ଅନେକ ସମୟରେ ଖୋଲୁନି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ଲୋକେ ହିନସ୍ଥା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲରେ କେହି ସ୍ଥାୟୀ ତହସିଲଦାର ନଥିବାରୁ ଏବେ କର୍ମଚାରୀ ମାନେ ବେଫିକର ଭାବେ କାର୍ଯ୍ୟ କରୁଛନ୍ତି । କିଏ କେତେବେଳେ ଅଫିସ ଆସୁଛି ତାର କୌଣସି ଠିକ ଠିକଣା ନାହିଁ । ଫଳରେ ବିଭିନ୍ନ କାର୍ଯ୍ୟ ପାଇଁ ଲୋକମାନେ ତହସିଲ କାର୍ଯ୍ୟାଳୟକୁ ଆସି ଘଣ୍ଟା ଘଣ୍ଟା ଧରି ବସି ବସି ଶେଷରେ ନିରାଶ ହୋଇ ଘରକୁ ଫେରି ଯାଉଛନ୍ତି । ଖାଲି ତହସିଲ କାର୍ଯ୍ୟାଳୟ ନୁହଁ ଏହି ତହସିଲ ଅଧିନରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ୟ ସମାନ ଅବସ୍ଥା । ଅନେକ ସମୟରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୁହିକରେ ତାଲା ପଡୁଥିବା ଦେଖିବାକୁ ମିଳୁଛି । ଆଜି ଡଅଁର ଗ୍ରାମର ଅନେକ ଲୋକ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଏକ ଦାବିପତ୍ର ଦେବାକୁ ଆସିଥିବାବେଳେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ । ଏପରିକି ଗ୍ରାମବାସୀମାନେ ଘଣ୍ଟା ଘଣ୍ଟା ଧରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ବସି ଦିନ ଗୋଟାଏ ପର୍ଯ୍ୟନ୍ତ କାର୍ଯ୍ୟାଳୟର ତାଲା ନଖୋଲିବାରୁ ଅସନ୍ତୋଷ ବ୍ୟକ୍ତକରି ଘରକୁ ନିରାଶରେ ଫେରିଥିଲେ । ଏ ସମ୍ପର୍କରେ ଡଅଁର ରାଜସ୍ୱ ନିରୀକ୍ଷକ ସନ୍ଦିପ କୁମାର ପରିଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଏବେ ରାଜସ୍ୱ ଆଦାୟ କାର୍ଯ୍ୟରେ ବ୍ୟସ୍ତ ରହୁଛୁ । ଆଜି ଶାଳଣିଆଁରେ ରାଜସ୍ୱ ସଂଗ୍ରହର ତାରିଖ ଥିଲା, ତେଣୁ ଆମେ ଏଠାରେ ରାଜସ୍ୱ ଆଦାୟ କରୁଥିଲୁ ବୋଲି କହିଛନ୍ତି ।


