ଅବହେଳିତ ଅବସ୍ଥାରେ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର। : ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ଦିଗହରା
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଞ୍ଚଳ ରେ ଥିବା ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ଗୁଡ଼ିକ ଅବହେଳିତ ହୋଇପଡ଼ିଥିବା ବେଳେ ଅନେକ ପ୍ରାଣୀଧନ ଚିକିତ୍ସକ ପଦବୀ ବହୁ ଦିନ ହେବ ଖାଲି ପଡିଥିବାରୁ ଲୋକମାନେ ଗାଈ, ଗୋରୁ, ଛେଳି, ମେଣ୍ଢା ପ୍ରଭୃତି ଗୃହପାଳିତ ପଶୁ ଙ୍କ ଚିକିତ୍ସା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ରହ୍ମକୁଣ୍ଡି, ଅମରେଶ୍ଵର, ଛଣିଜଙ୍ଗ, ଇଟାପୋଖରି , ତମ୍ପାଳ, ବାହାରଣା ପ୍ରଭୃତି କେନ୍ଦ୍ରରେ ପ୍ରାଣୀ ଚିକିତ୍ସକ ଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କ ସ୍ଥାନ ରେ ଆଉ କାହାରିକୁ ନିଯୁକ୍ତି ଦିଆ ଯାଇନାହିଁ । କେତେକ କେନ୍ଦ୍ରରେ ଅସ୍ଥାୟୀ ଭାବେ ଚିକିତ୍ସକ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେମାନେ କାର୍ଯ୍ୟରେ ଯୋଗ ଦେଉ ନଥିବା ଓ ଚିକିତ୍ସକ ମାନେ ଘରୋଇ ସେବାରେ ଲିପ୍ତ ଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ରେ ଚିକିତ୍ସକ ନ ଥିବାରୁ ସେଗୁଡିକ ଭୂତ କୋଠିରେ ପରିଣତ ହୋଇଗଲାଣି । ଏପରିକି ମରାମତି ଅଭାବ ରୁ ଅନେକ କେନ୍ଦ୍ରରେ ଗଛ ଲତା ଉଠି ଗଲାଣି । ଫଳରେ ଲୋକ ମାନେ ସ୍ଥାନୀୟ ଅଂଚଳ ରେ ପଶୁ ପକ୍ଷୀ ମାନଙ୍କୁ ଚିକିତ୍ସା କରିଵାରୁ ବଞ୍ଚିତ ହେଉ ଛନ୍ତି । ଗୋରୁ ଗାଈ ମାନେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗାଁ ଗଣ୍ଡାରେ ଅନଭିଜ୍ଞ ଚିକିତ୍ସକ ମାନେ ଗାଈ ଗୋରୁ ଙ୍କୁ ଭୁଲ ଚିକିତ୍ସା କରିବା ଦ୍ୱାରା ବହୁ ଗାଈ ଗୋରୁ ମୃତ୍ୟୁ ବରଣ କରୁଛନ୍ତି । ପୁରୀ ଜିଲ୍ଲା ରେ ସମୁଦାୟ ୧୨୫ ଟି ପ୍ରାଣୀ ଧନ ଚିକିତ୍ସକ ପଦବୀ ମଧ୍ୟରୁ ୫୩ଟି ପଦବୀ ଖାଲି ପଡିଥିବା କହିଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଜି. ନରେଶ କୁମାର । ନିମାପଡା ବ୍ଲକ ଅଞ୍ଚଳ ରେ ୩୨ ଜଣ ଙ୍କ ସ୍ଥାନ ରେ ୧୪ ଜଣ ପ୍ରାଣୀଧନ ଚିକିତ୍ସକ କାର୍ଯ୍ୟ କରୁଛନ୍ତି । ନିମାପଡା ବ୍ଲକ ଅଞ୍ଚଳ ରେ ଗାଈ, ବଳଦ, ଛେଳି ,ମେଣ୍ଢା , ବତକ, କୁକୁଡ଼ା ପ୍ରଭୃତି ପ୍ରାୟ ୫୬ ହଜାର ଗୃହପାଳିତ ପଶୁପକ୍ଷୀ ରହିଥିବା ବେଳେ କୁକୁର, ବିଲେଇ, ଶୁଆ, ପାରା ପ୍ରଭୃତି ଅନ୍ୟାନ୍ୟ ପଶୁ ପକ୍ଷୀ ଙ୍କୁ ହିସାବ କଲେ ପ୍ରାୟ ୬୦ ହଜାର ରହିଥିବା ଆକଳନ କରାଯାଇଛି । ଖାଲିଥିବା ପ୍ରାଣୀଧନ ଚିକିତ୍ସକ ପଦବୀ ରେ ନୂତନ ନିଯୁକ୍ତି ଦେବା ସାଙ୍ଗକୁ ପ୍ରାଣୀ ଧନ ଚିକିତ୍ସା କେନ୍ଦ୍ର ଗୁଡିକ ର ମରାମତି କରିବାକୁ ସରକାର ଙ୍କ ନିକଟରେ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି କରାଯାଇଛି ।


