ଅଧ୍ୟାପକ ଭଗବାନ ଜେନା ଥିଲେ ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନର ରୂପକାର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶାରେ ଶିକ୍ଷକ, ଅଧ୍ୟାପକମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଐତିହାସିକ ଶିକ୍ଷକ ଆନ୍ଦୋଳନ ଗଢି ତୋଳିବାରେ ଅଧ୍ୟାପକ ଭଗବାନ ଜେନାଙ୍କର ଅବଦାନ ଥିଲା ଅସ୍ମରଣୀୟ । ଅଧ୍ୟାପକ ଜେନା କେବଳ ଜଣେ ଶିକ୍ଷକ ସଂଗଠକ ନଥିଲେ ବରଂ ଆନ୍ଦୋଳନର ସମୁଦାୟ ବୈାଦ୍ଧିକ କାର୍ଯ୍ୟକ୍ରମର ସେ ଥିଲେ ଅପ୍ରତିଦ୍ୱନ୍ଦୀ ନେତା । ତାଙ୍କର ଦୂରଦୃଷ୍ଟି ତଥା ବିଚକ୍ଷଣ ନେତୃତ୍ୱ ପାଇଁ ଶିକ୍ଷକ ଆନ୍ଦୋଳନ ଗୋଟିଏ ସମୟରେ ବିପୁଳ ସଫଳତା ହାସଲ କରିଥିଲା ଏବଂ ଶିକ୍ଷକ ସମାଜ ପ୍ରତି ଏହି ଅବଦାନ ନିମନ୍ତେ ଅଧ୍ୟାପକ ଜେନା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି ଅଧ୍ୟାପକ ଭଗବାନ ଜେନାଙ୍କ ଷଷ୍ଠ ସ୍ମରଣ ଦିବସ ଉପଲକ୍ଷେ “ଶିକ୍ଷକ ଆନ୍ଦୋଳନରେ ଅଧ୍ୟାପକ ଭଗବାନ ଜେନା” ଶୀର୍ଷକ ସ୍ମାରକୀ ବକ୍ତୃତାମାଳାରେ ଆଲୋଚକ ଭାବେ ଯୋଗଦେଇ ଡଃ. ଅନ୍ତରାମ ପଣ୍ଡା ଓ ଭଜକୃଷ୍ଣ ରାଉତ ମତ ପ୍ରକାଶ କରିଥିଲେ । ସ୍ମୃତି କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ ଅଧଯୟାପକ ମୋହନ ଚରଣ ଜେନା ଉଦଘାଟକ ଭାବେ ଯୋଗଦେଇ ଆଲୋଚକ ଦ୍ୱୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କମିଟି ସମ୍ପାଦକ ଆଦିକନ୍ଦ ରାଉଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରମଣୀରଞ୍ଜନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶୈଳଜାଶଙ୍କର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଡଃ. ପ୍ରଭାକର ମଲ୍ଲିକ, ଗୋଲକ ଚନ୍ଦ୍ର ମହାଭୋଇ, ବିଜୟ କୁମାର ନାୟକ, ଅଭିମନ୍ୟୁ ରାଉତ, ଭାଗିରଥୀ ଜେନା, କରୁଣାକର ଦାସ, ବୈଷ୍ଣବ ସ୍ୱାଇଁ, କୁଞ୍ଜବିହାରୀ ଦାସ, ସ୍ୱର୍ଗତ ଜେନାଙ୍କ ଜ୍ୟେଷ୍ଠା କନ୍ୟା ଅଧ୍ୟାପିକା ଜୟଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


