ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଦ୍ୟୁତ ସଂସ୍ଥାରେ ଦୀର୍ଘବର୍ଷ କାର୍ଯ୍ୟ କରି ଅବସର ନେଇଥିବା କର୍ମଚାରୀମାନଙ୍କୁ ନେଇ ନବଗଠିତ ‘ନର୍ଥ ଓଡ଼ିଶା ବିଦ୍ୟୁତ କର୍ମଚାରୀ ସଂଘ’ର ଏକ ବୈଠକ ବାଲିଆସ୍ଥିତ ପାୱାର ଏମ୍ପ୍ଲୟିଜ ୟୁନିୟନ ସଭାଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସଭାପତି ଜଗଦୀଶ ବେହେରା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଆଶିଷ କୁମାର ଜେନା, କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଜେନା ଓ ଆବାହକ ତଥା କୋଷାଧ୍ୟକ୍ଷ ଭରତ ଚନ୍ଦ୍ର ସେଠୀ ପ୍ରମୁଖ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ସଂଘ ଗଠନର ଆବଶ୍ୟକତା ସମ୍ପର୍କରେ ସଭ୍ୟମାନଙ୍କୁ ଅବଗତ କରାଇଥିଲେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେଉଁଝର ଓ ମୟୁରଭଞ୍ଜ ଜିଲାରେ ବିଦ୍ୟୁତ ସଂସ୍ଥାରେ କାର୍ଯ୍ୟକରି ଅବସର ନେଇଥିବା ସମସ୍ତ କର୍ମଚାରୀ ଏହି ସଂଗଠନର ସଭ୍ୟଭୁକ୍ତ ହେବାକୁ ବୈଠକରେ ଆହ୍ୱାନ ଦିଆଯାଇଛି । ବିଦ୍ୟୁତ କର୍ମଚାରୀଙ୍କ ଦୀର୍ଘଦିନରୁ ବେତନ ଫିଟମେଣ୍ଟ କମିଟିର ସୁପାରିଶ ଅନୁଯାୟୀ ବକେୟା ପ୍ରାପ୍ୟକୁ ଟାଟା ପାୱାର ସଂସ୍ଥା ସମସ୍ତ କର୍ମଚାରୀଙ୍କୁ କରିଥିବାରୁ ବୈଠକରେ କର୍ତ୍ତୃପକ୍ଷଙ୍କୁ କର୍ମକର୍ତ୍ତାମାନେ କୃତଜ୍ଞତା ଜ୍ଞାପନ କରିଥିଲେ । ଚାକିରିରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କୁ ସେମାନଙ୍କ ସମସ୍ତ ଆଇନଗତ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା, ଦୀର୍ଘବର୍ଷ କାମ କରି ଅବସର ନେଇଥିବା କିମ୍ବା ଚାକିରିକାଳରେ ଅକାଳ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ବିଦ୍ୟୁତ ଶୁଳ୍କରେ ରିହାତି ପ୍ରଦାନ ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ଏହି ବୈଠକରେ ରାଜ୍ୟ ଏଆଇଟିୟୁସିର ଉପ-ସଭାପତି ଗୌରାଙ୍ଗ ପାଣିଗ୍ରାହୀ, ଜିଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା, ଉଠା ଜଳସେଚନ ନିଗମରୁ ଅବସର ନେଇଥିବା କର୍ମଚାରୀ ସଂଘର ସମ୍ପାଦକ ଶରତ ଚନ୍ଦ୍ର ଦଳାଇ ଏଥିରେ ଅତିଥି-ବକ୍ତା ଭାବେ ଯୋଗଦେଇ ବିଦ୍ୟୁତ୍ ଗ୍ରାହକ ଓ ବିଦ୍ୟୁତ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଅବସରପ୍ରାପ୍ତ ଅଭିଜ୍ଞତା ସମ୍ପନ୍ନ କର୍ମଚାରୀମାନେ ବିଦ୍ୟୁତ ବିତରଣ ସଂସ୍ଥାକୁ ପରାମର୍ଶ ଦେବା ଉଚିତ ବୋଲି ସେମାନେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବକିଶୋର ଦାସ, ଉମାକାନ୍ତ ପଢ଼ିଆରୀ, ରଘୁନାଥ ବାରିକ, କମଳ ଲୋଚନ ମଣ୍ଡଳ ଓ ଗଜେନ୍ଦ୍ର ବେହେରା ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆନନ୍ଦ ମହାନ୍ତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


