ଆଇନ ମନ୍ତ୍ରୀ ‌ପ୍ରତାପ ଜେନାଙ୍କ ବରଖାସ୍ତ ଦାବି କଲା ବିଜେପି

ଭୁୁବନେଶ୍ୱର, (‌ୱାଇଏନ୍‌ଏସ୍‌): ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗରେ ତାଙ୍କର ଇସ୍ତଫା ଦାବି କରି ବିଜେପି ବିଧାୟକ ମାନଙ୍କ ପକ୍ଷରୁ ଆଜି ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି କରା ଯାଇଛି । ଅନ୍ୟ ପକ୍ଷରେ କଂଗ୍ରେସ ଦଳର ସଦସ୍ୟ ମାନେ ସଂପୃକ୍ତ ଆଇନ ମନ୍ତ୍ରୀଙ୍କ ବିରୁଦ୍ଧରେ ଏ ଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାକୁ ନେଇ ଉଦବେଗ ପ୍ରକାଶ କରିବା ସହ ତାଙ୍କୁ ବରଖାସ୍ତ କରିବାକୁ ଦାବି କରା ଯାଇଛି । ଏହି ହଟ୍ଟଗୋଳ କାର୍ଯ୍ୟକ୍ରମ ସମ୍ପୂର୍ଣ ହୋଇ ପାରି ନ ଥିଲା । ଏହା କିଛି ସମୟ ପାଇଁ ଚାଲିଥିଲା । ଏହା ବ୍ୟତୀତ ଜଙ୍ଗଲରେ ନିଆଁ ଲାଗିଥିବା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ନୋଟିସ ଉପରେ ଆଲୋଚନା ହୋଇ ପାରି ନ ଥିଲା । ନିର୍ଧାରିତ କାର୍ଯ୍ୟ ସୂଚୀ ଅନୁଯାୟୀ ଗୃହର ବୈଠକ ୧୦.୩୦ରେ ଆରମ୍ଭ ହେବା ମାତ୍ରେ ବିଜେପି ପକ୍ଷରୁ ଉକ୍ତ ଘଟଣାକୁ ନେଇ ହୋ ହାଲ୍ଲା କରା ଯାଇଥିଲା । ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ଏହି ସରକାରଙ୍କ ଶାସନକାଳରେ ନ୍ୟାୟ ଅଲଗା ଅଲଗା ହୋଇ ପାରିବ ନାହିଁ । ଯେ ଶାସକ ଦଳକୁ ସମର୍ଥନ କରିବ ତାକୁ ସବୁ ମାଫ । ବିଜେପୁର ଉପ ନିର୍ବାଚନ ବେଳେ ତାଙ୍କ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କୁ ହତ୍ୟା ଘଟଣାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଘରୁ ଉଠାଇ ଜେଲରେ ପୁରାଇ ଦେଲା । ଆଇନ ମନ୍ତ୍ରୀଙ୍କ କ୍ଷେତ୍ରରେ ତାହା ଦେଖା ଯାଇ ନାହିଁ । ନୟାଗଡ ପରୀ ମାମଲାରେ ବାବୁଲା ନାଏକ ଓ ଅନ୍ୟ ମାନଙ୍କ ବିରୁଦ୍ଧରେ ଏତାଲା ହୋଇଥିଲେ ମଧ୍ୟ ସେମାନଙ୍କୁ ଗିରଫ କରା ଗଲା ନାହିଁ । ସେମାନେ ସାଧାରଣରେ ବୁଲୁଛନ୍ତି । ସାଧାରଣ ଚୋରୀ ମାମଲାରେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚାରା ଉଚୁରା କରି ଗିରଫ କରୁଛି । ତେବେ ଆଇନ ମନ୍ତ୍ରୀଙ୍କ ନାମରେ ଏପରି ହତ୍ୟା ଅଭିଯୋଗ ଥିବା ବେଳେ ସେ କିପରି ଗୃହ ଭିତରେ ବସିବେ । ବର୍ତମାନ ସୁଦ୍ଧା ସରକାର ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କାହିଁକି କରା ଯାଇ ନାହିଁ ।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଏତାଲାରେ ନାମ ଥିଲେ ଜଣେ ଦୋଷୀ ହୋଇ ଯାଏ ନାହିଁ । ଆପାତତ ପ୍ରମାଣ ମିଳିଲେ ବା ଚାର୍ଜଶୀଟ ହୋଇ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଗୃହ ଭିତରେ ବସିବାକୁ ଅନୁମତି ଦିଆ ଯିବ ନାହିଁ । ବାଚସ୍ପତିଙ୍କ ଏହି ବକ୍ତବ୍ୟରେ ବିଜେପି ବିଧାୟକ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଶ୍ରୀ ନାଏକ କହିଥିଲେ ଯେ ପ୍ରଫୁଲ୍ଲ ସାମଲକୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଛି । ଘଟଣାର ଠିକ ଭାବେ ତଦନ୍ତ କରା ଯିବା ଆବଶ୍ୟକ ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ରହିଛି । ଏବେ ଚାଷୀ ନେତାଙ୍କୁ ମାଡ ମରା ଯାଇଛି । ଏହା ଠିକ ହୋଇ ନାହିଁ । ଏହା ବିରୁଦ୍ଧରେ ସରକାର ପଦକ୍ଷେପ ନେବା ଆବଶ୍ୟକ । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ମାହାଙ୍ଗା ହତ୍ୟା ମାମଲାକୁ ନେଇ କଂଗ୍ରେସ ଗୃହରେ ଆନ୍ଦୋଳନ କରିଥିଲା । ଏହା ସତ୍ୱେ ମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନାହିଁ । ବାଚସ୍ପତି ଏହାକୁ ନେଇ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ସହ ସେ ଏକମତ ନୁହନ୍ତି । ମାହାଙ୍ଗା ହତ୍ୟା ମାମଲାରେ ସାମିଲ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉା ଏହାକୁ ନେଇ ଯୁକ୍ତିତର୍କ ଲାଗିବା କାରଣରୁ ବାଚସ୍ପତି ଗୃହର ସୁପରିଚାଳନା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ଏହା ପରେ ବାଚସ୍ପତି ଗୃହକୁ ୧୧.୪୭ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଅପରାହ୍ନ ୪ଟାରେ ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହେବା କ୍ଷଣି ବିଜେପି ଦଳ ପକ୍ଷରୁ ଆଇନ୍ ମନ୍ତ୍ରୀଙ୍କ ବହିଷ୍କାର ପାଇଁ ଆମର ଦାବି ସମ୍ପର୍କରେ କଣ ନିଷ୍ପତି ନିଆଗଲା ବୋଲି ପଚାରିଥିଲେ । କୌଣସି ସଦସ୍ୟ ନାମରେ ଏଫଆଇଆର ରୁଜୁ ହୋଇଥିଲେ ସେ ଗୃହକୁ ଆସିପାରିବେ କି? ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇବା ସହ ଆଇନ୍ ମନ୍ତ୍ରୀଙ୍କ ବହିଷ୍କାର ଦାବି ଦୋହରାଇଥିଲେ । ଏହା ଉପରେ ବାଚସ୍ପତି ନିର୍ଦ୍ଦିଷ୍ଟ ରୁଲିଂ ରଖିବା ପାଇଁ ଦାବି କରି ବିଜେପି ସଭ୍ୟମାନେ ଦାବି କରିଥିଲେ ।
ମଙ୍ଗଳବାର ଦିନ ବିଧାନସଭାର ଦ୍ୱିତୀୟାର୍ଦ୍ଧ ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇ କହିଥିଲେ ଯେ ଗତ ୨୯.୦୭.୨୦୦୪ରେ ପବିତ୍ର ଗୃହରେ ତତକାଳୀନ ବାଚସ୍ପତି ମହେଶ୍ୱର ମହାନ୍ତି କୌଣସି ସଦସ୍ୟଙ୍କ ନାମରେ ଏନବିଡବ୍ଲୁ ଥିଲେ ସେ ଗୃହକୁ ଆସିପାରିବେ ନାହିଁ ବୋଲି ରୁଲିଂ ଦେଇଥିଲେ । ମାତ୍ର କୌଣସି ସଦସ୍ୟ ନାମରେ ଏଫଆଇଆର ରୁଜୁ ହୋଇଥିଲେ ସେ ଗୃହକୁ ଆସିବା ପାଇଁ କୌଣସି ଆଇନଗତ ବାଧା ନାହିଁ ବୋଲି ବାଚସ୍ପତି କହିଥିଲେ । ତେଣୁ ବିଜେପି ସଦସ୍ୟମାନେ ଗୃହର ଆଲୋଚନାରେ ଭାଗ ନେବାକୁ ବାଚସ୍ପତି ଅନୁରୋଧ କରିଥିଲେ । ମାତ୍ର ବିଜେପି ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ । ବାଚସ୍ପତି ଓ ଉପବାଚସ୍ପତି ବାଧ୍ୟ ହୋଇ ଗୃହକୁ ୩ ଥର ମୁଲତବୀ ରଖିଥିଲେ । ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ବୈଠକରେ ବିଜେପି ସଭ୍ୟମାନେ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଅଟଳ ରହିଥିଲେ । ପରିସ୍ଥିତିରେ ଉନ୍ନତି ନଆସିବାରୁ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଫଳରେ ଆଜି ହେବାକୁ ଥିବା ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇପାରିନଥିଲା । ଏହା ୩୦ ତାରିଖରେ ଗିଲୋଟିନ୍ ଦ୍ୱାରା ପାରିତ ହେବ ବୋଲି ବାଚସ୍ପତି ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ