ଅସହାୟଙ୍କ ବନ୍ଧୁ ସାଜିଛି ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ 

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠାର ଉଦୀୟମାନ ଯୁବକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସୁଦୂର ମହାରାଷ୍ଟ୍ରର ପୁଣେ ଠାରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଠିତ ସ୍ଵେଚ୍ଛାସେବୀ ସଂଗଠନ ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ ସାହିତ୍ୟ, ଶିଶୁ ବିକାଶ କାର୍ଯ୍ୟକ୍ରମ, ଚାରା ରୋପଣ, ରକ୍ତଦାନ ସହିତ ସମାଜ ସେବାକୁ ବ୍ରତ ରୂପେ ଜାରି ରଖିଛି । ଯାହା ସମସ୍ତ ଜନ ମାନସ ଓ ପ୍ରଶାସନର ବିଶ୍ୱାସ ଜିତି ପାରିଛି । ଏହି ସଂଗଠନ ବହୁ ଅସହାୟଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଛି I କିଛି ମାସ ତଳେ ନିଜ ପ୍ରଚେଷ୍ଟା ବଳରେ ପୁଣେରୁ କେନ୍ଦ୍ରାପଡା ଜିଲ୍ଳା ପାଟକୁରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମର ଶରୀରରକୁ ତାଙ୍କ ଜନ୍ମ ମାଟିରେ ପହଞ୍ଚାଇ ବେଶ ଚର୍ଚ୍ଚାକୁ ଆସିଥିବା ବେଳେ ପୁଣି ଥରେ ଗଞ୍ଜାମରୁ ଏହିଭଳି ଏକ ଘଟଣା ନଜରକୁ ଆସିଛି I ସଂଗଠନ ସଭାପତି ସୌମ୍ୟରଞ୍ଜନ ମହାପାତ୍ରଙ୍କ ସୂଚନା ପ୍ରକାରେ ଗତ କାଲି ସକାଳେ ଟିମ୍ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନକୁ ଭୁବନେଶ୍ୱର ବିମାନ ବନ୍ଦରରୁରୁ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକର ବଡବଦାଙ୍ଗିକୁ ଏକ ମୃତ ଦେହ ଆଣିବାରେ ସହାୟତା କରିବା ପାଇଁ ଏକ ଅଜ୍ଞାତ ବ୍ୟକ୍ତିଙ୍କଠାରୁ ଏକ ଫୋନ୍ କଲ ଆସିଥିଲା। ସୁଦୂର କେରଳ ରାଜ୍ୟର ଏର୍ନାକୁଲମ ଜିଲ୍ଲା କଲେକ୍ଟର ମୃତ ଦେହକୁ ବିମାନ ଉଡ଼ାଣ ପାଇଁ ମୃତ ସ୍ଥଳରୁ ଭୁବନେଶ୍ୱର ବିମାନ ବନ୍ଦରକୁ ସମସ୍ତ ବ୍ୟବସ୍ଥା କରିଥିଲେ । ପରେ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ ତରଫରୁ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଜିଲ୍ଳା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ରଙ୍କ ସହ ନିରନ୍ତର ସମ୍ପର୍କରେ ରହିଥିଲେ ସଂଗଠନ ଅଧ୍ୟକ୍ଷ ସୌମ୍ୟରଞ୍ଜନ ମହାପାତ୍ର I ଏହା ପରେ ମୃତ କାଳୁ ନାୟକଙ୍କ ମୃତଦେହକୁ ଭୁବନେଶ୍ୱର ବିମାନ ବନ୍ଦରରୁ ତାଙ୍କ ଗ୍ରାମର ଜନ୍ମ ସ୍ଥାନକୁ ନେବାରେ ପରିବାର ସଦସ୍ୟଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବା ସହିତ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସାନ୍ତ୍ବନା ସହିତ ଆବଶ୍ୟକ ବ୍ୟବସ୍ଥା କରିବାରେ ସଫଳ ହୋଇଛି ଟିମ୍ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ । କାଳୁଙ୍କ ମୃତ ଦେହ ନିଜ ଗାଆଁରେ ପହଞ୍ଚିବା ପରେ କାଳୁଙ୍କ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳ ,ଜିଲ୍ଳା ଶ୍ରମ ଅଧିକାରୀ ଏବଂ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ ସଂଗଠନକୁ କୃତଜ୍ଞତା ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ