ୍ ଆଣ୍ଡ ଡେଭଲମେଂଟ ଓଇସିଡି) ରାଷ୍ଟ୍ରଗୁଡିକ, ଏପରିକି ଶ୍ରୀଲଙ୍କା ତୁଳନାରେ ନିମ୍ନ ମାଧ୍ୟମିକ ସ୍ତରରେ ଭାରତ ପଛରେ ରହିଛି । ଭାରତରେ ୪୯.୮ ପ୍ରତିଶତ ଲୋକ ନିମ୍ନ ମାଧ୍ୟମିକ ଶିକ୍ଷା ସମ୍ପୂର୍ଣ୍ଣ କରିଥିବାବେଳେ ଶ୍ରୀଲଙ୍କା ଏବଂ ଓଇସିଡି ରାଷ୍ଟ୍ରଗୁଡିକର ଏହି ହାର ୮୨ରୁ ୯୫ ପ୍ରତିଶତ ମଧ୍ୟରେ ରହିଛି । ଏହା ଦେଶରେ ଅଧାରୁ ପାଠ ଛାଡ ପାଇଁ ଦାରିଦ୍ର‌୍ୟ ବେରୋଜଗାର ଏବଂ ନିଯୁକ୍ତି ସୁଯୋଗର ଅଭାବ ଯେଉଁଥିପାଇଁ କି ମହାମାରୀ କୋରୋନା ସମୟରେ ଦେଶରେ ମାଧ୍ୟମୀକ ସ୍ତରରେ ଡ୍ରପ ଆଉଟ ହାର ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ଏହା ସନ୍ଦେହ ଯେ, ପାଠ ପଢିବା ପରେ ଆମ ଦେଶରେ ଛାତ୍ରଛାତ୍ରୀମାନେ ଚାକିରିଟିଏ ପାଇଁ ସାଧାରଣତଃ ଲକ୍ଷ୍ୟ ରଖିଥାନ୍ତି । ମାତ୍ର ବହୁ ଉଦ୍ୟମ, ଚେଷ୍ଟା ସତ୍ୱେ ଶିକ୍ଷିତ ଯୁବକ-ଯୁବତୀଙ୍କୁ ନିଯୁକ୍ତି ମିଳିନଥାଏ । ଚାକିରିଟିଏ ନପାଇବା ଉଭୟ ଯୁବକଯୁବତୀ ଓ ଅଭିଭାବକଙ୍କୁ ହତୋତ୍ସାହିତ କରିବା ସ୍ୱାଭାବିକ । ବୋଧହୁଏ ଏଥିରେ କେହି ଅସହମତ ହେବେ ନାହିଁ ଯେ, ଆମ ଦେଶରେ ଉଚ୍ଚ ଶିକ୍ଷିତଙ୍କ ମଧ୍ୟରେ ବେକାରି ହାର ସର୍ବାଧିକ ଅର୍ଥାତ ଶୀର୍ଷରେ ରହିଛି । ସରକାରୀ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଆମ ଦେଶରେ ୨୦୨୨-୨୩ରେ ମୋଟ ଉପରେ ଉଚ୍ଚଶିକ୍ଷିତ ବେକାରୀ ହାର ୨ ପ୍ରତିଶତ ରହିଥିବାବେଳେ ଅତିକମରେ ମାଧ୍ୟମିକ ଶିକ୍ଷା ସ୍ତରରେ ବେକାରି ହାର ୭.୩ ପ୍ରତିଶତ ରହିଛି । ଏହା ସତ୍ୟ ଯେ ଆମ ଦେଶରେ ବେକାରି ବୃଦ୍ଧି ଏବେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ବେକାରି ସମସ୍ୟାର ସମାଧାନ ଲାଗି ଉଦ୍ୟମ ନହେବା ନିଶ୍ଚିତ ଭାବେ ଚିନ୍ତାଜନକ । ସେହିପରି ଦାରିଦ୍ର‌୍ୟ ହାର ହ୍ରାସ ପାଉଥିବା ନେଇ ସରକାର ଯେତେ ଡିଣ୍ଡିମ ପିଟୁଥିଲେ ମଧ୍ୟ ବାସ୍ତବ ସ୍ଥିତି କିନ୍ତୁ ନିଆରା । ତେବେ ପିଲାଙ୍କୁ ଅଧିକ ପାଠ ନପଢାଇବା ପାଇଁ ଅଭିଭାବକ ଚିନ୍ତା କରିବା ସ୍ୱାଭାବିକ ତେବେ ମୁଖ୍ୟ ପ୍ରସଙ୍ଗ ହେଉଛି, ଅଧିକ ମାତ୍ରାରେ ନିୟମିତ ରୋଜଗାର ବା ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଲେ, ଅଧାରୁ ପାଠପଢା ଛାଡିବା ସମସ୍ୟା ଦୂର ହୋଇପାରିବ ବୋଲି ଆମର ଆଶା ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ